ବଡ଼ମ୍ବା: କଟକ ଜିଲ୍ଲା ବଡ଼ମ୍ବା ବ୍ଲକର ଅଧିଷ୍ଠାତ୍ରୀ ଦେବୀ ମା’ ଭଟ୍ଟାରିକା ତ୍ରିପୁରା ସୁନ୍ଦରୀଙ୍କ ପୀଠରେ ମହାନଦୀର ପ୍ରଥମ ବନ୍ୟା ଜଳ ବୁଧବାର ସନ୍ଧ୍ୟାରେ ପ୍ରବେଶ କରିଛି। ଫଳରେ ମନ୍ଦିର ବେଢ଼ା ପରିସର ଓ ମା’ ମନ୍ଦିର ମୁଖ୍ୟ ଫାଟକ ପାହାଚ ଉପରେ ପ୍ରଥମ ବନ୍ୟା ଜଳ ପ୍ରବେଶ କରିଥିଲା ଏହାକୁ ନେଇ ଦେବୋତ୍ତର ଅଧିକାରୀ ତଥା ବଡ଼ମ୍ବା ତହସିଲଦାର ନିଳକଣ୍ଠ ବେହେରା ଏବଂ ଦେବୋତ୍ତର ବିଭାଗ ସୁପରଭାଇଜର ବିପିନି ପୂର୍ବାରା ଘଟଣାସ୍ଥଳରେ ପହଞ୍ଚି ମହାନଦୀ ବନ୍ୟା ଜଳର ସ୍ଥିତିକୁ ଅନୁଧ୍ୟାନ କରି ମା’ଙ୍କୁ ବନ୍ୟା ଆଶ୍ରୟସ୍ଥଳୀ ରତ୍ନଗିରି ପାହାଡକୁ ସ୍ଥାନାନ୍ତରିତ କରିଥିଲେ। ସେଠାରେ ମା’ଙ୍କ ନୀତିକାନ୍ତି ପୂଜାବିଧି ସଠିକ୍ ଭାବରେ ହେଉଛି। ସକାଳ ସମୟରେ ମା’ଙ୍କ ମନ୍ଦିର ଭିତରେ ୪ ଫୁଟ୍‌ରୁ ଅଧିକ ପାଣି ପ୍ରଭାବିତ ହେଉଥିବାର ମୁଖ୍ୟ ପୂଜକ ଶିଶିର ରଣା ସୂଚନା ଦେଇଥିଲେ। ସୂଚନା ମୁତାବକ ଦେବୋତ୍ତର ଅଧିକାରୀ ନୀଳକଣ୍ଠ ବେହେରା ସକାଳ ସମୟରେ ମା’ ଭଟ୍ଟାରିକା ପୀଠ ଓ ଗୋପୀନାଥପୁର ବାବା ସିଂହନାଥ ପୀଠକୁ ୧୪୪ ଧାରା ଜାରି କରିଛନ୍ତି। ସ୍ଥିତି ନିୟନ୍ତ୍ରଣ ନ ହେବା ପର୍ଯ୍ୟନ୍ତ ୧୪୪ ଧାରା ବଳବତ୍ତର ରହିବ ବୋଲି ଦେବୋତ୍ତର ଅଧିକାରୀ ଶ୍ରୀ ବେହେରା ସୂଚନା ଦେଇଛନ୍ତି। ଏହାସହ ୨ ପୀଠରେ ବ୍ୟାପକ ପୁଲିସ ମୁତୟନ ହୋଇଛନ୍ତି। ତହସିଲଦାର ସ୍ଥାନୀୟ‌ ଲୋକଙ୍କୁ ତାଗିତ କରିଛନ୍ତି ‌ଯେ, ମହାନଦୀରେ ନ ଗାଧେଇବା ପାଇଁ। ଭଟ୍ଟାରିକା ପୀଠର ଭଜନ ମଣ୍ଡପ ସମ୍ପୂର୍ଣ୍ଣ ବୁଡି ଯାଇଥିବା ବେଳେ ମା’ଙ୍କ ପୀଠର ସିଂହଦ୍ଵାର ପର୍ଯ୍ୟନ୍ତ ରାସ୍ତାରେ ୨ ଫୁଟ୍‌ର ପାଣି ସହ ଖେଳ ପଡିଆ ମଧ୍ୟ ବୁଡି ଯାଇଛି। ଏହାସହ ରତାପାଟ ଠାରୁ ବଙ୍ଗେରିସିଂହା ପର୍ଯ୍ୟନ୍ତ ତଳିଆ ଅଞ୍ଚଳ ପାଣିରେ ଉବୁଟୁବୁ, ସେହିପରି ଗୋବର୍ଦ୍ଧନପୁର ଉପ୍ରା ବିଦ୍ୟାଳୟରେ ବନ୍ୟା ଜଳ ପ୍ରବେଶ କରି ୩ ଫୁଟ୍‌ର ପାଣି ପ୍ରଭାହିତ ହେଉଛି।

Advertisment

publive-image Sambad

ମଙ୍ଗରାଜପୁର ଗ୍ରାମର ୨ ଜଣ ଗାଈ ମେଣ୍ଢା ନେଇ ମହାନଦୀର ପଠାରେ ଚରାଉ ଥିଲେ ହଠାତ୍ ମହାନଦୀରେ ବନ୍ୟା ପାଣି ଆସିବାରୁ ଗାଈ ମେଣ୍ଢାକୁ ଆଣି ପଠା ଭିତରୁ ଆସି ପାରିଲେ ନାହିଁ। ନଦୀ ଭିତର ପଠାର ଉଚ୍ଚ ଜାଗାକୁ ଉଠି ଯାଇଥିଲେ ସ୍ଥାନୀୟ ଲୋକ ଏହା ଦେଖି ସୂଚନା ଦେବା ପରେ ସେମାନଙ୍କୁ ଗତକାଲି ବୁଧବାର ଉଦ୍ଧାର କରାଯାଇଥିବାବେଳେ ଅମିନ ନାୟକଙ୍କ ଖୋଜ ଖବର ମିଳିପାରି ନଥିଲା। ଆଜି ଗୁରୁବାର ତହସିଲଦାର ନିଳକଣ୍ଠ ବେହେରାଙ୍କ ଉଦ୍ୟମକ୍ରମେ ଅଗ୍ନିଶମ ବିଭାଗର ସହଯୋଗରେ ନିଖୋଜ ଅମିନ ନାୟକଙ୍କୁ ଉଦ୍ଧାର କରି ବଡ଼ମ୍ବା ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏବଂ ସେ ସୁସ୍ଥ ରହିଥିବା ନେଇ ତହସିଲଦାର ସୂଚନା ଦେଇଛନ୍ତି। ତଳିଆ ଅଞ୍ଚଳ ହଜାର ହଜାର ହେକ୍ଟର ଚାଷ ଜମିରେ ବାଳୁତ ଧାନ ଓ ରୁଆ ଧାନ ବିଲରେ ମହାନଦୀର ପାଣି ପଶିବା ଦ୍ଵାରା ସବୁ ଧାନ ଫସଲ ନଷ୍ଟ ହୋଇଯାଇଛି। ଏହା ଦ୍ବାରା ଚାଷୀ ମାନଙ୍କ ମେରୁଦଣ୍ଡ ଭାଙ୍ଗି ଯାଇଛି। ସେହିପରି ବାଇଗଣ, କୋବି, କଲରା, ଝୁଡୁଙ୍ଗ ପରି ପନିପରିବା ମଧ୍ୟ ମହାନଦୀ ବନ୍ୟା ଜଳରେ ନଷ୍ଟ ହୋଇଯାଇଛି। ବିଶେଷ କରି ବିଶ୍ଵନାଥପୁର, ଗୋବର୍ଦ୍ଧନପୁର, କଣ୍ଢା, ଜନିସାହି, ଖଳିଢିପି, ମାନପୁର, ଝାଜିଆ, ଓଗାଳପୁରର ଚାଷୀ ମାନଙ୍କ ଜମିରେ ବନ୍ୟା ଜଳ ପ୍ରବେଶ କରି ଫସଲ ନଷ୍ଟ କରିଛି। ଏନେଇ ବଡ଼ମ୍ବା ତହସିଲଦାର ଚାଷୀ ମାନଙ୍କ କ୍ଷୟକ୍ଷତି ଆକଳନ କରିବା ପାଇଁ ସମସ୍ତ ଆରଆଇ ମାନଙ୍କୁ ନିର୍ଦ୍ଧେଶ ଦେଇଛନ୍ତି।