ବାଲେଶ୍ବର/ଜଳେଶ୍ବର : ବାତ୍ୟା ୟାସ ପ୍ରଭାବରେ ଗତ ଦୁଇଦିନ ଧରି ଝାଡ଼ଖଣ୍ଡ ଓ ମୟୂରଭଞ୍ଜରେ ପ୍ରବଳ ବର୍ଷା ହୋଇଛି। ଫଳରେ ଜାମସେଦପୁର ସ୍ଥିତ ଗାଲୁଡିହି ବ୍ୟାରେଜରୁ ଗତକାଲି ୩ ଲକ୍ଷ କ୍ୟୁସେକ୍ ପାଣି ନିଷ୍କାସିତ କରାଯାଇଛି। ଫଳରେ ଉତ୍ତର ବାଲେଶ୍ବର ଦେଇ ପ୍ରବାହିତ ହେଉଥିବା ସୁବର୍ଣ୍ଣରେଖା ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏହି ନଦୀର ବିପଦ ସଙ୍କେତ ୧୦.୩୬ ମିଟର ଓ ସତର୍କ ସଂକେତ ୯.୪୫ ମିଟର ହୋଇଥିବା ବେଳେ ଶୁକ୍ରବାର ସଂଧ୍ୟା ୮ଟା ବେଳକୁ ରାଜଘାଟଠାରେ ୮.୪୮ ମିଟରକୁ ଏହାର ଜଳସ୍ତର ଉଠିଥିବା ଦେଖାଯାଇଛି।
ସୂଚନାଥାଉକି, ଶୁକ୍ରବାର ସକାଳ ୯ଟାରୁ ଦିନ ୨ଟା ପର୍ଯ୍ୟନ୍ତ ସୁବର୍ଣ୍ଣରେଖା ନଦୀର ରାଜଘାଟ ଠାରେ ଜଳସ୍ତର ୩.୫୮ ମିଟର ଉପରେ ପ୍ରବାହିତ ହେଉଥିବା ବେଳେ ଅପରାହ୍ଣ ୩ଟା ବେଳକୁ ଜଳସ୍ତର ହଠାତ୍ ବୃଦ୍ଧି ପାଇ ୩.୮୦ ମିଟରକୁ ଉଠିଯାଇଥିଲା। ଏହାପରେ ଅପରାହ୍ଣ ୪ଟା ବେଳକୁ ୬ ମିଟର, ୫ଟା ବେଳକୁ ୭ ମିଟର, ସଂଧ୍ୟା ୬ଟା ବେଳକୁ ୭.୬୨ମିଟର, ୭ଟା ବେଳକୁ ୮.୧୦ ମିଟର ଏବଂ ୮ଟା ବେଳକୁ ୮.୪୮ ମିଟର ପର୍ଯ୍ୟନ୍ତ ଜଳସ୍ତର ଉଠିଥିବା ଦେଖାଯାଇଛି। କ୍ରମଶଃ ଏହା ବୃଦ୍ଧି ପାଇ ରାତି ୧୧ଟା ବେଳକୁ ବିପଦସଂକେତ ୧୦. ୩୬ ମିଟର ଉପରେ ପ୍ରବାହିତ ହେବାର ଆଶଙ୍କା ଦେଖାଯାଇଛି। ବିପଦସଙ୍କେତ ଡେଇଁଲେ ଜଳେଶ୍ବର, ବାଲିଆପାଳ, ଭୋଗରାଇ ବ୍ଲକର ନଦୀକୂଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବ। ଦୁଇଦିନ ପୂର୍ବରୁ ବାତ୍ୟା ୟାସ୍ ଯୋଗୁଁ ସମୁଦ୍ର ଜୁଆର ମାଡ଼ି ଆସି ଉପକୂଳ ଅଞ୍ଚଳର ଶତାଧିକ ଗାଁ ଏବଂ ଚାଷଜମିକୁ ଛାରଖାର କରି ଯାଇଥିବା ବେଳେ ଏବେ ସୁବର୍ଣ୍ଣରେଖାର ବନ୍ୟା ପରିସ୍ଥିତି ପୁଣି ସ୍ଥାନୀୟ ଅଞ୍ଚଳବାସୀଙ୍କୁ ଆତଙ୍କିତ କରିଛି। ଏହାକୁ ନଜରରେ ରଖି ଜଳସମ୍ପଦ ବିଭାଗର ସୁବର୍ଣ୍ଣରେଖା କେନାଲ ପ୍ରୋଜେକ୍ଟ ମୁଖ୍ୟଯନ୍ତ୍ରୀ ଇଂ. ପ୍ରଭାତ ରଂଜନ ରାଉତ, ବାରିପଦା ଜଳସେଚନ ସର୍କଲର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ଇଂ. ପୀତବାସ ହାଁସଦା, ବାଲେଶ୍ବର ଜଳସେଚନ ବିଭାଜନ ନିର୍ବାହୀ ଯନ୍ତ୍ରୀ ପ୍ରଭାସ କୁମାର ପ୍ରଧାନ, ଜଳେଶ୍ବରର ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରିୟବ୍ରତ ସିଂ, କନିଷ୍ଠ ଯନ୍ତ୍ରୀ ଧୀରେନ୍ଦ୍ରନାଥ ଦାସ ପ୍ରମୁଖ ରାଜଘାଟ ଠାରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ବନ୍ୟା ପରିସ୍ଥିତି ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ସ୍ଥାନୀୟ ଅଞ୍ଚଳରେ ସତର୍କ ସୂଚନା ଦିଆଯିବା ସହ ତଳିଅଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ ନିରାପଦ ସ୍ଥାନକୁ ଚାଲିଯିବାକୁ ସୂଚନା ଦିଆଯାଇଥିବା ଜଣାଯାଇଛି।
ସେହିପରି ଜଳକା ନଦୀରେ ଆଜି ଜଳସ୍ତର ସ୍ଥିର ରହିଥିବା ବେଳେ ବୁଢ଼ାବଳଙ୍ଗ ନଦୀରେ ଜଳସ୍ତର ରାତି ୮ଟା ସୁଦ୍ଧା ୨.୯୦ ମିଟରକୁ ଖସିଯାଇଥିବା ଦେଖାଯାଇଛି। ଆଜି ସକାଳ ଠାରୁ ଜଳକାର ଜଳସ୍ତର ୩.୫୦ ମିଟର ଉପରେ ପ୍ରବାହିତ ହେଉଛି।
ବାତ୍ୟା ଯିବା ପରେ ଏବେ ବନ୍ୟା ଡର, ଫୁଲିଲା ସୁବର୍ଣ୍ଣରେଖା, ଜଳକା ସ୍ଥିର
/sambad/media/post_attachments/wp-content/uploads/2021/05/village-in-floodwater.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)