ଫୁଲୁଛି ବୁଢ଼ାବଳଙ୍ଗ, ଗୋବିନ୍ଦପୁର ନିକଟରେ ସତର୍କ ସୂଚନା ଉପରେ ବନ୍ୟାଜଳ ପ୍ରବାହିତ

ଗତ ୨୪ ଘଣ୍ଟାରେ ବଢ଼ିଲା ବର୍ଷା, ହାରାହାରି ୪୫.୭୨ ମିମି ବର୍ଷା 

ବାରିପଦା : ଲଘୁଚାପ ଜନିତ ବର୍ଷା କାରଣରୁ ଜିଲ୍ଲାର ସମସ୍ତ ଜଳଭଣ୍ଡାର ଗୁଡ଼ିକରେ ଉଛୁଳା ପରିସ୍ଥିତି ସୃଷ୍ଟି କରିଛି। ଆଜି ପୁରା ଦିନ ପ୍ରମୁଖ ନଦୀ ବୁଢ଼ାବଳଙ୍ଗ ଜଳସ୍ତର ଧୀରେ ଧୀରେ ଫୁଲିବାରେ ଲାଗିଥିଲା। ସନ୍ଧ୍ୟା ୫ଟା ସୁଦ୍ଧା ଜାତୀୟ ରାଜପଥ-୫ ‌ଗୋବିନ୍ଦପୁର ନିକଟରେ ବୁଢ଼ାବଳଙ୍ଗ ସତର୍କ ସୂଚନା ୭.୨୧ ମିଟରରୁ ଊର୍ଧ୍ବ ୭.୪୦ ମିଟରରେ ପ୍ରବାହିତ ହେଉଥିଲା। ଅନ୍ୟାନ୍ୟ ନଦୀ ଗୁଡ଼ିକରେ ମଧ୍ୟ ସମାନ ସ୍ଥିତି ଲାଗିରହିଛି। ଯଦିଓ କେହି ବିପଦ ସଙ୍କେତରୁ ଊର୍ଧ୍ବରେ ପ୍ରବାହିତ ହେଉନାହାନ୍ତି, ତଥାପି ସବୁ ନଦୀର ଜଳସ୍ତର ଧୀରେ ଧୀରେ ବଢ଼ୁଥିବା ଜଣାପଡ଼ିଛି।

ଜିଲ୍ଲାରେ ଗତ ୨୪ ଘଣ୍ଟା ମଧ୍ୟରେ ବର୍ଷାର ପରିମାଣ ମଧ୍ୟ ବୃଦ୍ଧି ଘଟିଛି। ଗତ ୨୪ ଘଣ୍ଟା ମଧ୍ୟରେ ଜିଲ୍ଲାରେ ହାରାହାରି ୪୫.୭୨ ମିମି ବର୍ଷା ରେକର୍ଡ କରାଯାଇଛି। ୧୩ ତାରିଖରେ ଜିଲ୍ଲାରେ ହାରାହାରି ୩୫.୮୮ ମିମି ବର୍ଷା ରେକର୍ଡ କରାଯାଇଥିଲା। ସମସ୍ତ ୨୬ଟି ବ୍ଲକ୍‌କୁ ମିଶାଇ ଜିଲ୍ଲାରେ ମୋଟ ୧୧୮୮.୮ ମିମି ବର୍ଷା ରେକର୍ଡ କରାଯାଇଛି। ଜଳଭଣ୍ଡାର ଗୁଡ଼ିକରେ ବର୍ଷା ଜଳ ଅଧିକ ହେଉଥିବାରୁ ପାଣି ଛଡ଼ାଯାଉଛି। ଯାହା ଫଳରେ ତଳିଆ ଅଞ୍ଚଳର ଲୋକେ ପ୍ରଭାବିତ ହେଉଛନ୍ତି। ଜିଲ୍ଲାରେ ଏବେବି ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଉଦଳା, କପ୍ତିପଦା ଭଳି କିଛି ବ୍ଲକ୍‌ରେ ଲଗାଣ ବର୍ଷା ଏବଂ ଜଳଭଣ୍ଡାରରୁ ଛଡ଼ାଯାଇଥିବା ପାଣି ଗାଁରେ ପଶିଥିବା ଖବର ମଧ୍ୟ ଆସିଛି। ଜିଲ୍ଲାରେ ଗତ ୨୪ ଘଣ୍ଟା ଶ୍ୟାମାଖୁଣ୍ଟାରେ ୪୦ ମିମି, ବଡ଼ସାହିରେ ୩୧, ବେତନଟୀରେ ୬୬,ମୋରଡ଼ାରେ ୭୪, ରାସଗୋବିନ୍ଦପୁରରେ ୫୧, କୁଳିଅଣାରେ ୩୯, ବାରିପଦାରେ ୩୪, ସାରସକଣାରେ ୩୯, ଶୁଳିଆପଦାରେ ୫୯.୨, ବାଙ୍ଗିରିପୋଷିରେ ୬୧.୨, ଖୁଣ୍ଟା ଓ ଜିବି ନଗରରେ ୪୫, ଉଦଳାରେ ୫୮.୬, କପ୍ତିପଦାରେ ୬୯, ବିଶୋଇରେ ୬୩, ବିଜାତଳାରେ ୫୩, ରାଇରଙ୍ଗପୁରରେ ୪୨, କୁସୁମିରେ ୩୭, ବହଳଦାରେ ୩୭.୨, ତିରିଂରେ ୨୮.୨, ଯାମଦାରେ ୨୬, ଯଶୀପୁରରେ ୧୫.୨, କରଞ୍ଜିଆରେ ୩୭, ଠାକୁରମୁଣ୍ଡାରେ ୫୮, ଶୁକୃଳିରେ ୪୧.୨ ଏବଂ ରରୁଁଆରେ ୩୯ ମିମି ବର୍ଷା ରେକର୍ଡ କରାଯାଇଛି। ସେହିପରି ବୁଢ଼ାବଳଙ୍ଗ ନଦୀ ଅସ୍ତିଆ ନିକଟରେ ବିପଦସଙ୍କେତ ୩୦.୯୨ ମିଟର ଠାରୁ ଆଜି ଅପରାହ୍ନ ୫ଟା ସୁଦ୍ଧା ୨୭ ମିଟରରେ ପ୍ରବାହିତ ହେଉଛି। ଗୋବିନ୍ଦପୁର ନିକଟରେ ବୁଢ଼ାବଳଙ୍ଗ ବିପଦସଙ୍କେତ ୮.୧୨ ମିଟର ତୁଳନାରେ ୭.୪୦ ମିଟରରେ, ରାଜଘାଟ ନିକଟରେ ସୁବର୍ଣ୍ଣରେଖା ବିପଦସଙ୍କେତ ୧୦.୩୬ ମିଟର ତୁଳନାରେ ୭.୬୦, ଜୟପୁର ନିକଟରେ ସୋନ ୨୩.୯୪ ଏବଂ ବାଲିମୁଣ୍ଡୁଳି ନିକଟରେ ଗଙ୍ଗାହାର ବିପଦସଙ୍କେତ ୪୦ ମିଟର ତୁଳନାରେ ୩୯.୮୨ ମିଟରରେ ପ୍ରବାହିତ ହେଉଛି। ସେହିପରି କାଳ ଜଳଭଣ୍ଡାରରେ ଧାର୍ଯ୍ୟ ଜଳସ୍ତର ୭୭.୭୦ମିଟର ତୁଳନାରେ ୭୬.୮୮ ମିଟର ରହିଛି। ଏହି ଜଳଭଣ୍ଡାରରେ ଆଜିକା ଦିନରେ ଏହାର ଜଳଧାରଣ କ୍ଷମତା ୨୪୨୪ ହେକ୍ଟୋ ମିଟର ତୁଳନାରେ ୧୯୫୪ ହେକ୍ଟୋ ମିଟର ଜଳ ଗଚ୍ଛିତ ରହିଛି। ସୁନେଇ ଜଳଭଣ୍ଡାରରେ ୪୯୩୨.୯୬ ହେକ୍ଟୋ ମିଟର, ଖଡ଼ାଖାଇରେ ୩୯୫୭.୭୮, ନେଶ‌ାରେ ୨୮୫.୯୧, ଦେଓ ଜଳଭଣ୍ଡାରରେ ୨୪୦୫.୨୦ ଏବଂ ବାଙ୍କବଳ ଜଳଭଣ୍ଡାରରେ ୧୮୩୪.୬୩ ହେକ୍ଟୋମିଟର ଜଳ ଗଚ୍ଛିତ ଅଛି। ଧାର୍ଯ୍ୟ ଜଳଧାରଣ କ୍ଷମତାରୁ ସବୁ ଜଳ ଭଣ୍ଡାରରେ କମ ଥିଲେ ମଧ୍ୟ ଦେଓ, ବାଙ୍କବଳ ଆଦିରେ ଉଛୁଳା ପରିସ୍ଥିତି ଆଶଙ୍କା ସୃଷ୍ଟି କରିଛି।

ବାରିପଦାରେ ବର୍ଷା, ଆଶଙ୍କାରେ ତଳିଆ ଅଞ୍ଚଳବାସୀ

ଲଗାଣ ବର୍ଷା କାରଣରୁ ବାରିପଦା ପୌରପାଳିକାର ତଳିଆ ଅଞ୍ଚଳବାସୀଙ୍କ ପାଇଁ ଆଶଙ୍କାର କାରଣ ପାଲଟିଛି। ବୁଢ଼ାବଳଙ୍ଗ ନଦୀର ଜଳସ୍ତର ଧୀରେ ଧୀରେ ବୃଦ୍ଧି ପାଉଥିବାରୁ ୱାର୍ଡ ନଂ-୭ ଓ ୯ର ନଦୀ କୁଳିଆ ଲୋକଙ୍କ ପାଇଁ ଚିନ୍ତା ବଢ଼ିଛି। ଏହି ଦୁଇ ୱାର୍ଡର କିଛି ସ୍ଥାନରେ ପାଣି ପଶିବାର ଆଶଙ୍କା ରହିଛି। ଏନେଇ ବାରିପଦା ଉପଜିଲ୍ଲାପାଳ ତଥା ବାରିପଦା ପୌରପାଳିକା ନିର୍ବାହୀ ଅଧିକାରୀ ଅନ୍ୟା ଦାସ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ଜଳସ୍ତର ଅଧିକ ବଢ଼ିଲେ ଉକ୍ତ ଅଞ୍ଚଳବାସୀଙ୍କୁ ବାତ୍ୟା ଆଶ୍ରୟ ସ୍ଥଳକୁ ସ୍ଥାନାନ୍ତର କରାଯିବ ବୋଲି ଶ୍ରୀମତୀ ଦାସ ସୂଚନା ଦେଇଛନ୍ତି। ଏନେଇ ବିଭାଗୀୟ ଅଧିକାରୀଙ୍କୁ ସଜାଗ ରଖାଯାଇଛି।

 

ସମ୍ବନ୍ଧିତ ଖବର