ଲାଗାଣ ବର୍ଷାରେ ଚାରିଆଡର ସ୍ଥିତି ବେହାଲ୍‌, ମାଲକାନଗିରି ସହ ଯୋଗଯୋଗ ବିଚ୍ଛିନ୍ନ

କୋରାପୁଟ: କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର କାକିରିଗୁମା ମଧ୍ୟରେ ମାଟି ଅତଡ଼ା ଖସିବାରୁ ସମସ୍ତ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଟିଟଲାଗଡରୁ ରାୟଗଡା ଏବଂ ରାୟଗଡାରୁ କୋରାପୁଟକୁ ଯାଉଥିବା ସମସ୍ତ ଟ୍ରେନକୁ ବାତିଲ କରାଯାଇଛି । ସମ୍ବଲପୁର-କୋରାପୁଟ ପାସେଂଜର, ଜୁନାଗଡ ରୋଡ୍‌-ଲାଂଜିଗଡ ରୋଡ୍‌ ପାସେଂଜର, ସମ୍ବଲପୁର-ଜୁନାଗଡ ରୋଡ୍‌ ପାସେଂଜର, ରାୟପୁର-କେସିଙ୍ଗା ପାସେଂଜର, ରାୟଗଡା-ସମ୍ବଲପୁର ଏକ୍ସପ୍ରେସ, କୋରାପୁଟ-ସମ୍ବଲପୁର ପାସେଂଜର, ସମ୍ବଲପୁର-ରାୟଗଡା ଏକ୍ସପ୍ରେସ, ବିଶାଖପାଟଣା-ରାୟପୁର ପାସେଂଜର, ରାୟପୁର-ବିଶାଖପାଟଣା ପାସେଂଜର, ବିଶାଖପାଟଣା-ଦୁର୍ଗ ପାସେଂଜର, ଜଗଦଲପୁର-ହାଓଡା ସମଲେଶ୍ୱରୀ ଏକ୍ସପ୍ରେସ, ରାୟଗଡା-ଜଗଦଲପୁର ସମଲେଶ୍ୱରୀ ଏକ୍ସପ୍ରେସକୁ ବାତିଲ କରାଯାଇଛି । ଏହି ଟ୍ରେନ୍‌ ସବୁ ବାୟାଗୁଡ଼ା, କାକିରିଗୁମା, ଲକ୍ଷ୍ମୀପୁର ଷ୍ଟେସନ ଗୁଡିକରେ ଅଟକି ରହିଛି ।

ସେପଟେ, ଲଗାଣ ବର୍ଷା ଯୋଗୁଁ କଳାହାଣ୍ଡି ଜିଲ୍ଲାରେ ସୃଷ୍ଟି ହୋଇଛି ବନ୍ୟା ପରିସ୍ଥିତି । ରାସ୍ତା ଘାଟରେ ପାଣି ଜମି ରହିବା ଦ୍ୱାରା ଯାତାୟତରେ ମଧ୍ୟ ସମସ୍ୟା ଦେଖା ଦେଇଛି । ଯୋଗାଯୋଗ ବିଛିନ୍ନ ହୋଇ ପଡିଥିବାରୁ ଅନେକ ସ୍ଥାନରେ ଲୋକ ଭୋକ ଉପାସରେ ରହିଛନ୍ତି । ଇନ୍ଦ୍ରାବତୀ ନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ହାତୀ ବ୍ୟାରେଜ ୫ଟି ଗେଟ୍‌ ଖୋଲାଯାଇଛି । ସେକେଣ୍ଡ ପ୍ରତି ୪୪୨ କ୍ୟୁସେକ୍‌ ଜଳ ଛଡାଯାଉଛି । ଅନ୍ୟପଟେ ଜୁନାଗଡର ବିଭିନ୍ନ ୱାର୍ଡରେ ବନ୍ୟା ପାଣି ପଶିଯାଇଥିବା ବେଳେ ଥୁଆମୂଳ ରାମପୁର ଓ କଲମପୁର ମଧ୍ୟରେ ଯୋଗେଯାଗ ବିଚ୍ଛିନ୍ନ ହୋଇପଡିଛି ।


ସେହିପରି ମାଲକାନଗିରିରେ ଲଗାଣ ବର୍ଷା ଯୋଗୁ ବାଲିମେଳା ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ରାୟଗଡ଼ାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଅମ୍ବାଦଳା ବଂଶଧାରା ବ୍ରିଜ ଉପରେ ୫ଫୁଟର ବନ୍ୟାପାଣି ପ୍ରବାହିତ ହୋଇଛି। ରାୟଗଡ଼ା-ଭବାନୀପାଟଣାକୁ ଯୋଗାଯୋଗ ବିଚ୍ଚିନ୍ନ ହୋଇଛି । ରାସ୍ତାର ଉଭୟ ପାଶ୍ୱରେ ଗାଡି ଅଟକି ରହିଛି । ସ୍କୁଲ ବସ ଅଟକି ରହିଥିବାରୁ ଛାତ୍ରଛାତ୍ରୀ ଶିକ୍ଷକମାନେ ସ୍କୁଲ ଯାଇପାରିନାହାନ୍ତି । ଲଗାଣ ବର୍ଷା ଫଳରେ ନବରଙ୍ଗପୁରରେ ବି ସୃଷ୍ଟି ହୋଇଛି ବନ୍ୟା ପରିସ୍ଥିତି ହୋଇ ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇବାରୁ ଅନେକ ଅଂଚଳ ଜଳମଗ୍ନ ହୋଇପଡିଛି ।

ସମ୍ବନ୍ଧିତ ଖବର