ବାରିପଦା : ଶିମିଳିପାଳର ଉପରମୁଣ୍ଡରେ ପ୍ରବଳ ବର୍ଷା କାରଣରୁ ମୟୂରଭଞ୍ଜରେ ବନ୍ୟା ପରିସ୍ଥିତି ଉପୁଜିଛି। ଆଜି ସକାଳୁ ପୁରା ଜିଲ୍ଲାରେ ଅବିଶ୍ରାନ୍ତ ବର୍ଷା ଲାଗିରହିଛି। ଏହା ଫଳରେ ଜିଲ୍ଲାର ପ୍ରମୁଖ ନଦୀ ବୁଢ଼ାବଳଙ୍ଗରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି ।
ଲଗାଣ ବର୍ଷା ଯୋଗୁଁ ରସକଣା ବ୍ଲକ ଧାଙ୍ଗୁଡିଷୋଳ ପଞ୍ଚାୟତ ଅସନାଷୋଳ ଗ୍ରାମର ରାମ ସିଂ(୪୭)ଙ୍କ ଘର କାନ୍ଥ ପଡି ମୃତ୍ୟୁ ଘଟିଛି ।
ସେହିପରି ସୋନ,ପଳପଳା, ଗଙ୍ଗାହାର, ସୁବର୍ଣ୍ଣରେଖା ଆଦି ନଦୀ ଏବଂ ଏକାଧିକ ଉପନଦୀଗୁଡିକ କୁଳ ଲଙ୍ଘିଛି। ଯାହାଫଳରେ ବାରିପଦା, ଶ୍ୟାମାଖୁଣ୍ଟା, ବାଙ୍ଗିରିପୋଷି, କୁଳିଅଣା, ଖୁଣ୍ଟା, ସାରସକଣା, ଉଦଳା, ବେତନଟୀ ଆଦି ବ୍ଲକ ସମେତ ବିଭିନ୍ନ ଅଞ୍ଚଳରେ ବନ୍ୟା ବିତ୍ପତି ଦେଖାଦେଇଛି। ବାଙ୍ଗିରିପୋଷି ବ୍ଳକରେ ଏକ ସ୍ଥାନରେ ପୋଲ ଭାସିଯାଇଛି। ଖୁଣ୍ଟା ବ୍ଲକ ଅନ୍ତର୍ଗତ ନାଲହୁଆ ନଦୀ ପାଣି ମୁଖ୍ୟ ରାସ୍ତାରେ ପ୍ରବାହିତ ହେଉଛି । ଯାହା ଫଳରେ ବାରିପଦା-ଉଦଳା ମଧ୍ୟରେ ଯୋଗାଯୋଗ ବିଛିନ୍ନ ହୋଇଯାଇଛି । ଶ୍ୟାମାଖୁଣ୍ଟା ବ୍ଳକ ବାଲଡିହା ଡ୍ୟାମ ନିକଟରେ ମଧ୍ୟ ଉଛୁଳା ପାଣି ଆଶଂକାର କାରଣ ସାଜିଛି। ବାରିପଦା ପୌରପାଳିକାର ୱାର୍ଡ ନଂ ୭ ଓ ୯ର କିଛି ଅଞ୍ଚଳରେ ବୁଢ଼ାବଳଙ୍ଗ ପାଣି ପଶିଯାଇଛି। ଯାହାଫଳରେ ସ୍ଥାନୀୟ ଅଧିବାସୀଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ବାରିପଦା ଉପଜିଲ୍ଲାପାଳ ତଥା ବାରିପଦା ପୌରପାଳିକା ନିର୍ବାହୀ ଅଧିକାରୀ ଅନ୍ୟା ଦାସ ଘଟଣାସ୍ଥଳ ପରିଦର୍ଶନ କରି ସ୍ଥିତି ପରଖିଛନ୍ତି। ଜିଲ୍ଲାର ସମସ୍ତ ଜଳଭଣ୍ଡାରରେ ମଧ୍ୟ ପାଣି ଅଧିକ ଥିବାରୁ ଜଳ ଛଡ଼ାଯାଉଛି। ସମ୍ପୂର୍ଣ୍ଣ ଜିଲ୍ଲାରେ ଅଧିକାରୀମାନଙ୍କୁ ସଜାଗ ହୋଇ ରହିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/WhatsApp-Image-2021-09-15-at-14.15.15.jpeg)