ବୈତରଣୀ ବନ୍ୟାରେ ବୁଡିଲା ଧାମନଗର ବ୍ଲକର ତଳିଆ ଗାଁ, ଜଳବନ୍ଦିରେ ଗାଁ ଲୋକେ

ରିଲିଫ୍ ନାହିଁ, ବିକଳରେ ଅଛନ୍ତି ବିପନ୍ନ ଲୋକେ

ଭଦ୍ରକ/ଭଣ୍ଡାରିପୋଖରୀ/ଧାମନଗର: ଭଦ୍ରକରେ ଦ୍ବିତୀୟଥର ପାଇଁ ବୈତରଣୀ ନଦୀରେ ବନ୍ୟା ଜଳ ଆସି ଜିଲ୍ଲାର ଧାମନଗର ଓ ଭଣ୍ଡାରିପୋଖାରୀ ବ୍ଲକରେ ଶତାଧିକ ଗାଁ ଜଳ ମଗ୍ନ ହୋଇଛି। ବନ୍ୟା ପାଣି ତଳିଆ ଅଞ୍ଚଳରେ ପ୍ରବେଶ କରିବା ଯୋଗୁଁ ବିଲ ବାଡି ବୁଡି ଅଧିକାଂଶ ଗାଁ ରାସ୍ତା ଉପରେ ବନ୍ୟା‌ ଜଳ ପ୍ରବାହିତ ହେଉଛି। ଶତାଧିକ ଗାଁରେ ପଶିଛି ବନ୍ୟା ପାଣି। ଗାଁ ଲୋକମାନେ ଜଳବନ୍ଦୀରେ ଅଛନ୍ତି। ସେମାନଙ୍କର ଦୁର୍ଦ୍ଦଶା ଓ ଦୟନୀୟ ଅବସ୍ଥା ପାଇଁ ଆଜି ଧାମନଗର ବନ୍ୟା ଅଞ୍ଚଳକୁ ପରିଦର୍ଶନ କରିବାକୁ ଜିଲ୍ଲାପାଳ ସିଦ୍ଧେଶ୍ବର ବଳିରାମ ବନ୍ଦୋର ଯାଇଥିଲେ। ଅସହାୟ ଅବସ୍ଥରାରେ ରହିଥିବା ଗାଁ ଲୋକଙ୍କୁ ଜିଲ୍ଲାପାଳ ଭେଟି ଥିଲେ। ବୈତରଣୀ ବନ୍ୟାରେ ବିଶେଷ କରି ଧାମନଗର ବ୍ଲକର ସୋହଡା ପଞ୍ଚାୟତରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଏଇ ସବୁ ଲୋଙ୍କ ପାଖରେ ଠିକ ଭାବେ ରିଲିଫ ସାମଗ୍ରୀ ପହଞ୍ଚି ପାରୁ ନଥିବା ବିପନ୍ନ ଲୋକେ ଅଭିଯୋଗ କରିଛନ୍ତି। ସେହିପରି ଗୌରାଙ୍ଗପୁର, ସେଣ୍ଢପୁର ଆଦି ଅଞ୍ଚଳରେ ବ୍ୟାପକ ଅଞ୍ଚଳ ଜଳ ମଗ୍ନ ହୋଇଛି।

ଦୁର୍ବଳ ନଦୀବନ୍ଧ ଓ ଭଦ୍ରକ ସୀମାରେ ଥିବା ତଳିଆ ଏସକେପ ପାଇଁ ଭଦ୍ରକ ସୀମାରେ ପ୍ରତିବର୍ଷ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଛି। ଏଭଳି ବନ୍ୟା ପରିସ୍ଥିତିରୁ ଲୋକଙ୍କୁ କିଭଳି ରକ୍ଷା କରାଯାଇ ପାରିବ। ସେ ଦିଗରେ ରାଜ୍ୟ ସରକାର ପଦକ୍ଷେପ ନିଅନ୍ତୁ ବୋଲି ସ୍ଥାନୀୟ ଅଞ୍ଚଳର ବିପନ୍ନ ଲୋକମାନେ ଦାବି କରିଛନ୍ତି। ସେମାନଙ୍କର ଗୃହ ପାଳିତ ପଶୁଙ୍କୁ ଗୋଖାଦ୍ୟ ଠିକ ଭାବେ ଯୋଗାଣ କରାଯାଇ ପାରୁ ନଥିବା ବେଳେ ଅସହାୟ ଅବସ୍ଥାରେ ରହିଥିବା ଲୋକଙ୍କୁ ମଧ୍ୟ ଉପଯୁକ୍ତ ସହାୟତା ପ୍ରଦାନ କରାଯାଇ ପାରି ନାହିଁ। ବର୍ଷା ଛାଡି ଥିଲେ ମଧ୍ୟ ବୈତରଣୀର ତଳ ମୁଣ୍ଡରେ ଏବେ ବନ୍ୟା ସ୍ଥିତି ସଂଗୀନ ହୋଇଛି। ଉଛୁଳା ନଦୀର ଭୟଙ୍କର ଦୃଶ୍ୟ ନଦୀକୂଳିଆଲୋକଙ୍କ ଭୟଭୀତ କରୁଥିବା ବେଳେ ସରକାରୀ ସହାୟତା ମିଳୁ ନଥିବାରୁ ଏହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଦ୍ବିତୀୟ ବନ୍ୟାରେ ଧାମନଗର ବ୍ଲକରେ ୨୦ ପଞ୍ଚାୟତ ଓ ଭଣ୍ଡାରିପୋଖରୀ ବ୍ଲକର ୭ ପଞ୍ଚାୟତର ସ୍ଥିତି ଅଧିକ ଜଟିଳ ହୋଇଛି।

ସମ୍ବନ୍ଧିତ ଖବର