କୁଶଭଦ୍ରାରେ ୨୫ ଫୁଟର ଘାଇ ସୃଷ୍ଟି, ପାଣିଘେରରେ ରହିଛି ଅନେକ ପଞ୍ଚାୟତ

ଗୋପ/କଣାସ: ପୁରୀ ଜିଲ୍ଲା ଗୋପର ଖଣ୍ଡିଆକୁଦ ଗାଁରେ କୁଶଭଦ୍ରା ନଦୀରେ ୨୫ ଫୁଟର ଘାଇ ସୃଷ୍ଟି ହୋଇଥିବାରୁ ୮ଟି ପଞ୍ଚାୟତର ପ୍ରାୟ ୫୦ ହଜାର ଲୋକ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି | ଜଳସମ୍ପଦ ବିଭାଗ ଅବହେଳା ଯୋଗୁ ଘାଇ ହୋଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଆଉ ସ୍ଥାନୀୟ ଲୋକମାନେ ଜଳସମ୍ପଦ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଓ ସହ ନିର୍ବାହ ଯନ୍ତ୍ରୀଙ୍କୁ ଅଟକ ରଖିଛନ୍ତି | ସ୍ଥିତି ପରଖିବାକୁ ଯାଇଥିବାବେଳେ ବନ୍ୟା ବିପନ୍ନ ଅଟକ ରଖିଛନ୍ତି | ସେହିପରି କଣାସ ବ୍ଲକ୍ ୩ ପଞ୍ଚାୟତର ପାଖାପାଖି ୧୫ରୁ ୧୮ ଗାଁ ଜଳମଗ୍ନ ହୋଇଛି | ୫ଟି ଗାଁରେ ପ୍ରଶାସନ ପକ୍ଷରୁ ଯାତାୟାତ ପାଇଁ ୧୦ଟି ଡଙ୍ଗା ପ୍ରଦାନ କରାଯାଇଥିବାବେଳେ ଦୋକନ୍ଦା, ବଡାସ,ବଳଭଦ୍ରପୁର ପଞ୍ଚାୟତର ସବୁ ଗାଁ ବୁଡି ରହିଛି । ଦୋକନ୍ଦା, ବାଲିପାଟଣା,ବଡାସ,ତରପଡା, ବୈଦ୍ୟନାଥପାଟଣା, କଖାରୁବସ୍ତ, ସବଳଙ୍ଗ ଗାଁ ପାଣିଘେରରେ ରହିଛି। ବିଶେଷ କରି ଏହି ପଞ୍ଚାୟତର ପୂର୍ବରେ ଦୟାନଦୀ, ପଶ୍ଚିମରେ ରାଜୁତି, ଦକ୍ଷିଣରେ ମଲାଗଣୀ ନଦୀ ଫୁଲୁଥିବାବେଳେ ପ୍ରଶାସନ ପକ୍ଷରୁ ରିଲିଫ ସାମଗ୍ରୀ ପହଞ୍ଚିନଥିବାରୁ ଜନ ଅସନ୍ତୋଷ ଦେଖାଦେଇଛି।

ଅନ୍ୟପଟେ ଖୋର୍ଦ୍ଧା-ବଲାଙ୍ଗୀର ଏନଏଚ୍-୫୭ ବାଘମାରୀଠାର ରାସ୍ତା ବୁଡ଼ିଯାଇଥିବାବେଳେ ଏନଏଚ ଉପରେ ଦେଢଫୁଟର ପାଣି ପ୍ରବାହିତ ହେଉଛି । ସେପଟେ ଅଟ୍ରି ଉଷ୍ମପ୍ରସବଣରେ ୫ ଫୁଟର ବନ୍ୟା ଜଳ ପ୍ରବେଶ କରିଛି । ଖୋର୍ଦ୍ଧାର ରାଜୁଆ ନଦୀରେ ଶହେ ଫୁଟର ଘାଇ ସୃଷ୍ଟି ହୋଇଛି । ତିରିମଲ ନିକଟରେ ଏହି ବଡ ଘାଇ ସୃଷ୍ଟି ହୋଇଛି । ଏବେ ଘାଇରେ ପ୍ରବଳ ବେଗରେ ବନ୍ୟା ଜଳ ପ୍ରବାହିତ ହେଉଛି । ଏହି ଘାଇ ଦେଇ ପ୍ରଚୁର ମାତ୍ରାରେ ବନ୍ୟା ଜଳ ପ୍ରବାହିତ ହେଉଥିବାରୁ ରାତିରେ ଖୋର୍ଦ୍ଧା ଜିଲ୍ଲାର ଶରଧାପୁର, ଅଣ୍ଡା, ଅଁଳାଯୋଡି, ଧବଳପୁର ଗାଁ ପ୍ରଭାବିତ ହେବା ସମ୍ଭାବନା ରହିଛି । ସେପଟେ ପ୍ରଶାସନ ପକ୍ଷରୁ ଗାଁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ପ୍ରୟାସ ଆରମ୍ଭ ହୋଇଛି ।

ସମ୍ବନ୍ଧିତ ଖବର