କୋରେଇ: କୋରେଇ ବ୍ଲକ୍‌ର ଏପରି ଅନେକ ଗାଁ ରହିଛି ଯେଉଁଠି ଖରାଦିନେ ମଧ୍ୟ ଗାଁ ଦାଣ୍ତରେ ଜମୁଛି ଆଣ୍ଠୁଏ ପାଣି। ଫଳରେ ଗ୍ରାମବାସୀଙ୍କଠାରୁ ଆରମ୍ଭ କରି ଉକ୍ତ ରାସ୍ତା ଦେଇ ଯାଉଥିବା ୬ଟି ପଞ୍ଚାୟତର ହଜାରହଜାର ଲୋକ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାର ମରାମତି ପାଇଁ ୭ ବର୍ଷ ତଳୁ ସ୍ଥାନୀୟ ସ୍ବେଚ୍ଛାସେବୀ ସଂଗଠନ ଠାକୁରପାଟଣା ଯୁବ ପରିଷଦ ଓ ଗ୍ରାମବାସୀ କୋରେଇ ବିଡିଓଙ୍କ ନିକଟରେ ଦାବି କରିଥିଲେ। କୌଣସି ସୁଫଳ ନମିଳିବାରୁ ଆଜି ଖମଣ ସରପଞ୍ଚ ପୁଣି ବ୍ୟାସନଗର ତହସିଲଦାରଙ୍କ ଦ୍ବାରସ୍ଥ ହୋଇଛନ୍ତି।

Advertisment

ଖମଣ ପଞ୍ଚାୟତର ଠାକୁରପାଟଣା ଗ୍ରାମ ଦେଇ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଜହ୍ନା-ପହଙ୍ଗା ରାସ୍ତା ଯାଇଛି। ଜବରଦଖଲ ହେତୁ ରାସ୍ତାଟି ସଂକୀର୍ଣ୍ଣ ହୋଇଛି। ଡ୍ରେନ୍‌ ସୁବିଧା ମଧ୍ୟ ନାହିଁ। ଖରାଦିନେ ଗ୍ରାମବାସୀଙ୍କ ନିତ୍ୟବ୍ୟବହାର୍ଯ୍ୟ ପାଣି ରାସ୍ତା ଉପରେ ଜମିରହୁଛି। ବାଧ୍ୟ ହୋଇ ଲୋକମାନେ ପାଣି ଭିତରେ ଯାତାୟାତ କରିଛନ୍ତି। ଏନେଇ ୨୦୧୫ ରେ ଗ୍ରାମବାସୀ ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ କରିଥିଲେ। ୨୦୨୦ ରେ ଏନେଇ ବିଭାଗୀୟ ଅଧିକାରୀ ମାପଚୁପ କରି ଖୁବ୍‌ଶୀଘ୍ର କାର୍ଯ୍ୟାରମ୍ଭ ହେବାକୁ ପ୍ରତିଶ୍ରୁତି ଦେଇଥିଲେ। ବ୍ୟାସନଗର ତହସିଲଦାରଙ୍କ ନିର୍ଦେଶରେ ବଡ଼ବିରୁହାଁ ରାଜସ୍ବ ନିରୀକ୍ଷକ ମାପ କରିଥିଲେ। ପରେ ରାସ୍ତା କାମ ପାଇଁ ଟେଣ୍ତର ହେବା ସହିତ ଗତ ଡିସେମ୍ବର ମାସରେ ଅର୍ଥ ମଧ୍ୟ ମଞ୍ଜୁର ହେଲା। ହେଲେ ଅଦ୍ୟାବଧି କାର୍ଯ୍ୟାରମ୍ଭ ହୋଇପାରିନାହିଁ।

ସୀମା ନିର୍ଦ୍ଧାରଣର କୌଣସି କାଗଜପତ୍ର ହସ୍ତଗତ ହୋଇନଥିବାରୁ କାର୍ଯ୍ୟାରମ୍ଭ ହୋଇନଥିବା ସଫେଇ ଦେଇଛି ଗ୍ରାମ୍ୟ ଉନ୍ନୟନ ବିଭାଗ। ଆଗକୁ ବର୍ଷାଦିନ ଆସୁଥିବାରୁ ତୁରନ୍ତ କାର୍ଯ୍ୟାରମ୍ଭ କରାନଗଲେ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବାକୁ ଚେତାବନୀ ଦେଇଛନ୍ତି।। ଆଜି ଏନେଇ ଖମଣ ସରପଞ୍ଚ ଜୟନ୍ତୀ ରାଉତ, ନାଏବ ସରପଞ୍ଚ ଦଶରଥ ସାହୁ, ଡିଆର୍‌ଡିଏର ସାଂସଦଙ୍କ ପ୍ରତିନିଧି ଅଶୋକ କୁମାର ବେହେରାଙ୍କ ସମେତ ଠାକୁରପାଟଣା ଯୁବ ପରିଷଦର ସଭାପତି ପ୍ରଶାନ୍ତ କୁମାର ସାହୁ, ଉପସଭାପତି ରମାକାନ୍ତ ସାହୁ, ଅବିନାଶ ସାହୁ ପ୍ରଭୃତି ବ୍ୟାସନଗର ତହସିଲଦାରଙ୍କୁ ଭେଟି ପୁଣି ଦାବିପତ୍ର ପ୍ରଦାନ କରିଛନ୍ତି। ଏନେଇ ତୁରନ୍ତ କାର୍ଯ୍ୟାରମ୍ଭ ହେବାକୁ ବିଭାଗୀୟ ଅଧିକାରୀ ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି।