ଛାଡିଲା ବର୍ଷା ହେଲେ ଛିଣ୍ଡୁନି ପାଣି ; ଚାଷ ଜମି ଜଳମଗ୍ନ 

ଭଞ୍ଜନଗର : ସବୁଜ ଶ୍ୟାମଳ ଦିଶୁଥିବା କ୍ଷେତ ଆଜି ପୋଖାରୀର ଭ୍ରମ ସୃଷ୍ଟି କରୁଛି। ଲଘୁଚାପ ପ୍ରଭାବରେ ଗତ ଦୁଇ ଦିନର ଲଗାତାର ବର୍ଷା ଚାଷୀର ମେରୁଦଣ୍ଡକୁ ଦୋହଲାଇ ଦେଇଛି। ବର୍ଷା ଜଳ ଧାନ ଗଛ ଉଚ୍ଚରେ ଜମିରେ ଲହଡି ମାରୁଛି। ପ୍ରବଳ ବର୍ଷା ଯୋଗୁଁ ନଦୀ ନାଳରେ ଜଳସ୍ତର ବୃଦ୍ଧି ହୋଇଛି। ଦୁଇ କୂଳ ଧାରରେ ନଦୀରେ ପାଣି ପ୍ରବାହିତ ହେଉଛି । କେନାଲଗୁଡିକରେ ମଧ୍ୟ ପାଣି ଭର୍ତ୍ତି ହୋଇଥିବାର ଦେଖିବାକୁ ମିଳିଛି। ଯାହା ଫଳରେ ଚାଷ ଜମିରୁ ବର୍ଷାପାଣି ନିଷ୍କାସିତ ହୋଇପାରୁ ନାହିଁ। ଆଜି ସକାଳୁ ବର୍ଷାର ମାତ୍ରା କମିଥିବା ବେଳେ ନଦୀର ସ୍ରୋତ କମିନାହିଁ। ଯାହାକି ଜମିରେ ପାଣି ନିଷ୍କାସନ ହେବାରେ ବାଧା ସୃଷ୍ଟି ହେଉଛି। ନିଅଣ୍ଟିଆ ବର୍ଷା ପାଇଁ ଚଳିତ ବର୍ଷ ଖରିଫ ଚାଷ ପାଇଁ ହୋଇଥିବା ବୁଣା ତଳି ନଷ୍ଟ ହୋଇଯାଇଥିବା ବେଳେ ଚାଷୀ ମାନେ ପୁଣି ତଳି ବୁଣି ଯେନତେନ କ୍ଷେତକୁ ବଞ୍ଚାଇବାକୁ ପ୍ରୟାଶ କରିଥିଲେ। ବର୍ତ୍ତମାନ ବର୍ଷା ଜଳ କିପରି ନିଷ୍କାସନ ହେବ ସେ ନେଇ ଚିନ୍ତାରେ ପଡିଛନ୍ତି ଚାଷୀକୂଳ।

ଗଞ୍ଜାମ ଜିଲ୍ଲାରେ ପ୍ରାକୃତିକ ବିପର୍ଯ୍ୟୟ ପିଛା ଛାଡୁନି। ପ୍ରତ୍ୟେକ ବର୍ଷ ସେପ୍ଟେମ୍ବର ଆଉ ଅକ୍ଟୋବର ମାସ ଆଡ଼କୁ ପ୍ରକୃତି ଦାଉ ସାଧୁଛି। ଯେଉଁଥିରେ ସାଧାରଣ ଲୋକ ପ୍ରଭାବିତ ହେଉଥିବା ବେ୍ଳେ ବିଶେଷ ମାତ୍ରାରେ ଚାଷୀର ବହୁ ଫସଲ ନଷ୍ଟ ହୋଇଯାଇଛି। ଗତ ଦୁଇ ଦିନ ଧରି ଅବିଶ୍ରାନ୍ତ ଭାବେ ବର୍ଷା ହେଉଥିବାରୁ ନଦୀ ଓ ଜଳଭଣ୍ଡାରରେ ପାଣି ଭରି ହୋଇ ରହିଛି। ଏଥିସହ କେନାଲ ଗୁଡିକରେ ମଧ୍ୟ ପାଣି ଭର୍ତ୍ତି ହୋଇ ରହିଥିବା ବେଳେ ଚାଷ ଜମିରେ ପାଣି ମାଡୁଛି। ଭଞ୍ଜନଗର- ବେଲଗୁଣ୍ଠା ରାସ୍ତାର ତନରଡା ନିକଟରେ ରହିଥିବା ଚାଷ ଜମିରେ ପାଣି ଭର୍ତ୍ତି ହୋଇରହିଛି। ସେହିପରି ଦଦରଲୁଣ୍ଡା ପଞ୍ଚାୟତରେ ମଧ୍ୟ ବିସ୍ତୀର୍ଣ୍ଣ ଇଲାକାରେ ଧାନ କ୍ଷେତରେ ପାଣି ଜମି ଘାଇର ଭ୍ରମ ସୃଷ୍ଟି କରୁଛି। ଗୋଟିଏ କିମ୍ବା ଦୁଇଟି ନୁିହେଁ ଭଞ୍ଜନଗର ଅଞ୍ଚଳର ଅନେକ ଖାଲୁଆ ଜାଗାରେ ଥିବା କ୍ଷେତରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଧାନ କ୍ଷେତରେ ଆଣ୍ଠୁଏ ଉଚ୍ଚତାରେ ପାଣି ଲହଡି ମାରୁଛି। ଧାନ ଗଛରେ ପିଲ ଧରିବାରେ ଲାଗିଥିବା ବେଳେ ବର୍ଷା ଜଳରେ ତାହା ବୁଡି ହୋଇ ରହିଛି। ତିନି ଦିନ ହେଲା ପାଣିରେ ଧାନ ଗଛ ବୁଡି ରହିଥିବା ବେଳେ ପାଣି ନିଷ୍କାସନ ମଧ୍ୟ ହୋଇପାରୁ ନାହିଁ। ଜମିରୁ ଏହି ବର୍ଷା ଜଳ କେବେ ନିଷ୍କାସିତ ହେବ ସେ ନେଇ ଚାଷୀ ଚିନ୍ତାରେ ବସିଛି। ବର୍ଷାର ମାତ୍ରା କମିଥିଲେ ମଧ୍ୟ ମଝିରେ ମଝିରେ ପୁଣି ବର୍ଷା ହେଉଛି। ଆଗାମୀ ଦିନରେ ମଧ୍ୟ ପୁଣି ଏକ ଲଘୁଚାପ ଜନିତ ବର୍ଷା ହେବା ନେଇ ପୂର୍ବାନୁମାନ ହୋଇଛି। ଏଭଳି ସ୍ଥିତିରେ ଚାଷ ଜମିରୁ ଯଦି ଶ୍ରୀଘ୍ର ବର୍ଷା ପାଣି ନିଷ୍କାସନ ନହୁଏ ତେବେ ପୁଣି ବର୍ଷାରେ ଚାଷ ଜମି ନଷ୍ଟ ହେବାର ସମ୍ଭାବନା ସୃଷ୍ଟି ହୋଇଛି। ଏକର ଏକର ଜମିରେ ବର୍ଷା ଜଳ ପଶିଥିବା ବେଳେ ଚାଷୀମାନେ ହୁଡାରେ ଆସି କେତେବେଳେ ଜମିରୁ ପାଣି ଖସିବ ଓ ପୁନର୍ବାର ଫସଲ କ୍ଷେତକୁ ସଜାଡିବ ସେ ନେଇ ଆଲୋଚନା କରୁଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର