ବନ୍ୟା ସହାୟତାରେ ଦୁର୍ନୀତିର ବନ୍ୟା: ଆବାସ ଘର କଚ୍ଚା ଘର ହେଲା କେମିତି?

ବଲାଙ୍ଗୀର– ବନ୍ୟା ସହାୟତା ଟଙ୍କା ବଣ୍ଟନରେ ଦୁର୍ନୀତି । ମନଇଚ୍ଛା ତାଲିକା କରିଛି ରାଜସ୍ୱ ବିଭାଗ । ବଡବଡିଆ ହାତେଇ ନେଇଛନ୍ତି ସହାୟତା ରାଶି ଟଙ୍କା । ସଇଁତଳା ତହସିଲରେ ବନ୍ୟା ସହାୟତା ଟଙ୍କା ବଣ୍ଟନ ଦୁର୍ନୀତିର ଗୁମର ଧୀରେଧୀରେ ପଦାକୁ ଆସିବାରେ ଲାଗିଛି ।

ବିଭାଗ ଏତେ ମାତ୍ରାରେ ଦୁର୍ନୀତି କରିଛି ଯେ, ନେତା ଓ ଧନୀବର୍ଗର ଲୋକ ହାତେଇଛନ୍ତି ବନ୍ୟା ସହାୟତା ଟଙ୍କା । ଏବେ ଆଉ ଏକ ତଥ୍ୟ ତହସିଲ ପକ୍ଷରୁ କରାଯାଇଥିବା ମନମାନୀର ପ୍ରମାଣ ଦେଇଛି । ସରକାରଙ୍କ ପକ୍ଷରୁ ଗରିବଗୁରୁବାଙ୍କୁ ପ୍ରଦାନ କରାଯାଇଥିବା ଆବାସ ଘରକୁ ବି କଚ୍ଚା ଘର କାଗଜପତ୍ରରେ ଦର୍ଶାଯାଇଛି । ଆଉ ସେହି କଚ୍ଚା ଘର ସଂପୂର୍ଣ୍ଣ ଭାଙ୍ଗିଥିବା କୁହାଯାଇ ବନ୍ୟା ସହାୟତା ବାବଦକୁ ଲକ୍ଷଲକ୍ଷ ଟଙ୍କା ଦିଆଯାଇଛି ।

ଏଠି ପ୍ରଶ୍ନ ଉଠୁଛି ପ୍ରଧାନମନ୍ତ୍ରୀ ଆବାସ ଗୃହ, ବିଜୁ ପକ୍କା ଘର ଏସବୁ କଚ୍ଚା ଘର ହେଲା କେମିତି? ଏ ପର୍ଯ୍ୟନ୍ତ ଯାହା ତଥ୍ୟ ପଦାକୁ ଆସିଛି ସେଥିରେ ସଇଁତଳା ତହସିଲଦାର ଓ ଆରଆଇମାନଙ୍କ ଦୁର୍ନୀତିଖୋର ମନୋଭାବ ସ୍ପଷ୍ଟ ପ୍ରମାଣ ଦେଉଛି । ଏପଟେ ଭିଜିଲାନ୍ସ ବିଭାଗକୁ ଏହି ଦୁର୍ନୀତି ଖବର ପହଞ୍ଚିଲାଣି । ବନ୍ୟା ସହାୟତାରୁ ବାଦ ପଡିଥିବା କେତେ ଜଣ ହିତାଧିକାରୀ ଭିଜିଲାନ୍ସ ବିଭାଗକୁ ଏ ସଂପର୍କରେ ଅବଗତ କରାଇଥିବା ଜଣାପଡିଛି ।

୨୦୧୯ ଅଗଷ୍ଟ ବନ୍ୟା ଅନେକଙ୍କୁ ଦୁଃଖ ଦେଇ ଯାଇଥିଲା । ସାରା ଜିଲ୍ଲାରେ ଅନେକ ଲୋକ ବନ୍ୟାରେ ପ୍ରଭାବିତ ହୋଇଥିଲେ । ସଇଁତଳା ବ୍ଲକ ଅଂଚଳରେ ଶହଶହ ଲୋକଙ୍କ ମାଟିକୁଡିଆ ସବୁ ଭାଙ୍ଗିଯାଇ ମାଟିରେ ମିଶିଥିଲା । ସେମାନେ ସବୁ ବ୍ଲକ, ତହସିଲ ଏପରିକି ଜିଲ୍ଲାପାଳଙ୍କ ନିକଟକୁ ଦୌଡିଦୌଡି ସହାୟତା ଦେବାକୁ ନେହୁରା ହୋଇଥିଲେ । ଏହାପରେ ତହସିଲଦାରଙ୍କ ପାଖକୁ ଘରଭଙ୍ଗା ସହାୟତା ଟଙ୍କା ଆସିଥିଲା । କିନ୍ତୁ ତହସିଲଦାରଙ୍କ ଇସାରାରେ ଆରଆଇ ଓ ଅନ୍ୟ କର୍ମଚାରୀମାନେ କରିଥିଲେ ମନମାନୀ । ମନଇଚ୍ଛା ସର୍ଭେ ରିପୋର୍ଟ ପ୍ରସ୍ତୁତ ହୋଇଥିଲା । ଯେଉଁ ତାଲିକା ତିଆରି କରାଗଲା ସେଥିରେ ଅଧାରୁ ଅଧିକ ବନ୍ୟାରେ ପ୍ରଭାବିତ ହୋଇନଥିବା ଲୋକଙ୍କ ନାଁ ଚଢିଥିଲା । କାଗଜପତ୍ରରେ ଚଞ୍ଚକତା କରାଯାଇ ୬ଟି ପର୍ଯ୍ୟାୟରେ ପାଖାପାଖି ୪କୋଟି ଟଙ୍କା ବଣ୍ଟନ ହୋଇଥିଲା । ସେହି ରାଶି ଯେଉଁମାନେ ପାଇଥିଲେ ତାହାର ଭାଗ ରାଜସ୍ୱ ବିଭାଗର ଅଧିକାରୀଙ୍କୁ ବି ଦେଇଥିଲେ । ତାଲିକାରେ ନାମ ଚଢାଇବାକୁ ଲୋକେ ଦାମ ବି ଦେଇଥିଲେ ।

ମାଲେମାଲ ହୋଇଥିଲେ ରାଜସ୍ୱ ବିଭାଗର ଅଧିକାରୀଙ୍କଠାରୁ ନେଇ କର୍ମଚାରୀ । ଏହି ଦୁର୍ନୀତି ଭିତରେ ଅନେକ ଗରିବଗୁରୁବା ଏବେ ସହାୟତା ଟଙ୍କା ନପାଇ ପଲିଥିନ ତଳେ ରହୁଛନ୍ତି । ମିଳିଥିବା ସୂଚନା ମୁତାବକ, ସଇଁତଲା ବ୍ଲକର ଭତାସର, ଖରସେଲବାଞ୍ଜି, ବାଦିପଡା, ଲାଚୁଟ ଗାଁର କେତେ ଜଣଙ୍କ ପ୍ରଧାନମନ୍ତ୍ରୀ ଆବାସ ଗୃହକୁ କଚ୍ଚା ଘର କାଗଜପତ୍ରରେ ଦର୍ଶାଯାଇଛି । ଆବାସ ଘର କଚ୍ଚା ଘର ହେଲା କେମିତି ତାକୁ ନେଇ ପ୍ରଶ୍ନ ଉଠିଛି । ପୂର୍ବରୁ ଅନେକ ଧନୀକ ବ୍ୟକ୍ତି ଯେଉଁମାନଙ୍କ ପକ୍କା ଘର ରହିଛି ସେମାନେ କେମିତି ଟଙ୍କା ପାଇଛନ୍ତି ତାହାର ତଥ୍ୟ ସହ ଖବର ସମ୍ବାଦରେ ପ୍ରକାଶିତ ହୋଇଥିଲା । ଏବେ ଲଗାତାର ଖବର ପ୍ରକାଶନ ପରେ ଗାଁଗାଁରୁ ଲୋକମାନେ ଦୁର୍ନୀତି କେମିତି ହୋଇଛି ତାହା ବଖାଣୁଛନ୍ତି । ଖୋଲାଖୋଲି ତହସିଲ କାର୍ଯ୍ୟାଳୟ ସବୁରେ ଦୁର୍ନୀତି କରିଥିବା ହିତାଧିକାରୀମାନେ କହୁଛନ୍ତି । ଏପରିକି ଆଗାମୀ ଦିନରେ ଲୋକେ ଆନ୍ଦୋଳନକୁ ଓହ୍ଲାଇବାକୁ ବି ସଜବାଜ ଆରମ୍ଭ କଲେଣି । ପୁଣି ଥରେ ସର୍ଭେ କରାଯାଇ ପ୍ରକୃତ ହିତାଧିକାରୀଙ୍କୁ ଚିହ୍ନଟ କରାଯାଉ ଓ ଟଙ୍କା ପ୍ରଦାନ କରାଯାଉ ବୋଲି ସେମାନେ ଦାବି କରୁଛନ୍ତି ।

ରିପୋର୍ଟ ମାଗିଲେ ଉପଜିଲ୍ଲାପାଳ

ବନ୍ୟା ସହାୟତା ଟଙ୍କା ବଣ୍ଟନରେ ହୋଇଥିବା ଦୁର୍ନୀତିକୁ ନେଇ ଟିଟିଲାଗଡ ଉପଜିଲ୍ଲାପାଳ ତହସିଲଦାରଙ୍କୁ ରିପୋର୍ଟ ତଲବ କରିଛନ୍ତି । ଉପଜିଲ୍ଲାପାଳ କହିଛନ୍ତି, ତହସିଲଦାର ଏକ କମିଟି ଗଠନ କରିବେ ଓ ସବୁ ଦୁର୍ନୀତି ପ୍ରସଙ୍ଗରେ ରିପୋର୍ଟ ଦେବେ । କାହାକାହାକୁ ଟଙ୍କା ବଣ୍ଟନ କରାଯାଇଛି ସେ ନେଇ ତହସିଲଦାରଙ୍କଠାରୁ ସବିଶେଷ ତଥ୍ୟ ପାଇବା ପରେ ଆଗାମୀ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି । ଏଠାରେ ପ୍ରଶ୍ନ ଉଠୁଛି ଯଦି ତହସିଲ ସବୁ ଦୁର୍ନୀତିରେ ସଂପୃକ୍ତ ଓ ତହସିଲଦାର ନିଜେ ସେସବୁର ତର୍ଜମା କରି ରିପୋର୍ଟ ଦେବେ ତାହେଲେ ସତ୍ୟତା ସାମ୍ନାକୁ ଆସିବ ତ? ନା ତହସିଲଦାର ନିଜେ ଦୁର୍ନୀତି ପ୍ରସଙ୍ଗରୁ ଖସିଯାଇ ତଳତଳିଆଙ୍କ ମୁଣ୍ଡରେ ଦୁର୍ନୀତିର ସବୁ ଦୋଷ ଲଦିବେ ତାହା ଆଗାମୀ ସମୟ ହିଁ କହିବ । ସେଯାହା ହେଉନା କାହିଁକି ଏବେ ଏହି ପ୍ରସଙ୍ଗ ସାରା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି ।

ସମ୍ବନ୍ଧିତ ଖବର