ମାଲକାନଗିରି: ମାଲକାନଗିରି ଜିଲ୍ଲା ମୋଟୁ ଅଂଚଳରେ ବନ୍ୟାର ଚାରି ଦିନ ପରେ ଧିରେ ଧିରେ ପାଣି କମି କମି ଆସୁଥିବା ବେଳେ ବନ୍ୟା ପାଣିରେ ସର୍ବହରା ହୋଇଯାଇଛନ୍ତି ପୁରୁଣା ମୋଟୁ ବାସିନ୍ଦା। ପୁରୁଣା ମୋଟୁରେ ଅନେକ ଘର ବନ୍ୟା ପାଣିରେ ମାଟିରେ ମିଶିଯାଇଥିବା ବେଳେ ଅନ୍ୟ ଘରଗୁଡିକ ପାଣିରେ ଭିଜି ରହିବା ଯୋଗୁଁ ଘରର ଉପକରଣଗୁଡିକ ଅନୁପଯୋଗୀ ହୋଇଯାଇଛି। ଘର ସହ ଘରର ସାମଗ୍ରୀ କେତେକ ବନ୍ୟା ପାଣିରେ ଭାସି ଯାଇଥିବା ବେଳେ ଯାହା କିଛି ଘରେ ରହିଲା ସେଗୁଡିକ ନଷ୍ଟ ହୋଇଯାଇଛି।ପୁରୁଣା ମୋଟୁର ଲୋକେ ସର୍ବହରା ହେଲା ପରେ କିପରି ଜୀବନ ବିତାଇବେ ସେନେଇ ଚିନ୍ତାରେ ପଡିଯାଇଛନ୍ତି। ଏପଟେ ଏବେ ବି ଅନେକ ଗାଁ ଜଳବନ୍ଦୀ ଅବସ୍ଥାରେ ଥିବା ବେଳେ ଜାତୀୟ ରାଜପଥ ଅବରୋଧ ଯୋଗୁଁ ଅଟକି ରହିଛି ଶହ ଶହ ଟ୍ରକ। ଜିଲ୍ଲାପାଳ ବନ୍ୟାଞ୍ଚଳ ଗସ୍ତ କରି କ୍ଷତିଗ୍ରସ୍ତ ଲୋକଙ୍କୁ ଖୁବଶୀଘ୍ର କ୍ଷତିପୂରଣ ଦିଆଯିବ ବୋଲି କହିଛନ୍ତି।
ମୋଟୁ ଅଂଚଳରୁ ବନ୍ୟା ପାଣି ଖସିଗଲା ପରେ ଏ ହେଉଛି ପୁରୁଣା ମୋଟୁ ଗାଁର ଦୃଶ୍ୟ। ବନ୍ୟାପାଣି ଖସିବା ପରେ ପୁରୁଣା ମୋଟୁ ବାସିନ୍ଦା କିପରି ଅଛି ତାଙ୍କର ଘର ତାହା ଦେଖିବା ପାଇଁ ଗାଁକୁ ଆସିଥିବା ବେଳେ ଯାହା ଦେଖିଲେ ତାଙ୍କର ହୋସ ଉଡିଗଲା। କାରଣ ସର୍ବହରା ହୋଇ ଯାଇଛି ପୁରା ପରିବାର। ପାଣି ହଠାତ ବଢିଯିବାରୁ ଜୀବନ ବଞ୍ଚାଇ ଲୁଗା ଖଣ୍ଡେ ପିନ୍ଧି ସୁରକ୍ଷିତ ସ୍ଥାନକୁ ଚାଲିଯାଇଥିଲେ । ବନ୍ୟା ପାଣି ତାଙ୍କ ଘରକୁ ତିନି ଦିନ ସଂପୂର୍ଣ୍ଣ ବୁଡାଇ ରଖି କରିଦେଇଛି ସର୍ବହରା। ଅନେକ ଘର ଭାଙ୍ଗି ମାଟିରେ ମିଶିଯାଇଥିଲା ବେଳେ ଯେଉଁ ଘରଗୁଡିକ ଛିଡା ହୋଇଛି ତାହା ଏତେ ଦୁର୍ବଳ ହୋଇପଡିଛି ସେଠି ରହିବା ବିପଦପୂର୍ଣ୍ଣ। ପୁରୁଣା ମୋଟୁରେ ମୋଟ ୩୦ରୁ ୪୦ ପରିବାର ବସବାସ କରୁଥିବା ବେଳେ ଗୋଟିଏ ଛାତ ଘର ଛାଡି ଦେଲେ ଅନ୍ୟ ଘରଗୁଡିକ ଚାଳ ଓ ଟିଣ ଛପର। ଏବେ ବି ମୁଗି ପଏଣ୍ଟରେ କେତେକ ଘର ପାଣିରେ ବୁଡି ରହିଛି। ତେବେ ଆଗାମୀ ଦିନରେ କେଉଁଠି ମୁଣ୍ଡ ଗୁଞ୍ଜିବେ କିଭଳି ପରିବାର ପୋଷିବେ,ସେହି ଚିନ୍ତା ପୁରୁଣା ମୋଟୁ ଗ୍ରାମବାସୀଙ୍କୁ ଘାରିଛି । ତୁରନ୍ତ ସରକାର ଏମାନଙ୍କର ଦୁଃଖ ବୁଝିବା ସହ କ୍ଷତିପୂରଣ ଓ ଥଇଥାନ କରିବା ପାଇଁ ସେମାନେ ସରକାରଙ୍କୁ ଅନୁରୋଧ କରିଛନ୍ତି ।
ଏପଟେ ବନ୍ୟାର ଚାରି ଦିନ ପରେ ମଧ୍ୟ ସ୍ଥିତି ସ୍ବାଭାବିକ ହୋଇ ନାହିଁ। ଏବେ ବି ଚାଷ ଜମିରୁ ପାଣି କମି ନଥିବା ବେଳେ ଜାତୀୟ ରାଜପଥ ଉପରେ ୮ରୁ ୧୦ ଫୁଟ ପାଣି ରହିଛି। ଯେଉଁଥିପାଇଁ ୭ ଦିନରୁ ଉର୍ଦ୍ଧ୍ବ ହେବ ଅନ୍ତଃରାଜ୍ୟକୁ ଯୋଗାଯୋଗ ବିଛିନ୍ନ ହୋଇ ରହିଛି। ଅନେକ ଗାଁ ଏବେ ବି ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି। ଏବେ ବି ରିଲିଫ ସେଣ୍ଟରରେ ଲୋକଙ୍କୁ ଖାଦ୍ୟ ଯୋଗାଇ ଦେଉଛି ପ୍ରଶାସନ। ଆଜି ପୁଣି ଜିଲ୍ଲାପାଳ ବନ୍ୟାଞ୍ଚଳ ଗସ୍ତ କରିବା ସହ ସ୍ଥିତି ସମୀକ୍ଷା କରିଛନ୍ତି। ଖୁବଶୀଘ୍ର କ୍ଷତିଗ୍ରସ୍ତମାନଙ୍କୁ କ୍ଷତିପୂରଣ ଦିଆଯିବ ବୋଲି କହିଛନ୍ତି। ପ୍ରଶାସନ ତୁରନ୍ତ କ୍ଷତିଗ୍ରସ୍ତମାନଙ୍କୁ କ୍ଷୟକ୍ଷତି ଆକଳନ କରି କ୍ଷତି ପୂରଣ ନଦେଲେ ଅନେକ ପରିବାର ମୁଣ୍ଡ ଗୁଞ୍ଜିବାକୁ ଘର ଓ ଦୁଇ ମୁଠା ଖାଇବାକୁ ପାଇବେ ନାହିଁ।