ଖୋର୍ଦ୍ଧା : ଆସନ୍ତା ୧୨ ତାରିଖରେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନିତୀନ୍ ଗଡ଼କରୀ ଓଡ଼ିଶା ଆସୁଛନ୍ତି । ଏହା ମଧ୍ୟରେ ଜାତୀୟ ରାଜପଥ ପ୍ରାଧିକରଣ ୧୬ ନମ୍ବର ଜାତୀୟ ରାଜପଥର ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ନିକଟରେ ଫ୍ଲାଏଓଭର ନେଇ ନିଜର ଫିଜିବିଲିଟି ରିପୋର୍ଟ ଦାଖଲ କରିବ ବୋଲି ଆଜି ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ନିକଟରେ ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି ।
ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ୧୬ ନମ୍ବର ଜାତୀୟ ରାଜପଥ ଉପରେ ଫ୍ଲାଏ ଓଭର କରିବାକୁ ସ୍ଥାନୀୟ ବାସିନ୍ଦାଙ୍କ ପକ୍ଷରୁ ଦାବି ରହିଥିଲା । ତେବେ ଏହାକୁ ଏଡ଼ାଇ ଦେଇ ସେଠାରେ ଏକ ଅଣ୍ଡରପାସ୍ ନିର୍ମାଣ କରିବାକୁ ଜାତୀୟ ରାଜପଥ ଖୋଳାଖୋଳି ଆରମ୍ଭ କରିଥିଲା । ଏହାପରେ ସ୍ଥାନୀୟ ବାସିନ୍ଦା ଏହାକୁ ବିରୋଧ କରିଥିଲେ । ଖୋର୍ଦ୍ଧା ନାଗରିକ ମଂଚ ପକ୍ଷରୁ ପ୍ରତିବାଦ ଓ ଧାରଣା ମଧ୍ୟ ଦିଆଯାଇଥିଲା । ଏହାପରେ ମଂଚ ପକ୍ଷରୁ ଏକ ପ୍ରତିନିଧି ଦଳ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ସାକ୍ଷାତ କରି ଏକ ସ୍ମାରକପତ୍ର ଦେଇଥିଲେ । ଆଲୋଚନାବେଳେ ଘଟଣାସ୍ଥଳରେ ଜାତୀୟ ରାଜପଥର ଆଂଚଳିକ କର୍ତୃପକ୍ଷଙ୍କ ଉପସ୍ଥିତିରେ ଏନେଇ ସମସ୍ତ ଦଳର ବିଧାୟକ ଓ ନେତାଙ୍କ ଉପସ୍ଥିତିରେ ଆଜି ଏନେଇ ପରବର୍ତୀ କାର୍ଯ୍ୟପନ୍ଥା ସ୍ଥିର କରିବାକୁ ନିଷ୍ପତ୍ତି ନିଆଯାଇଥିଲା ।
ଆଜି ବୈଠକରେ ଯୋଗ ଦେଇ ପୂର୍ବତନ ସାଂସଦ ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟ ରଂଜନ ପଟ୍ଟନାୟକ କହିଥିଲେ ଯେ ସାଂସଦ ଶ୍ରୀମତି ଷଡ଼ଙ୍ଗୀ ଓ ଜାତୀୟ ରାଜପଥର ଆଂଚଳିକ କର୍ତୃପକ୍ଷ ଅଣ୍ଡରପାସ୍ ବଦଳରେ ଏକ ଫ୍ଲାଏଓଭର ନିର୍ମାଣ ପାଇଁ ସହମତି ଦେଇଛନ୍ତି । ଏହା ଭଲ କଥା କିନ୍ତୁ ନିର୍ମାଣ ଆରମ୍ଭ କରିବାରେ ଅଯଥା ବିଳମ୍ବ ନଘଟୁ । ସାଂସଦ ଶ୍ରୀମତି ଷଡ଼ଙ୍ଗୀ କହିଥିଲେ ଯେ ସେ ନିଜେ ମଧ୍ୟ ଏଠାରେ ଫ୍ଲାଏ ଓଭର ନିର୍ମାଣ ପାଇଁ ଦାବି କରିଛନ୍ତି । ସ୍ଥାନୀୟ ବାସିନ୍ଦାଙ୍କ ଦାବି, ବିଧାୟକଙ୍କ ଲିଖିତ ପତ୍ର ଓ ତାଙ୍କର ପତ୍ର ସମସ୍ତ କେନ୍ଦ୍ର ପରିବହନ ମନ୍ତ୍ରୀ ନିତୀନ ଗଡ଼କରୀଙ୍କ ନିକଟକୁ ପଠାଇବେ । ଏହା ସହ ଆସନ୍ତାକାଲି ଠାରୁ ଫ୍ଲାଏ ଓଭରର ଫିଜିବିଲିଟି ରିପୋର୍ଟ ପ୍ରସ୍ତୁତ ପାଇଁ ଏନ୍ଏଚ୍ଆଇ ଆଂଚଳିକ କର୍ତୃପକ୍ଷ ମଧ୍ୟ ରାଜି ହୋଇଛନ୍ତି । ଆସନ୍ତା ୧୨ ତାରିଖ ସୁଦ୍ଧା ଏହା ସେ ପ୍ରସ୍ତୁତ କରିବେ । ତେବେ ସେହି ସମୟ ଯାଏଁ ଜାତୀୟ ରାଜପଥ ପକ୍ଷରୁ ନିର୍ମାଣ ବନ୍ଦ ରଖିବାକୁ ସେ ଅନୁରୋଧ କରିଛନ୍ତି ।
ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ତଥା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେ୍ଦବ, ସ୍ଥାନୀୟ ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର, ବିଜେପି ଜିଲ୍ଲା ଅଧ୍ୟକ୍ଷ ରଶ୍ମୀ ରଂଜନ ମହାପାତ୍ର, ପୂର୍ବତନ ବିଧାୟକ ଦିଲୀପ ଶ୍ରୀଚନ୍ଦନ, ଜଟଣୀ ବିଧାୟକ ତଥା ଜିଲ୍ଳା କଂଗ୍ରେସ ଅଧ୍ୟକ୍ଷ ସୁରେଶ କୁମାର ରାଉତରାୟ, ସ୍ଥାନୀୟ ବିଜେପି ନେତା କାଳୁ ଚରଣ ଖଣ୍ଡାୟତରାୟ, ନିକୁଂଜ ପଟ୍ଟନାୟକ, ସୁବାସ ଗନ୍ତାୟତ ପ୍ରମୁଖ ଉପସ୍ଥିତ ରହି ଖୋର୍ଦ୍ଧା ସହରର ଆବଶ୍ୟକତା ଓ ଆଖପାଖର ପାରିପାଶ୍ୱିର୍କ ସ୍ଥିତି ଦୃଷ୍ଟିରୁ ସେଠାରେ ଫ୍ଲାଏ ଓଭର ନିର୍ମାଣ କରିବାକୁ ନିଜର ମତ ରଖିଥିଲେ । ନାଗରିକ ମଂଚରସମ୍ପାଦକ ସଂଜୟ ପଟ୍ଟନାୟକ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ।
ଜାତୀୟ ରାଜପଥ ପ୍ରାଧିକରଣର ଆଂଚଳିକ ନିଦେ୍ର୍ଦଶକ ରାମଚନ୍ଦ୍ର ପଣ୍ଡା ଓ ଅନ୍ୟ ଅଧିକାରୀମାନେ ଉପସ୍ଥିତ ରହି ସମସ୍ତଙ୍କ ଦାବି ମୁତାବକ ଓ ପାରିପାଶ୍ୱିର୍କ ସ୍ଥିତି ଦୃଷ୍ଟିରୁ ଏକ ଫ୍ଲାଏଓଭର ନିର୍ମାଣର ଆବଶ୍ୟକତା ଥିବାରୁ ସେ ଏନେଇ ନିଜର ରିପୋର୍ଟ ତୁରନ୍ତ ପ୍ରସ୍ତୁତ କରି କେନ୍ଦ୍ର ସରକାରଙ୍କୁ ଦାଖଲ କରିବେ ବୋଲି କହିଥିଲେ ।
ନଗର କଂଗ୍ରେସ ସଭାପତି ରଣଜିତ ମହାପାତ୍ର, ସମାଜସେବୀ ପ୍ରକାଶ ସାମନ୍ତରାୟ, ପ୍ଲାବନ ପଟ୍ଟନାୟକ, ଶିଳାଦିତ୍ୟ ପଟ୍ଟନାୟକ, ବରିଷ୍ଠ ଆଇନଜୀବୀ ଶିଶିର ପରିଡ଼ା, ଶକ୍ତିଶଙ୍କର ମିଶ୍ର, ସ୍ୱାଗତିକା ପଟ୍ଟନାୟକ ପ୍ରମୁଖ କାର୍ଯ୍ୟକ୍ରମର ପରିଚାଳନାରେ ସହଯୋଗ କରିଥିଲେ ।
ଖୋର୍ଦ୍ଧା ଜିଲ୍ଲାପାଳ କାର୍ଯ୍ୟାଳୟ ନିକଟରେ ଫ୍ଲାଏଓଭର ନିର୍ମାଣ ପ୍ରସଙ୍ଗ , ଆସନ୍ତା ୧୨ ତାରିଖ ସୁଦ୍ଧା ଫିଜିବିଲିଟି ରିପୋର୍ଟ ଦାଖଲ କରିବ ଏନ୍ଏଚ୍ଆଇ
/sambad/media/post_attachments/wp-content/uploads/2021/04/Flyover-Demand-Khordha-3.jpg)