ବାଲେଶ୍ବର (ରୁଦ୍ରରଞ୍ଜନ ଶେଜପଡ଼ା): ପିଲାଦିନେ ଗୋଟିଏ ଆଖି ସଂପୂର୍ଣ୍ଣ ନଷ୍ଟ ହୋଇ ଯାଇଥିଲା। ସନ୍ତାପରୁ ହୃଦୟ ଭିତରେ କେଉଁଠି କେମିତି ଜନ୍ମ ନେଇଥିଲା ସଂଗୋପିତ ଗୋଟିଏ ସ୍ବପ୍ନ। ଯାହା ଆବେଗ ସହ ଚଳପ୍ରଚଳ ହେଉଥିଲା ତାଳୁଠୁ ତଳିପା ପର୍ଯ୍ୟନ୍ତ। ସେ ସ୍ବପ୍ନ ଆଜି ସାକାର ହୋଇଛି। ଗାଁ ଧୂଳିମାଟିରେ ବଢ଼ିଥିବା ଗରିବ ଦିବ୍ୟାଙ୍ଗ ଝିଅଟିଏ ନିଜର ଅଧ୍ୟବସାୟ ଓ ନିଷ୍ଠା ବଳରେ ଭାରତୀୟ ଦୃଷ୍ଟିବାଧିତ କ୍ରିକେଟ୍‌ ଦଳର ଉପଅଧିନାୟିକା ହେବାର ଗୌରବ ଅର୍ଜନ କରିଛନ୍ତି।

Advertisment

ବାଲେଶ୍ବର ସହର ରେମୁଣା ଗୋଲେଇ ନିକଟ ଶାଳବଣି ଗାଁର ଫୁଲ ସୋରେନ୍‌ (୧୭)। ଅଭାବୀ ପରିବାର ତାଙ୍କର। ଫୁଲଙ୍କ ବୟସ ଯେତେବେଳେ ୫ ବର୍ଷ, କଣ୍ଢେଇ ତିଆରି ପାଇଁ ବାଉଁଶ କାଠି ଭାଙ୍ଗୁଥିବା ବେଳେ ଆଘାତପ୍ରାପ୍ତ ହୋଇ ଗୋଟିଏ ଆଖି ନଷ୍ଟ ହୋଇଗଲା। ଦାରିଦ୍ର୍ୟ ଓ ଆର୍ଥିକ ଅନଟନ ଯୋଗୁଁ ଆଉ ଚିକିତ୍ସିତ ହୋଇ ପାରିଲେନି। ଆଖି ହରାଇ ସନ୍ତାପ ଭିତରେ ଥିବା ଫୁଲ ଭିନ୍ନ କିଛି କରିବା ପାଇଁ ସୁଯୋଗ ଖୋଜୁଥିଲେ। ଏମିତି ସମୟରେ ଜଣେ ଶିକ୍ଷକ ଦେବଦୂତ ସାଜି ତାଙ୍କୁ ବାଲେଶ୍ବର ରାଣୀପାଟଣାସ୍ଥିତ ଦୃଷ୍ଟିହୀନ ବିଦ୍ୟାଳୟର ପଞ୍ଚମ ଶ୍ରେଣୀରେ ନାମ ଲେଖାଇଦେଲେ। ବାସ୍ ସେଇଠୁ ଏକ ନୂଆ ଜୀବନର ଅୟମାରମ୍ଭ ହେଲା। ପାଠପଢ଼ା ସହ କ୍ରିକେଟ୍‌ ଖେଳ ପ୍ରତି ଫୁଲଙ୍କର ରୁଚି ଥିଲା। ସ୍ବପ୍ନ ଦେଖିବା ଆରମ୍ଭ କଲେ; ଦିନେ ଭାରତୀୟ ଦଳରେ ଖେଳିବେ। କ୍ରିକେଟ୍‌ ପ୍ରତି ପ୍ରଚଣ୍ଡ ଆଗ୍ରହ ଦେଖି ଖେଳ ଶିକ୍ଷକ ପ୍ୟାରୀମୋହନ ଭୂୟାଁ ତାଙ୍କୁ ‌ପ୍ରଶିକ୍ଷଣ ଦେଲେ।

publive-image

ଭଲ ଖେଳୁଥିବାରୁ ଫୁଲଙ୍କୁ କେବଳ ବାଲେଶ୍ବର ଦୃଷ୍ଟିବାଧିତ କ୍ରିକେଟ୍‌ ଦଳରେ ଖେଳିବାର ସୁଯୋଗ ମିଳିଲାନି, ସପ୍ତମ ଶ୍ରେଣୀରେ ପଢ଼ୁଥିବା ବେଳେ ଓଡ଼ିଶା ଦୃଷ୍ଟିବାଧିତ କ୍ରିକେଟ୍‌ ଦଳରୁ ବି ତାଙ୍କୁ ଡାକରା ଆସିଲା। ଏହା ପରଠାରୁ ସେ ଆଉ ପଛକୁ ଚାହିଁନାହାନ୍ତି। ଓଡ଼ିଶା ଦଳରେ ୩ ବର୍ଷ ଖେଳିବା ଭିତରେ ନିଜର ଦକ୍ଷତା ଯୋଗୁଁ ଫୁଲ ଗତବର୍ଷ ଅଧିନାୟିକା ପଦ ସମ୍ଭାଳିବା ସହ ଜାତୀୟ କ୍ରିକେଟ୍‌ କ୍ୟାମ୍ପ୍‌ ପାଇଁ ମଧ୍ୟ ମନୋନୀତ ହୋଇଥିଲେ। କ୍ୟାମ୍ପ୍‌ରେ ଦକ୍ଷତାର ଭରପୂର ଉପଯୋଗ କରି ଉଭୟ ବ୍ୟାଟ୍‌ ଓ ବଲ୍‌ରେ କମାଲ୍‌ ଦେଖାଇ ଚୟନକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ସେ। ଫୁଲଙ୍କ ଭିତରେ ପ୍ରଚଣ୍ଡ ପ୍ରତିଭା ଦେଖି ଚୟନକର୍ତ୍ତା ତାଙ୍କୁ ଖାଲି ଟିମ୍‌ ଇଣ୍ଡିଆ ପାଇଁ ମନୋନୀତ କଲେନି, ଦଳର ଉପଅଧିନାୟିକା ଦାୟିତ୍ବ ବି ସମର୍ପି ଦେଲେ। ଚଳିତ ମାସ ୧୮ରୁ ୨୭ ତାରିଖ ପର୍ଯ୍ୟନ୍ତ ଇଂଲଣ୍ଡର ବର୍ମିଂହାମ୍‌ଠାରେ ଆଇଏସ୍‌ବିଏ ଦୃଷ୍ଟିବାଧିତ ବିଶ୍ବକପ୍ କ୍ରିକେଟ୍‌ ଆୟୋଜିତ ହେଉଥିବା ବେଳେ ଅଧିନାୟିକା ବର୍ଷା ଉମାପାଠୀ ଓ ଉପଅଧିନାୟିକା ଫୁଲ ସୋରେନ୍‌ଙ୍କ ନେତୃତ୍ବରେ ଭାରତୀୟ ଦଳ ଅଂଶଗ୍ରହଣ କରିବ।

ଫୁଲଙ୍କ ପରିବାର କହିଲେ; ବାପା ସୁନା ସୋରେନ୍‌ ଓ ୩ ଜଣ ଭାଇଭଉଣୀ। ମାଆ ଡେଗେ ସୋରେନ୍‌ ୨୦୨୨ ମସିହା ଜୁନ୍‌ ମାସରେ ଆଖି ବୁଜିଛନ୍ତି। ବାପା ଚାଷ କରୁଥିବା ବେଳେ ଦୁଇ ଭାଇ; ମେଘରାଇ ସୋରେନ୍‌, ଦୁର୍ଗା ସୋରେନ୍‌ ଓ ଭଉଣୀ କାର୍ମି ସୋରେନ୍‌ ମୂଲମଜୁରି ଓ ପର ଘରେ ପାଇଟି କରି ଚଳୁଛନ୍ତି।
ଫୁଲଙ୍କୁ ଭେଟିବା ବେଳେ ସେ ଆହ୍ଲାଦିତ ହୋଇ ପଡ଼ିଥିଲେ। ବାଷ୍ପରୁଦ୍ଧ କଣ୍ଠରେ କହିଥିଲେ, ଦିନେ ସେ ଦେଖିଥିବା ସ୍ବପ୍ନ ପୂରା ହୋଇଗଲା। ନିଜ ସଫଳତାର ଶ୍ରେୟ ପରିବାର ସଦସ୍ୟ, ଦୃଷ୍ଟିହୀନ ବିଦ୍ୟାଳୟର ଅଧ୍ୟକ୍ଷ ତଥା ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ଦେଇଥିଲେ। ମହେନ୍ଦ୍ର ସିଂହ ଧୋନୀ ଓ ଶେଫାଳି ବର୍ମାଙ୍କୁ ଆଦର୍ଶ ଭାବେ ଗ୍ରହଣ କରିଥିବା ଦିବ୍ୟାଙ୍ଗ ଫୁଲ ଆହୁରି ସଫଳତା ସାଉଁଟନ୍ତୁ, ସାରା ବିଶ୍ବକୁ ନିଜ ମହକରେ ମତୁଆଲା କରନ୍ତୁ; ‘ସମ୍ବାଦ ପକ୍ଷରୁ ଏତିକି କାମନା।