ବାଙ୍କୀ: ପ୍ରଳୟଙ୍କରୀ ବନ୍ୟା ଚଳିତବର୍ଷ ବାଙ୍କୀ ଚାଷୀକୁଳର ମେରୁଦଣ୍ଡ ଭାଙ୍ଗି ଦେଇଛି। ଉପଖଣ୍ଡର ପ୍ରାୟ ୩୦ଟି ପଞ୍ଚାୟତର ଚାଷଜମି ସମ୍ପୂର୍ଣ୍ଣ ଉଜୁଡ଼ି ଯାଇଛି। ୧୦ଦିନ ତଳେ ଅଞ୍ଚଳର ଚାଷୀ ନିଜ ଉତ୍ପାଦିତ ପନିପରିବା ବାଙ୍କୀ ସମେତ ଭୁବନେଶ୍ବର, କଟକ, ଖୋର୍ଦ୍ଧା, ନୟାଗଡ଼ ଆଦି ଜିଲ୍ଲାବାସୀଙ୍କ ଚାହିଦା ମେଣ୍ଟାଉଥିଲେ। ଏବେ ସେହି ଚାଷୀ ଅନ୍ୟ ସ୍ଥାନର ପରିବା ଉପରେ ନିର୍ଭରଶୀଳ ହୋଇପଡ଼ିଛନ୍ତି। ତାହା ପୁଣି ଆକାଶଛୁଆଁ ଦର ହୋଇଯାଇଛି। ବନ୍ୟାର ପ୍ରଖର ସ୍ରୋତ ସାଙ୍ଗକୁ ବହୁ ସମୟ ଧରି ଜମିରେ ପାଣି ଜମି ରହିବାରୁ ଆଗାମୀ ଫସଲକୁ ନେଇ ମଧ୍ୟ ଅନେକ ଚାଷୀ ଚିନ୍ତା ପ୍ରକଟ କରିଛନ୍ତି। ଏବେ ସୁଦ୍ଧା ଉପଖଣ୍ଡର ଶିମିଳିପୁର, ହରିରାଜପୁର, ତୁଳସୀପୁର, ଢଁସର, ପାଟପୁର, ଗୋପାଳପୁର, କୁସପଙ୍ଗୀ, ପାଥପୁର, ଭଗୀପୁର, ସୁବର୍ଣ୍ଣପୁର, ରାମଚନ୍ଦ୍ରପୁର, ଗୋଳାଗଣ୍ଡ, ବଳଭଦ୍ରପୁର ଆଦି ପଞ୍ଚୟତର ଅନେକ ଚାଷଜମିରେ ବନ୍ୟାଜଳ ଜମି ରହିଛି। କେତେକ ସ୍ଥାନରେ ବନ୍ୟା ଛାଡ଼ିବା ପରେ ଜମି ବାଲିଚର ହୋଇ ଯାଇଥିବା ଏବଂ ନାଗାଦଳ ମାଡ଼ି ରହିଥିବା ଦେଖିବାକୁ ମିଳିଛି। ରଣନଦୀ ତଟରେ ପନିପରିବା ଚାଷ କରୁଥିବା ଚାଷୀ ପ୍ରଶାନ୍ତ କୁମାର ରାଉତରାୟଙ୍କ ସୂଚନା ମୁତାବକ, ସେ ୨ ଏକର ଜମିରେ ପନିପରିବା ଫସଲ କରିଥିଲେ।

Advertisment

ବନ୍ୟାରେ ତାହା ସମ୍ପୂର୍ଣ୍ଣ ଉଜୁଡ଼ି ଯାଇଛି। ପାଣି ଛାଡ଼ୁ ନ ଥିବାରୁ ଆଗାମୀ ଋତୁରେ ଚାଷକାର୍ଯ୍ୟ କରିବା ମଧ୍ୟ କାଠିକର ପାଠ ହୋଇପଡ଼ିବ ବୋଲି ସେ ପ୍ରକାଶ କରିଛନ୍ତି। ସେହିପରି ପ୍ରଶାସନର ପ୍ରାଥମିକ ଆକଳନ ଅନୁସାରେ ୪ ହଜାର ୩୧୦ ହେକ୍ଟର ପନିପରିବା ଚାଷଜମି ଏବଂ ୮ ହଜାର ୯୨୫ ହେକ୍ଟର ଧାନଜମି କ୍ଷତିଗ୍ରସ୍ତ ହୋଇଛି। ବନ୍ୟ‌ାଜଳ ସମ୍ପୂର୍ଣ୍ଣ ଛାଡ଼ିବା ପରେ କ୍ଷୟକ୍ଷତି ଆକଳନ କରାଯିବ ବୋଲି କୃଷି ବିଭାଗ ପକ୍ଷରୁ କୁହାଯାଇଛି। ଯଥାଶୀଘ୍ର କ୍ଷୟକ୍ଷତି ଆକଳନ କରି ସରକାରୀ ସହାୟତା ପ୍ରଦାନ ସହ କୃଷିଋଣ ଛାଡ଼ କରିବାକୁ ଅନେକ ଚାଷୀ ଦାବି କରିଛନ୍ତି। ଅନ୍ୟପଟେ, ମାତ୍ରାଧିକ ରାସାୟନିକ ସାର ପ୍ରୟୋଗ ଦ୍ବାରା ଜମିର ଉର୍ବରତା କମି ଯାଇଥିଲା। ବନ୍ୟାରେ ଲବଣାଂଶ ଧୋଇଯିବାରୁ ଜମି ତା’ର ପ୍ରାକୃତିକ ଉର୍ବରତା ଫେରି ପାଇବ ଉପରେ କିଛି ପୁରୁଖା ଚାଷୀ ଆଶା ବ୍ୟକ୍ତ କରିଛନ୍ତି। ଏବେ ବାଙ୍କୀର ଚାଷୀ ଦୃଢ଼ ଆଶା ରଖି ଆଗାମୀ ଋତୁରେ ଜମିକୁ ଉତ୍ପାଦନକ୍ଷମ କରିବା ଲାଗି ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିଦେଇଥିବା ଦେଖିବାକୁ ମିଳିଛି।