ମହାନଦୀର ପଛୁଆ ପାଣିରେ ଖୋର୍ଦ୍ଧାର ୩ ପଞ୍ଚାୟତରେ ବନ୍ୟା ସ୍ଥିତି, ପ୍ରଶାସନ ପାଖରେ ଖବର ନାହିଁ କି ତଥ୍ୟ ନାହିଁ

ଖୋର୍ଦ୍ଧା: ହୀରାକୁଦର ଫାଟକ ଖୋଲିଲେ ଖୋର୍ଦ୍ଧା, ଟାଙ୍ଗୀ, ବୋଲଗଡ଼ ଓ ବେଗୁନିଆ ବ୍ଲକର ଅନେକ ଗାଁରେ ମହାନଦୀର ପଛୁଆ ପାଣିରେ ବଢ଼ି ସୃଷ୍ଟି ହୁଏ । ଚଳିତ ବର୍ଷ ମଧ୍ୟ ଲଘୁଚାପ ଜନିତ ଲଗାଣ ବର୍ଷା ଓ ହୀରାକୁଦ ବନ୍ଧର ଫାଟକ ଖୋଲିଛି ଏବଂ ଖୋର୍ଦ୍ଧାା ବ୍ଲକର ୩ଟି ପଂଚାୟତର ୧୦ରୁ ଉର୍ଧ୍ବ ଗାଁରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା ପ୍ରଶାସନ ନିକଟରେ ଡଙ୍ଗା ମୁତୟନ ବ୍ୟତୀତ ବନ୍ୟା ସ୍ଥିତି ନେଇ କୌଣସି ସୂଚନା କିମ୍ବା ତଥ୍ୟ ନାହିଁ  ।

ଗତକାଲି ରାତିରେ ରାଜୁଆ, ଦୟା, ମଲାଗୁଣି ଆଦି ନଦୀରେ ମହାନଦୀର ପଛୁଆ ପାଣି ପ୍ରବେଶ କରିଥିଲା । ଫଳରେ ଖୋର୍ଦ୍ଧା ବ୍ଲକର ନରଣଗଡ଼, ଓରବରସିଂହ ଓ ବ୍ରଜମୋହନପୁର ପଂଚାୟତର ୧୦ରୁ ଉର୍ଧ୍ବ ଗାଁରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ତେବେ ଡିହଖଳା, ହିରିମୂଳ ଓ ଓରବରସିଂହ ଗାଁ ସଂପୂର୍ଣ୍ଣ ଭାବେ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଯାଇଛି । ଗତକାଲି ରାତିରେ ନରଣଗଡ଼ ଓ ଓରବରସିଂହ ପଂଚାୟତର ୮ଟି ଗାଁରେ ବନ୍ୟାଜଳ ପଶିଥିଲା ।

ଆଜି ସକାଳେ ବ୍ରଜମୋହନପୁର ପଂଚାୟତର ୨ଟି ଗାଁରେ ପାଣିପଶିଛି । ବର୍ତମାନ ଓରବରସିଂହ ପଂଚାୟତର ହିରିମୂଳ, ଡିହଖଳା, ଓରବରସିଂହ, ମଶାଣିଆ, କୃଷ୍ଣପୁର, ରାୟପୁର, ତେନ୍ତୁଳିମୁହଁ, ଲେଖନପୁର, ନରଣଗଡ଼ ପଂଚାୟତର ମାନପୁର, ଓରମୀ, ଧବଳପୁର, ବଳପୁର, ବ୍ରଜମୋହନପୁର ପଂଚାୟତର ବ୍ରଜମୋହନପୁର ଗାଁରେ ପାଣିପଶିଥିବା ଜଣାଯାଇଛି ।

ଗୋଟିଏ ପଟେ ମହାନଦୀର ପଛୁଆ ପାଣି ଗାଁ ଭିତରେ ପଶି ଲୋକେ ହନ୍ତସନ୍ତ ହେଉଥିବା ବେଳେ ଆଜି ୨-୩ଘଂଟା ଧରି ହୋଇଥିବା ପ୍ରବଳ ବର୍ଷା ପରିସ୍ଥିତିକୁ ଆହୁରି ଗୁରୁତର କରିଛି । ଅନେକ ସ୍ଥାନରେ ବନ୍ୟାଜଳ ୩-୪ଫୁଟ ପ୍ରବାହିତ ହେଉଥିବା ବେଳେ ଗାଁ ନିକଟସ୍ଥ ଶତାଧିକ ଏକର ଚାଷଜମି ବନ୍ୟାଜଳ ଦ୍ୱାରା ନଷ୍ଟ ହୋଇଯାଇଛି ।

ଆଜି ବନ୍ୟାଂଚଳ ଗସ୍ତ ସମୟରେ ଖୋର୍ଦ୍ଧା ତହସିଲଦାର ପଦ୍ମଚରଣ ସାହୁ ଓ ରାଜସ୍ୱନିରୀକ୍ଷକଙ୍କ ବ୍ୟତୀତ ଅନ୍ୟ କୌଣସି ସରକାରୀ ଅଧିକାରୀଙ୍କ ଦେଖା ମିଳିନଥିଲା । ବନ୍ୟାସ୍ଥିତି ସମ୍ପର୍କରେ ତହସିଲଦାର ଶ୍ରୀ ସାହୁଙ୍କୁ ପଚାରିବାରେ ସେ କହିଛନ୍ତି ଯେ ଗତକାଲି ରାତି ଓ ଆଜି ସକାଳେ ତାଙ୍କ ଟିମ୍ ହିରିମୂଳ ଓ ମାନପୁର ଗସ୍ତ କରିଛନ୍ତି । ସେଠାରେ ବୋଟ ମୁତୟନ ରହିଛି । ୨୫ ଜଣ ମାନପୁର ବାତ୍ୟା ଆଶ୍ରୟସ୍ଥଳିରେ ରଖାଯାଇଛି ଓ ସେମାନଙ୍କ ରନ୍ଧାଖାଦ୍ୟ ବ୍ୟବସ୍ଥା କରିବାକୁ ସରପଂଚଙ୍କୁ ଦାୟିତ୍ୱ ଦିଆଯାଇଛି । ଗୋଟିଏ ମେଡିକାଲ୍ ଟିମ୍ ମଧ୍ୟ ହିରିମୂଳରେ ଅଛନ୍ତି । ଆସନ୍ତା କାଲି ହିରିମୂଳର ୩୨ଟି ପରିବାରକୁ ପଲିଥିନ୍ ଦିଆଯିବ ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରତିବର୍ଷ ଖୋର୍ଦ୍ଧା ବ୍ଲକର ଏହି ସମସ୍ତ ପଂଚାୟତରେ ବନ୍ୟା ଏକ ସ୍ୱାଭାବିକ ଘଟଣା । ପ୍ରତିବର୍ଷ ମୌସୁମୀ ଆରମ୍ଭରୁ ଏହି ଅଂଚଳରେ ବନ୍ୟା ସ୍ଥିତି ନିୟନ୍ତ୍ରଣ ପାଇଁ ପ୍ରଶାସନ ପକ୍ଷରୁ ବୈଠକ ମଧ୍ୟ ହୁଏ । ବନ୍ୟା ପରିସ୍ଥିତି ମୁକାବିଲା ପାଇଁ ପ୍ରଶାସନ ପ୍ରସ୍ତୁତ ଥିବା କଥା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହୁଏ । କିନ୍ତୁ ବାସ୍ତବରେ, ସବୁ ବର୍ଷ ବନ୍ୟା ଜଳ ଗାଁ ମଧ୍ୟରେ ପ୍ରବେଶ କରିବାରୁ ୩-୪ ଦିନ ପରେ ଯାଇ ପ୍ରଶାସନ ଗାଁ ଲୋକଙ୍କ ନିକଟରେ ପହଂଚନ୍ତି ।

ଚଳିତ ବର୍ଷ ମଧ୍ୟ ଅନୁରୂପ ପରିସ୍ଥିତି ଦେଖିବାକୁ ମିଳିଛି, ବନ୍ୟାଂଚଳରେ ତହସିଲଦାର ଓ ଆରଆଇଙ୍କ ବ୍ୟତୀତ ଅନ୍ୟ କୌଣସି ଅଧିକାରୀଙ୍କ ଦେଖାମିଳିନାହିଁ । କିନ୍ତୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଏନେଇ ଦାୟିତ୍ୱରେ ଥିବା ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଅନୁଜ ଦାସପଟ୍ଟନାୟକ କିମ୍ବା ଜରୁରୀକାଳୀନ ଅଧିକାରୀ ସଂଘମିତ୍ରା ବେହେରା, କିମ୍ବା ଅନ୍ୟ ଜିଲ୍ଲାସ୍ତରୀୟ କି ଉପଖଣ୍ଡସ୍ତରୀୟ ଅଧିକାରୀଙ୍କ ନିକଟରେ ବନ୍ୟା ସ୍ଥିତି ଓ ଏହାର ମୁକାବିଲା ନେଇ ଆଜି ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ କୌଣସି ତଥ୍ୟ କିମ୍ବା ସୂଚନା ନାହିଁ ।

ସମ୍ବନ୍ଧିତ ଖବର