ଦଗା ଦେଲା ହାଇବ୍ରୀଡ ଧାନ ବିହନ: ଫଳୁଛି ଅଗାଡ଼ି, ଭରି ଯାଇଛି ଘାସ, ତିନି ସ୍ତରରେ ଧରୁଛି ଗଭା

ଜୟପୁର: ହାଇବ୍ରୀଡ ଧାନ ବିହନରେ ୯୦ରୁ ୧୨୫ଦିନ ମଧ୍ୟରେ ଏକର ପିଛା ୨୫ରୁ ୩୫କୁଇଣ୍ଟାଲ ଧାନ ଅମଳକ୍ଷମ ହୋଇଥିବାରୁ ଗତ କିଛି ବର୍ଷ ହେବ ସବୁ ଚାଷୀଙ୍କର ପସନ୍ଦରେ ପରିଣତ ହୋଇଥିଲା। ତେବେ ଏହି ଧାନ ବିହନରେ ଅଧିକା ଅଗାଡି ଓ ଘାସ ବାହାରିବା ସହ କିଛି ଜମିରେ ଧାନରେ ଗଭା ଧରିଥିବା କହିଛନ୍ତି ଚାଷୀ। ଅଧିକା ଧାନ ଉତ୍ପାଦନ କରି ଲାଭ ପାଇବା ଆଶା ଏବେ ଚାଷୀଙ୍କ ପାଇଁ ଦୁଃଖ ଆଣି ଦେଇଛି। କେଉଁଟି ଅଗାଡି ତ ଆଉ କେଉଁଟି ଘାସ ଗଛ ଉଠିବା ସହ ତିନି ସ୍ତରରେ ଧାନ ଗଭା ଧରୁଥିବା କହିଛନ୍ତି ଛତର୍ଲାର ଚାଷୀ ରଇଲୁ ଅମନାତ୍ୟ,ସମ୍ବାରୁ ନାୟକ, ଉପରଗୁଡ଼ାର ଚେମୁଟୁ ପୁଜାରୀ, ମାଧବ ନାୟକ, ଚାରଗାଁର ରାମ ହରିଜନ, ସାନକାଉଡିର ରବି ବାଗଦେରିଆ। ଅଧିକା ଅମଳକ୍ଷମ ବିହନ ମଧ୍ୟରେ ଲୋକେ ଆଜି ବି ଲଲାଟ, ପୂଜା, ୧୦୧୦କୁ ଛାଡି ନାହାନ୍ତି ତଥାପି ଚାଷୀ ହାଇବ୍ରୀଡ ଧାନକୁ ଅଧିକା ଗୁରୁତ୍ବ ଦେଉଛନ୍ତି ବୋଲି କହିଛନ୍ତି ରାଜ୍ୟ ବିହନ ନିଗମ, ଜୟପୁର ଶାଖାର ପରିଚାଳକ ଶୀତକଣ୍ଠ ଦାଶ।

ଜୟପୁର ବିହନ ନିଗମର ୫୪ଟି ବିତରକଙ୍କ ଜରିଆରେ ୬୦୫୦କୁଇଣ୍ଟାଲ, ୨୦ଟି ଲ୍ୟାମ୍ପ ମାଧ୍ୟମରେ ୩୨୫୦କୁଇଣ୍ଟାଲ, ବିହନନିଗମର ବିକ୍ରୟ କେନ୍ଦ୍ରରେ ୫୪୬କୁଇଣ୍ଟାଲ ଏଭଳି ୯୮୪୬କୁଇଣ୍ଟାଲ  ଧାନ ବିହନ ବିକ୍ରୀ ହୋଇଥିବା କହିଛନ୍ତି ଶ୍ରୀ ଦାଶ। ପ୍ରାୟ ୩ହଜାର କୁଇଣ୍ଟାଲ ଶଙ୍କର ଜାତୀୟ(ହାଇବ୍ରୀଡ) ଧାନ ବିହନରେ ଚାଷୀମାନେ ଚାଷ କରିଥାଇପାରନ୍ତି ବୋଲି ବିହନ ଓ କୃଷି ବିଭାଗର ଅଧିକାରୀମାନେ କହିଛନ୍ତି। ତେବେ ବଳକା ୨୨୦୦କୁଇଣ୍ଟାଲ ଧାନ ବିହନ ଚାଷୀଙ୍କ ନିକଟରେ ସାଇତି ରଖିଥିବା ବିହନରେ ଏହି ବର୍ଷ ଚାଷ କରିଥିବେ। ହାଇବ୍ରୀଡ ଧାନ ବିହନ ପାଇଁ ପ୍ରଯୁଜ୍ୟ ନୁହେଁ।

ପ୍ରତ୍ୟେକ ବର୍ଷ ସେଠାରେ ନୂଆ ବିହନ ପକାଇ ଚାଷ କରିବାକୁ ପଡିଥାଏ ବୋଲି ଉଭୟ ବିଭାଗର ଅଧିକାରୀ ମାନେ କହିଛନ୍ତି। ହାଇବ୍ରୀଡ ଧାନକୁ ନେଇ ସଚେତନ ନଥିବାରୁ ଅଧିକା ୟୁରିଆ ପକାଉଥିବା ବେଳେ ପଟାସ ପରିମାଣ କମି ଯିବା ଫଳରେ ଧାନ ଗଛ ଯେଭଳି ବାହାରିବା କଥା ବାହାରୁନି ବୋଲି କହିଛନ୍ତି ସହକାରୀ କୃଷି ଅଧିକାରୀ ଜି.ଭେଙ୍କଟ ରେଡ୍ଡୀ। ଧିରେ ଧିରେ ଏହି ସ୍ଥିତିରେ ପାରମ୍ପରିକ ଦେଶୀ ବିହନର ଚାଷ ଓ ବିହନ କିସମ ବି ଲୋପ ପାଇବା ସହ ଜମିର ଉର୍ବରତା ଓ ଜୈବ ବିବିଧତା ହରାଇବାରେ ଲାଗିଛି ।

ସମ୍ବନ୍ଧିତ ଖବର