ଖୋର୍ଦ୍ଧା : ଗତ ତିନିଦିନ ଧରି ଚାଲିଥିବା ଆକାଶଫଟା ବର୍ଷାରେ ଖୋର୍ଦ୍ଧା ଗ୍ରାମାଂଚଳ ଉବୁଟୁବ ହେଲାଣି । ମାସକରେ ଯେତିକି ବର୍ଷା ପଡ଼ିବା କଥା ତିନିଦିନରେ ସେତିକି ବର୍ଷା ହୋଇଛି । ଆଜି ଜିଲ୍ଳାର ବର୍ଷାଜନିତ ପ୍ରଥମ ମୃତ୍ୟୁ ରେକର୍ଡ କରାଯାଇଥିବା ବେଳେ ବର୍ଷାଯୋଗୁଁ ଜିଲ୍ଲାର ୩୨ଟି ଗାଁ ଓ ୨ଟି ପୌରାଂଚଳ ପ୍ରଭାବିତ ହୋଇଛି । ପାଣିପାଗ ବିଭାଗର ସୂଚନାନୁସାରେ ବର୍ଷା ଆହୁରି ୨୪ ଘଂଟା ବଳବତ୍ତର ରହିବ । ଏପରିସ୍ଥଳେ ଆହୁରି ଧନଜୀବନ ହାନୀ ହେବା ଆଶଙ୍କା ସୃଷ୍ଟି ହୋଇଛି ।
ସେପ୍ଟେମ୍ବର ମାସରେ ସ୍ୱାଭାବିକ ଭାବେ ହାରାହାରି ୨୩୪.୫ ମିମି ବର୍ଷା ହୋଇଥାଏ । କିନ୍ତୁ ଗତ ତିନିଦିନ ମଧ୍ୟରେ ହାରାହାରି ୨୨୨ ମିମି ବର୍ଷା ହୋଇଛି । ୧୧ ଓ ୧୨ ତାରିଖରେ ଲଗାଣ ବର୍ଷା ଜାରି ରହିଥିଲା । ଦୁଇଦିନରେ ହାରାହାରି ୩୮ ମିମି ବର୍ଷା ହୋଇଥିବା ବେଳେ ଆଜି ଗତ ୭ ଦଶନ୍ଧୀର ସମସ୍ତ ରେକର୍ଡ ଭାଙ୍ଗିଛି । ଆଜି ଅପରାହ୍ଣ ୩ଟା ସୁଦ୍ଧା ବାଲିପାଟଣାରେ ରେକର୍ଡ ୨୮୦.୫ ମିମି ବର୍ଷା ହୋଇଥିବା ହୋଇଥିବା ବେଳେ ବାଲିଅନ୍ତାରେ ସର୍ବନିମ୍ନ ୮୨ ପ୍ରତିଶତ ବର୍ଷା ରେକର୍ଡ କରାଯାଇଛି । ସେହିଭଳି ଭୁବନେଶ୍ୱର ବ୍ଲକରେ ୨୦୯.୧ ମିମି, ଜଟଣୀରେ ୧୫୨ମିମି, ବାଣପୁରରେ ୧୩୯ ମିମି, ବେଗୁନିଆରେ ୯୫ ମିମି, ବୋଲଗଡ଼ରେ ୧୪୮ ମିମି, ଚିଲିକାରେ ୧୬୦ ମିମି, ଖୋର୍ଦ୍ଧାରେ ୧୬୪ ମିମି, ଟାଙ୍ଗୀରେ ୨୦୨.୪ ମିମି ବର୍ଷା ଏଭଳି ଗୋଟିଏ ଦିନରେ ହାରାହାରି ୧୬୩.୨ ମିମି ବର୍ଷା ରେକର୍ଡ କରାଯାଇଛି ।
ଲଗାଣ ବର୍ଷା ଓ ତଦ୍ଜନିତ କ୍ଷୟକ୍ଷତି ଏବଂ ପ୍ରଶାସନର ପ୍ରସ୍ତୁତି ସମ୍ପର୍କରେ ସୂଚନା ଦେଇ ଅତିରିକ୍ତ ଜିଲ୍ଳାପାଳ ମନୋଜ ପାଢ଼ୀ କହିଛନ୍ତି ଯେ ସମସ୍ତ ବ୍ଲକର ବିଡିଓ, ତହସିଲଦାର ଓ ପୌରାଂଚଳର ନିର୍ବାହୀ ଅଧିକାରୀଙ୍କ ସମେତ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟିକୁ ବାତିଲ କରାଯାଇଛି । ସେମାନଙ୍କୁ ୨୪ ଘଂଟା ପ୍ରସ୍ତୁତ ରହିବାକୁ କୁହାଯାଇଛି । ବର୍ଷା ଲାଗିରହିଥିବାରୁ ଅନେକ ସ୍ଥାନରେ ରାସ୍ତାଉପରେ ପାଣି ଚାଲି ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି । ବର୍ଷା ଛାଡ଼ିବାକୁ ଅପେକ୍ଷା କରାଯାଇଛି, ଯଦି ରାସ୍ତାଗୁଡ଼ିକ ଉପରୁ ଜଳସ୍ତର ହ୍ରାସନପାଏ ତେବେ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିବାକୁ ନିର୍ଦେଶ ଦିଆଯାଇଛି । ଖୋର୍ଦ୍ଧା ଜିଲ୍ଲାରେ ମହାନଦୀର ପଛୁଆପାଣି ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥାଏ, ଏଣୁ ଏନେଇ ଆଗୁଆ ପଦକ୍ଷେପ, ଖାଦ୍ୟ, ଡଙ୍ଗା, ଔଷଧ ଆଦି ସମୟ ପ୍ରସ୍ତୁତ ରହିବାକୁ କୁହାଯାଇଛି ।
ଜିଲ୍ଳା ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନାରେ, ବର୍ତମାନ ସୁଦ୍ଧା ଜିଲ୍ଲାର ୧୮ଟି ପଂଚାୟତର ୩୨ଟି ଗାଁ ଏବଂ ଜଟଣୀ ଓ ଖୋର୍ଦ୍ଧା ଦୁଇଟି ପୌରାଂଚଳ ଲଗାଣ ବର୍ଷା ଦ୍ୱାରା ବିଶେଷ ପ୍ରଭାବିତ ହୋଇଛି । ଏହାଦ୍ୱାରା ଅପରାହ୍ଣ ସୁଦ୍ଧା ମିଳିଥିବା ସୂଚନାରେ ୧୨୫୭ଜଣ ପ୍ରଭାବିତ ହୋଇଥିବା ବେଳେ ୯୮ଟି ଘର ଭାଙ୍ଗିଛି । ଭଙ୍ଗାଘର ମଧ୍ୟରୁ ୯୫ଟି ଆଂଶିକ ଓ ୩ଟି ସଂପୂର୍ଣ୍ଣ ଭାଂଗିଛି । ସେହିଭଳି ଆଜି ସକାଳେ ଜିଲ୍ଳାରେ ପ୍ରଥମ ବର୍ଷା ଜନିତ ମୃତ୍ୟୁ ଟାଙ୍ଗୀ ବ୍ଲକରେ ଘଟିଛି । ନୂଆପଡ଼ା ପଂଚାୟତର ମୋରମୋରସିଂହ ଗାଁର କମ୍ବେଶ୍ୱର ପାଟ୍ଟଷାଣୀ(୨୯) ନିଜ ଜମିରୁ ବଢ଼ିଜଳ ନିଷ୍କାସନ କରିବା ବେଳେ ନିକଟସ୍ଥ କେନାଲ୍ରେ ଭାସିଯିବା ଫଳରେ ମୃତ୍ୟୁ ଘଟିଛି । ସେହିଭଳି କୃଷିବିଭାଗର ସୂଚନାନୁସାରେ, ଆଜି ଅପରାହ୍ଣ ସୁଦ୍ଧା ବିଭିନ୍ନ ଫିଲ୍ଡ କର୍ମଚାରୀଙ୍କ ଠାରୁ ମିଳିଥିବା ସୂଚନାରେ ୧୫ ଏକର ଚାଷଜମି ଧୋଇ ହୋଇଯାଇଛି । ସେହିଭଳି ରାଉତପଡ଼ା ପଂଚାୟତରେ ବର୍ଷା ଯୋଗୁଁ ଦୁଇଟି ବିଦ୍ୟୁତ୍ ଖୁଣ୍ଟ ଉପୁଡ଼ି ପଡ଼ିଛି । ତେବେ ଏହାପୂର୍ବରୁ ବିଦ୍ୟୁତ୍ ସରବରାହ ବନ୍ଦ ରହିଥିବାରୁ ଏହାଦ୍ୱାରା କୌଣସି କ୍ଷୟକ୍ଷତି ହୋଇନାହିଁ । ସେହିଭଳି ଡିଙ୍ଗର ପଂଚାୟତର ଭୁଆଷୁଣିପାଟଣା ହାଇସ୍କୁଲର ଶ୍ରେଣୀଗୃହଗୁଡ଼ିକ ବର୍ଷାଯୋଗୁଁ ଭାଙ୍ଗିଯାଇଛି । ବର୍ଷାକୁ ଦୃଷ୍ଟିରେ ରଖି ସ୍କୁଲ ବନ୍ଦ ପାଇଁ ନିର୍ଦେଶ ଦିଆଯାଇଥିବାରୁ ବଡ଼ଧରଣ ଅଘଟଣ ଘଟିନାହିଁ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/08/rain-in-Odisha-website-2.jpg)