ତେଲକୋଇ: ଲଗାଣ ବର୍ଷାରେ କେନ୍ଦୁଝର ଜିଲ୍ଲାର ଉପାନ୍ତ ତେଲକୋଇ ବ୍ଲକ ଭୀମକାଣ୍ଡ ପଞ୍ଚାୟତ ଅନ୍ତର୍ଗତ କାଣ୍ଡପଶିସ୍ଥିତ ଘୁରୁଡିଆ ନାଳ ପୋଲ ଉପରେ ୪ ଫୁଟ ଉଚ୍ଚର ବନ୍ୟାଜଳ ପ୍ରବାହିତ ହୋଇଛି। ଫଳରେ ଦୀର୍ଘ ସମୟ ଧରି ଗମନାଗମନ ବିଚ୍ଛିନ୍ନ ହୋଇପଡ଼ିଥିଲା। ଭୋର ୪ଟାରୁ ଦିନ ୧୧ ପର୍ଯ୍ୟନ୍ତ ବନ୍ୟାଜଳ ପ୍ରବାହିତ ହେବାରୁ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇ ପଡ଼ିଥିଲା। ଭୀମକାଣ୍ଡ ଠାରୁ ଏହି ରାସ୍ତା କାଣ୍ଡପଶି-ଡିମିରିମୁଣ୍ଡା-ମୁଚିଆସାହି-କାଳିମା-ଶିରିଗିଡା ତଥା ପଡୋଶୀ ଅନୁଗୁଳ ଅଞ୍ଚଳକୁ ଯୋଗାଯୋଗ କ୍ଷେତ୍ରରେ ସହାୟକ ହୋଇ ଆସୁଛି।

Advertisment

ଏଥିସହି ଶିରିଗିଡାରେ ଥିବା କଲେଜ, ବ୍ୟାଙ୍କ, ଲ୍ୟାମ୍ପ୍ସ, ଡାକ୍ତରଖାନାକୁ ଯିବାକୁ ହେଲେ ଏହି ରାସ୍ତା ଉପରେ କରଦାଙ୍ଗି, ଦେଉଳଡିହା, ଭୀମକାଣ୍ଡ ପଞ୍ଚାୟତର ଜନସାଧାରଣ ନିର୍ଭର କରି ଆସୁଛନ୍ତି। ଏହା ହ୍ୟୁମ୍ ପାଇପ୍ ଦ୍ବାରା ନିର୍ମିତ ହୋଇଥିବାରୁ ବର୍ଷା ଦିନେ ଅଧିକାଂଶ ଦିନ ପୋଲ ଉପରେ ବର୍ଷା ଜଳ ପ୍ରବାହିତ ହୋଇଥାଏ। ଲୋକମାନେ ହଇରାଣ ହରକତ ହୋଇଥାନ୍ତି। ଏହି ପୋଲକୁ ଉଚ୍ଚା ପୋଲରେ ପରିଣତ କରିବାକୁ ଭୀମକାଣ୍ଡ ସମିତି ସଭ୍ୟ ବିରଞ୍ଚି କୁମାର ବେହେରା, ସରପଞ୍ଚ ରୀନା ମାଝୀ, ନାଏବ ସରପଞ୍ଚ ଘନଶ୍ୟାମ ପ୍ରଧାନ, ଓ୍ବାର୍ଡ ମେମ୍ବର ରଞ୍ଜିତା ବେହେରା, ଅବସରପ୍ରାପ୍ତ ଶିକ୍ଷକ ବଲ୍ଲଭ ଦେହୁରୀ, ସନାତନ ସାହୁ, ଈଶ୍ୱର ପ୍ରଧାନ, ସମାଜସେବୀ ନୀଳକଣ୍ଠ ପ୍ରଧାନ, ହୃଦାନନ୍ଦ ବେହେରା, ଦାଶରଥି ବେହେରା, ଗୋବିନ୍ଦ ଦେହୁରୀ, ସହଦେବ ଦେହୁରୀ ପ୍ରମୁଖ ଦାବି କରିଛନ୍ତି।