ଜଳ ପାଲଟିଛି ଜହର: ଫ୍ଲୋରାଇଡ଼ ପାଣି ଯୋଗୁଁ ଶତାଧିକ ମଲେଣି

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ପାନୀୟଜଳ ଲୋକଙ୍କ ପାଇଁ ସାତସପନ ହୋଇପଡିଛି । ଫ୍ଲୋରାଇଡ଼ ପାଣି ଯୋଗୁଁ ଜଳ ପାଳିଟିଛି ଜହର । ଫ୍ଲୋରାଇଡ଼ ପାଣି ପାଇଁ କିଡନୀ ରୋଗରେ ଆକ୍ରାନ୍ତ ହୋଇ ୧୦୦ରୁ ଉର୍ଦ୍ଧ୍ବ ଲୋକ ମୃତ୍ୟୁବରଣ କରିସାରିଛନ୍ତି । ଫ୍ଲୋରାଇଡ଼ ଥିବା ୧୪ ରୁ ଉର୍ଦ୍ଧ୍ବ ଗାଁ ରେ ପାନୀୟଜଳ ପ୍ରକଳ୍ପକୁ ସମ୍ପୂର୍ଣ୍ଣ କରିବାକୁ ସାଧାରଣରେ ଦାବି ହୋଇଛି ।

ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ , କଳାହାଣ୍ଡି ଜିଲ୍ଲାର ଗୋଳାମୁଣ୍ଡା ବ୍ଳକର ବୃନ୍ଦାବାହାଲ, ବୈଜଳପୁର, ଡୁମେରବାହାଲ, ଲିମସେର, ଚପରିଆ, ଟିଙ୍ଗି ପଦର, ତୁରେଛଡ଼ା, ଧାମନପୁର, ସୁକନିମୁଣ୍ଡା, କୁରେଇସିନି, ଗିରିଣ୍ଡୁଲ, ଅମୂର୍ଲା ପଦର, ଅନ୍ତର୍ଲା, ବାଗମୁଣ୍ଡା ସମେତ ୧୪ରୁ ଉର୍ଦ୍ଧ୍ବ ଗାଁ ରେ ଫ୍ଲୋରାଇଡ଼ ପାଣି ଯୋଗୁଁ ଭୂତଳ ଜଳ ପାନୀୟ ଉପଯୋଗୀ ହୋଇପାରୁନାହିଁ । ଫ୍ଲୋରାଇଡ଼ ପାଣି ବୃନ୍ଦାବାହାହାଲ ରେ ୫୦ ରୁ ଉର୍ଦ୍ଧ୍ବ , ବାଗମୁଣ୍ଡା ଗାଁ ରେ ୨୦ ରି ଉର୍ଦ୍ଧ୍ବ ସମେତ ଗୋଳାମୁଣ୍ଡା ବ୍ଲକ ରେ ୧୦୦ରୁ ଉର୍ଦ୍ଧ୍ବ ଲୋକ ଫ୍ଲୋରାଇଡ଼ ପାଣି ପିଇ କିଡନୀରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଛନ୍ତି । ଗୋଳାମୁଣ୍ଡା ବ୍ଳକ ର ଲେତେର ପଞ୍ଚାୟତ ର ବାଗମୁଣ୍ଡା ଗାଁ ର ଜକସନ ମାଝୀ(୫୨), ତ୍ରିଲୋଚନ ମାଝୀ(୫୫), ଟେହେକା ତାଣ୍ଡି(୬୦) ଓ ତାଙ୍କ ପତ୍ନୀ ଏବଂ ଦୁକୁଳୁ ମାଝୀ(୬୨) ସମେତ ବହୁ।ଲୋକଙ୍କ ତାଲିକା ଫ୍ଲୋରାଇଡ଼ ପାଣି ଯୋଗୁଁ ମୃତ୍ୟୁ ଘଟିଛି ।


Learning Center

ଫ୍ଲୋରାଇଡ଼ ପାଣି ଜନିତ ସମସ୍ୟା ନେଇ ରାଜ୍ୟ ସରକାରଙ୍କୁ ଅଞ୍ଚଳବାସୀ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଠୋସ ପଦକ୍ଷେପ ନେଇ ପାରିନାହାନ୍ତି । ବୃନ୍ଦାବାହାଲ ,ଚପରିଆ, ବାଗମୁଣ୍ଡା ଭଳି କିଛି ଅଞ୍ଚଳରେ ନଦୀରୁ ପାଇପ ଜଳଯୋଗାଣ ପ୍ରକଳ୍ପ କାର୍ଯ୍ୟକାରୀ ହୋଇଥିଲେ ମଧ୍ୟ ବହୁ ପ୍ରକଳ୍ପ ଅସମ୍ପୂର୍ଣ୍ଣ ହୋଇ ପଡି ରହିଛି । ଏପର୍ଯ୍ୟନ୍ତ ଫ୍ଲୋରାଇଡ଼ ପାଣି ଥିବା ସମସ୍ତ ଗାଁକୁ ପାନୀୟ ଜଳ ପ୍ରକଳ୍ପ ମରୀଚିକା ପାଲଟିଛି । ଯେଉଁଠି ପାନୀୟଜଳ ପ୍ରକଳ୍ପ ଆରମ୍ଭ ହୋଇଛି ସେଠାରେ ବିଭିନ୍ନ କାରଣରୁ ଅଧାପନ୍ତରିଆ ହୋଇ ପଡି ରହିଛି । ଫ୍ଲୋରାଇଡ଼ ଥିବା ଅଞ୍ଚଳ ର ସମସ୍ତ ଲୋକଙ୍କ ପାଖରେ ପାନୀୟ ଜଳ ଯୋଗାଣ ପାଇଁ ବ୍ୟବସ୍ଥା ନ ହେବା ଯୋଗୁଁ ଫ୍ଲୋରାଇଡ଼ ପାଣି ପିଇ କିଡନୀରୋଗରେ ମୃତ୍ୟୁ ବରଣ କରୁଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକଳ୍ପର ସମୀକ୍ଷା କରାଯାଇ ସରଜମିନ ତଦନ୍ତ କରାଗଲେ ତୃଣମୂଳ ସ୍ତରର ବାସ୍ତବ ଚିତ୍ର ପଦାକୁ ଆସି ପାରନ୍ତା । ଗୋଳାମୁଣ୍ଡା ବ୍ଲକର ପ୍ରତି ଗାଁରେ କେବେ ସମ୍ପୂର୍ଣ୍ଣ ଭାବରେ ନଦୀରୁ ପାଇପ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟକାରୀ ହେବ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ନିର୍ବାଚନ ଆସିଲେ ରାଜନେତା ମାନଙ୍କୁ ଫ୍ଲୋରାଇଡ଼ ପାଣି ଚିନ୍ତା ଘାରେ । କିନ୍ତୁ ଭୋଟ ସରିଲେ ଏହି ପ୍ରକଳ୍ପର କାର୍ଯ୍ୟକାରୀତା ନେଇ ମିଥ୍ୟା ପ୍ରତିଶ୍ରୁତି ପାଲଟି ଥାଏ । ଖରା ଦିନ ଆସିଲେ ଗୋଟିଏ ପଟେ ପ୍ରଚଣ୍ଡ ଗ୍ରୀଷ୍ମ ତାତି ଓ ଅନ୍ୟପଟେ ଫ୍ଲୋରାଇଡ଼ ପାଣିର ଚିନ୍ତା ଅଞ୍ଚଳ ବାସୀଙ୍କପାଇଁ ଅଭିଶାପ ପାଲଟିଛି । ୧୪ ଟି ଗାଁ କୁ ଫ୍ଲୋରାଇଡ଼ ପାଣି ଜହର ପାଲଟିଥିବା ବେଳେ ଫ୍ଲୋରାଇଡ଼ ପାଣିର ଉପତ୍ୟକା ରେ ଜୀବନ ବଞ୍ଚାଇବାକୁ ପ୍ରାଣମୂର୍ଚ୍ଛ ଉଦ୍ୟମ କରୁଛନ୍ତି ଅଭିଶପ୍ତ ଗ୍ରାମବସୀ । ତୁରନ୍ତ ରାଜ୍ୟ ସରକାର ଫ୍ଲୋରାଇଡ଼ ଅଞ୍ଚଳ ପାଇଁ ଠୋସ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବି କରୁଛନ୍ତି ।

ସମ୍ବନ୍ଧିତ ଖବର