ବନ୍ୟାସ୍ଥିତି ଧୀରେ ଧୀରେ କମୁଛି, ୭ଟି ଗାଁରୁ ୫୬୫ ଲୋକଙ୍କୁ ଉଦ୍ଧାର କରିଛୁ: ଜିଲ୍ଲାପାଳ

ମାଲକାନଗିରି: ମାଲକାନଗିରି ଜିଲ୍ଲାର କାଲିମେଳା ବ୍ଲକର ମୋଟୁ ଏବଂ ପୁଷୁଗୁଡା ପଞ୍ଚାୟତର ୭ଟି ଗ୍ରାମର ୫୬୫ ଲୋକଙ୍କୁ ବର୍ତ୍ତମାନ ସୁଦ୍ଧା ଉଦ୍ଧାର କରିସାରିଥିବା ଆଜି ଜିଲ୍ଲାପାଳ ବିଶାଲ ସିଂହ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି। ଗତ ତିନିଦିନ ଧରି ବନ୍ୟା ଜଳ କମୁନଥିବା ବେଳେ ଆଜି ପ୍ରାୟ ସ୍ଥିତି ଠିକ ଥିବା ସେ କହିଥିଲେ। ପ୍ରାୟ ୮୦ ମିଟର ପଛକୁ ବନ୍ୟା ଜଳ ଫେରିଥିବା ସେ କହିଥିଲେ। ମୋଟୁକୁ ଲାଗି ରହିଥିବା ସାବେରୀ ନଦୀର ଜଳ ମଧ୍ୟ ଧୀରେ ଧୀରେ କମିବାକୁ ଲାଗୁଛି। ଭଦ୍ରାଞ୍ଚଲମର ପାଣି ଲେଭେଲ ମଧ୍ୟ ଧୀରେ ଧୀରେ କମିବାକୁ ଲାଗିଛି। ଆଜି ଅଳ୍ପ ମାତ୍ରାରେ ସ୍ଥିତି ସୁଧାରିଛି। ଆଶା କରୁଛୁ ଦିନେ ଦୁଇଦିନ ମଧ୍ୟରେ ସ୍ଥିତି ସାମାନ୍ୟ ହେବ। କିନ୍ତୁ ଆସନ୍ତା ତିନିଦିନ ପୁଣି ବର୍ଷା ଲାଗି ରହିବ ବୋଲି ଯେଉଁ ସୂଚନା ମିଳିଛି ତାହା ହେଲେ କମୁଥିବା ପାଣି ପୁଣି ବଢିବ ଏବଂ ସ୍ଥିତି ଅସମ୍ଭାଳ ହେବ।

ତେବେ ଏଥିରେ କୌଣସି ଭୟ କରିବାର ନାହିଁ। ମୋର ସମସ୍ତ ଅଧିକାରୀଙ୍କୁ ବନ୍ୟାଞ୍ଚଳରେ ନିୟୋଜିତ କରିଛି। ଯଦି ଦରକାର ପଡେ ତେବେ ଆହୁରି ଅଧିକା ଅଧିକାରୀଙ୍କୁ ନିୟୋଜିତ କରାଯିବ। ପୋଲାଭରମ ଯୋଗୁଁ ଏହି ବନ୍ୟା ହେଉଥିବା ପରୋକ୍ଷରେ ଜିଲ୍ଲାପାଳ ସ୍ବୀକାର କରିଛନ୍ତି। ଯଦି ପୋଲାଭରମରେ ଯେଉଁ ଡିଜାଇନ ହୋଇଛି। ତାହା ୫୦ ଲକ୍ଷ କ୍ୟୁସେକ ରହେ ତେବେ ମାଲକାନଗିରିର ୧୦ରୁ ଉର୍ଦ୍ଧ୍ବ ଗ୍ରାମ ବୁଡିବା ସହ ୧୦ ହଜାରରୁ ଅଧିକା ହେକ୍ଟର ଜମି ପାଣିରେ ବୁଡିବ ଏବଂ ୭ ହଜାରରୁ ଉର୍ଦ୍ଧ୍ବ ଲୋକ ବିସ୍ଥାପିତ ହେବେ। ସେଥିମଧ୍ୟରୁ ୫ ହଜାରରୁ ଉର୍ଦ୍ଧ୍ବ ଆଦିବାସୀ ରହିଛନ୍ତି। ତେବେ ଆଗାମୀ ତିନିଦିନ କିପରି କଟିବ ତାହା ଦେଖିବାକୁ ବାକି ରହିଲା।

ସମ୍ବନ୍ଧିତ ଖବର