ସମ୍ବଲପୁର: ୩ ମାସ ପରେ ବି ଫ୍ଲୋରାଇଡ ଗ୍ୟାସ ଯୋଗୁଁ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ମିଳି ପାରି ନାହିଁ। କିନ୍ତୁ ଧାନ ନକଟିବା ପାଇଁ ଚାଷୀଙ୍କୁ ନିର୍ଦେଶ ହୋଇଛି। ଏହାକୁ ନେଇ ଉତ୍ୟକ୍ତ ସମ୍ବଲପୁର ଜିଲ୍ଲା କୃଷକ ସଙ୍ଗଠନର କର୍ମକର୍ତ୍ତାମାନେ ତହସିଲଦାର କାର୍ଯ୍ୟାଳୟ ଘେରାଓ କରିଥିଲେ। ସେ ଧାନ ନକଟିବା ପାଇଁ କୌଣସି ନିର୍ଦେଶ ଦେଇ ନଥିବା ତହସିଲଦାର କହିଥିଲେ ମଧ୍ୟ ଚାଷୀ ବୁଝି ନଥିଲେ। ଏଥିଯୋଗୁଁ କାର୍ଯ୍ୟାଳୟରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି। କେବେ କ୍ଷତିପୂରଣ ମିଳିବ ବୋଲି ବାରମ୍ବାର ପ୍ରଶ୍ନ ହୋଇଥିଲା।

Advertisment

ଅଗଷ୍ଟ ୨୮ ତାରିଖରେ ହିଣ୍ଡାଲକୋ ନିକଟବର୍ତ୍ତୀ ଗୁଣ୍ଡରୁପଡ଼ା, ମହମ୍ମଦପୁର, ନୂଆଁଜାମଡ଼ା, ଡେଙ୍ଗିମଚା ଏବଂ ସାହାସବାହାଲ ସମେତ ୫ଟି ଗାଁର ୧୦୬ ଚାଷୀଙ୍କ ୧୪୭.୮୭ ଏକର ଫସଲ ନଷ୍ଟ ହୋଇଥିଲା। ଅକ୍ଟୋବର ମାସରେ ଏଥିସଂକ୍ରାନ୍ତରେ ରିପୋର୍ଟ ଦାଖଲ କରିଛି ରାଜସ୍ବ ବିଭାଗ। ଫ୍ଲୋରାଇଡ ଗ୍ୟାସ ଯୋଗୁଁ ଫସଲ ନଷ୍ଟ ହୋଇଥିବା କହିଛି କୃଷି ବିଭାଗ। ଏପରିକି ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଟିମ ମଧ୍ୟ ଘଟଣାସ୍ଥଳ ପରିଦର୍ଶନ କରିଥିଲେ।

ସମ୍ବଲପୁର ଜିଲ୍ଲା ଚାଷୀ ସଙ୍ଗଠନର ଅଭିଯୋଗ ଅନୁଯାୟୀ, ପୂର୍ବ ବର୍ଷ ମାନଙ୍କରେ ଯେତେଥର ଫ୍ଲୋରାଇଡ ଗ୍ୟାସ ଫସଲ ନଷ୍ଟର ଅଭିଯୋଗ ହୁଏ ମାସେରୁ ୧୫ ଦିନ ଏପରିକି ସପ୍ତାହ ମଧ୍ୟରେ କ୍ଷତିପୂରଣ ଦିଆଯାଏ। ମାତ୍ର ବର୍ତ୍ତମାନର ସମ୍ବଲପୁର ତହସିଲଦାର ଆରମ୍ଭରୁ ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି। ୨ ମାସ ପର୍ଯ୍ୟନ୍ତ ଫସଲ କ୍ଷତି ସମ୍ପର୍କୀତ ରିପୋର୍ଟ ଦାଖଲ କରି ନଥିଲେ। ଅକ୍ଟୋବର ମାସରେ ଚାଷୀମାନେ ତହସିଲ ଏବଂ ଉପଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ ପରେ ତହସିଲଦାର ରିପୋର୍ଟ ଦାଖଲ କରିଥିଲେ।

ଆଶା କରିଥିଲେ ଯଥାଶୀଘ୍ର ଚାଷୀମାନଙ୍କୁ କ୍ଷତିପୂରଣ ମିଳିଯିବ। ମାତ୍ର ରିପୋର୍ଟ ଦାଖଲର ମାସେ ପରେବି କ୍ଷତିପୂରଣ ଟଙ୍କା ମିଳି ପାରି ନାହିଁ। ଅନ୍ୟଦିଗରେ ଧାନ ମଣ୍ଡି ଖୋଲିବା ସମୟ ଆସିଯାଇଛି। କ୍ଷତିଗ୍ରସ୍ତ ଚାଷୀଙ୍କ ଧାନ ନକଟିବା ପାଇଁ କିଛି ସରକାରୀ କର୍ମଚାରୀମାନେ କହିବା ନେଇ ଚାଷୀମାନେ ଆହୁରି ଉତ୍ୟକ୍ତ ହୋଇ ପଡ଼ିଥିଲେ। ଅନ୍ୟଦିଗରେ କ୍ଷତିପୂରଣ ଟଙ୍କା କେବେ ଦିଆଯିବ ଏଥିସମ୍ପର୍କରେ ତହସିଲଦାର ସ୍ପଷ୍ଟ କରି ନାହାନ୍ତି।