ଖୋର୍ଦ୍ଧା: ଖୋର୍ଦ୍ଧାରେ ମହାନଦୀର ପଛୁଆ ପାଣିରେ ଖୋର୍ଦ୍ଧା ଜିଲ୍ଲାର ୫ ବ୍ଲକ ପ୍ରଭାବିତ। ଦୟା, ରାଜୁଆ ନଦୀର ଘାଇ ଓ ଘଳିଆରେ ବଢ଼ି ପାଣି ପ୍ରବାହ ବନ୍ଦ ହୋଇନଥିବାରୁ ଦିନକୁ ଦିନ ଅଧିକ ଚାଷ ଜମି ଓ ଗାଁ ପ୍ରଭାବିତ ହେବାରେ ଲାଗିଛି। ଫଳରେ ପ୍ରଶାସନ ପକ୍ଷରୁ ଜଳବନ୍ଦୀରେ ଥିବା ସର୍ବାଧିକ ପ୍ରଭାବିକ ୨୦ଟି କେନ୍ଦ୍ରରେ ୧୫ ଦିନ ରନ୍ଧାଖାଦ୍ୟ ଦେବାକୁ ନିଷ୍ପତ୍ତି ନିଆଯାଇଛି। ୨୨ଟି ପଞ୍ଚାୟତର ୭୦ଟି ଗାଁ ପ୍ରଭାବିତ ହୋଇଥିବା ବେଳେ ୪୪ଟି ଗାଁ ପାଣି ଘେରରେ ରହିଛି। ଯଦିଓ ସମ୍ପୂର୍ଣ୍ଣ ପାଣି ଘେରରେ ଥିବା ଗାଁର ସଂଖ୍ୟା ଗତକାଲି ଠାରୁ ଆଜି ୪୫ରୁ ୪୪କୁ ହ୍ରାସ ପାଇଥିଲେ ମଧ୍ୟ ରାଜୁଆ ଓ ଦୟା ନଦୀରେ ପାଣ୍ଡିଆବିଲି, ତିରିମଲ, କଣ୍ଟାବଣିଆ ଆଦି ସ୍ଥାନରେ ହୋଇଥିବା ଘାଇ ବନ୍ଦ ହୋଇନଥିବାରୁ ପାଣିଘେରରେ ଥିବା ଗାଁଗୁଡ଼ିକର ସମସ୍ୟା ଏତେଶୀଘ୍ର କମିବାରେ ସନ୍ଦେହ ସୃଷ୍ଟି ହୋଇଛି। ଖୋର୍ଦ୍ଧା ବ୍ଲକର ବନ୍ୟା ସ୍ଥିତି ସମ୍ପର୍କରେ ସୂଚନା ଦେଇ ବିଡିଓ କ୍ଷୀରାବ୍ଧୀ ତନୟା ସାହୁ କହିଛନ୍ତି ଯେ ଗତକାଲି ୧୨ଟି ଗାଁ ଜଳଘେରରେ ଥିଲା। ଆଜି ଆଉ ୩ଟି ଅତିରିକ୍ତ ଗାଁ ଓ ସାହି ମଧ୍ୟରେ ବଢ଼ିପାଣି ପ୍ରବେଶ କରିଛି। ସେଗୁଡ଼ିକ ହେଲା- କୁରୁମପଡ଼ା, ନରଣଗଡ଼ର ଗୋଟିଏ ସାହି ଓ ବ୍ରଜମୋହନପୁରର ଗୋଟିଏ ସାହି। ଆଜି ରାତି ସୁଦ୍ଧା ସେହି ଅଞ୍ଚଳରେ ପାଣିସ୍ତର ବଢ଼ିବା ଆଶଙ୍କା ରହିଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଆସନ୍ତାକାଲି ଠାରୁ ସେଠାରେ ରନ୍ଧନଖାଦ୍ୟ ଓ ଗୋଖାଦ୍ୟ ଆଦି ବଣ୍ଟନ କରାଯିବ।

Advertisment

publive-image Sambad

ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନାନୁସାରେ, ପାଣିଘେରରେ ଥିବା ୪୪ଟି ଗାଁର ୨୩ହଜାର ୪୫୯ଜଣ ଲୋକ ସର୍ବାଧିକ ପ୍ରଭାବିତ ହୋଇଛନ୍ତି। ଆଜି ସୁଦ୍ଧା ୩୩ଟି ସ୍ଥାନରେ ୧୨୬୮୨ଜଣଙ୍କୁ ରନ୍ଧାଖାଦ୍ୟ ଦିଆଯାଇଥିବା ବେଳେ ଆଜି ୧୯ଟି ସ୍ଥାନରେ ୯୮୫୫ଜଣଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ କରାଯାଇଛି। ୧ଲକ୍ଷ ୧୧ହାଜର ୧୭୧ଟି ଗୃହପାଳିତ ପଶୁପକ୍ଷୀ ପ୍ରଭାବିତ ହୋଇଥିବା ବେଳେ ବର୍ତମାନ ସୁଦ୍ଧା ଆକଳନରେ ୨୭୫୯ ହେକ୍ଟର ଚାଷ ଜମି କ୍ଷତିଗ୍ରସ୍ତ ହେବା ସମ୍ଭାବନା ରହିଛି। ଚାଷ ଜମିର କ୍ଷୟକ୍ଷତି ନେଇ ଜିଲ୍ଲା କୃଷି ଅଧିକାରୀ ପ୍ରଫୁଲ୍ଲ କୁମାର ମହାରଣା କହିଛନ୍ତି ଯେ ବର୍ତମାନ ପାଣିଘେରରେ ଅନେକ ସ୍ଥାନରେ ଚାଷ ଜମି ରହିଛି। ତେବେ ନିୟମାନୁସାରେ, ପାଣି ମାଡ଼ିବାରୁ ୭ ଦିନ ପରେ ଯାଇ ସଠିକ୍ ତଥ୍ୟ ଜଣାପଡ଼ିବ। ଏଣୁ ବର୍ତ୍ତମାନ କରାଯାଇଥିବା ପ୍ରାଥମିକ ଆକଳନ ପରିବର୍ତନ ହେବା ସମ୍ଭାବନା ରହିଛି। ପ୍ରଶାସନ ପକ୍ଷରୁ କରାଯାଇଥିବା ଆକଳନରେ ତିରିମଲ ଠାରୁ ହଳଦିଆପଡ଼ା ନଦୀବନ୍ଧ, ତିରିମଲ-ତୁଳାସାହି ଠାରୁ ନିଧି ବଜାର ପ୍ରାୟ ୧ କିମି ଦୀର୍ଘ ରାସ୍ତା, ପାଣ୍ଡିଆବିଲି ଠାରୁ ବୁଦ୍ଧନଜର ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାର ରାସ୍ତା, ପାଣ୍ଡିଆବିଲି ଠାରୁ ବଡ଼ପୁଟ ନଦୀ ବନ୍ଧ କ୍ଷତିଗ୍ରସ୍ତ ହୋଇଛି। ବନ୍ୟା ପ୍ରଭାବିତ ଅଞ୍ଚଳରେ ବର୍ତ୍ତମାନ ୯ଟି ଡାକ୍ତରୀ ଟିମ୍, ୫ଟି ପ୍ରାଣୀଚିକିତ୍ସା ଟିମ୍ କାର୍ଯ୍ୟ କରୁଛନ୍ତି। ୨ଟି ପାୱାର୍ ବୋଟ୍ ଓ ଗୋଟିଏ ଓଡ୍ରାଫ୍ ଟିମ ଖୋର୍ଦ୍ଧା ବ୍ଲକରେ, ୪ଟି ପାୱାର ବୋଟ୍, ୪ଟି ବୋଟ ସହ ଗୋଟିଏ ଏନ୍ଡିଆର୍ଏଫ୍ ଟିମ୍ ବାଲିଅନ୍ତା ଓ ବାଲିପାଟଣା ବ୍ଲକରେ ମୁତୟନ ଅଛନ୍ତି।