ଖୋର୍ଦ୍ଧା: ପୁଲିସ ପ୍ରଶାସନ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ନିଆନଗଲେ ୧୬ ନମ୍ବର ଜାତୀୟ ରାଜପଥର ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଛକ ମରଣଯନ୍ତା ପାଲଟିବ । ୩ ଦିନ ପୂର୍ବେ ସେଠାରେ ଟ୍ରକ୍ ଚାପାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିଲା । ଯଦି ସେଠାରେ ଟ୍ରାଫିକ୍ ବ୍ୟବସ୍ଥା ନିୟନ୍ତ୍ରଣ କରାନଯାଏ ତେବେ ଆଗାମୀ ଦିନରେ ଅନେକ ଛୋଟବଡ଼ ଦୁର୍ଘଟଣା ଘଟିବା ସମ୍ଭାବନା ରହିଛି ବୋଲି ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି । ୧୬ ନମ୍ବର ଜାତୀୟ ରାଜପଥର ଜିଲ୍ଲାପାଳ କାର୍ଯ୍ୟାଳୟ ନିକଟରେ ଦୀର୍ଘ ଦିନ ଧରି ଏକ ଫ୍ଲାଏଓଭର ପାଇଁ ଜନସାଧାରଣଙ୍କ ପକ୍ଷରୁ ଦାବି ହେଉଥିଲା, କିନ୍ତୁ ଜାତୀୟ ରାଜପଥ ପ୍ରାଧିକରଣ ସେଠାରେ ଏକ ଅଣ୍ଡରପାସ୍ ନିର୍ମାଣ କରୁଥିବାରୁ ସ୍ଥାନୀୟ ବାସିନ୍ଦା ପ୍ରତିବାଦ କରିଥିଲେ ।

Advertisment

ଏହାପରେ ସାଂସଦ, ବିଧାୟକଙ୍କ ସମେତ ବିଭିନ୍ନ ରାଜନୈତିକ ଦଳ ଓ ଜାତୀୟ ରାଜପଥ ପ୍ରାଧିକରଣର ଆଂଚଳିକ ନିର୍ଦ୍ଦେଶକ ଓ ଜନସାଧାରଣଙ୍କ ମିଳିତ ବୈଠକ ହୋଇଥିଲା । ଫ୍ଲାଏଓଭର କାମ ନେଇ ଆସନ୍ତା ୧୨ ତାରିଖ ସୁଦ୍ଧା ଜାତୀୟ ରାଜପଥ ପ୍ରାଧିକରଣ ନିଜର ସର୍ଭେ ରିପୋର୍ଟ ଦାଖଲ କରିବ ଓ ଏହାପରେ ଫ୍ଲାଏଓଭର କାମ ନିର୍ମାଣ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଥିଲା । ଏହାପରେ ସେଠାରେ ସଂପ୍ରସାରଣ କାମ ବନ୍ଦ ରହିଛି । ତେବେ ରାସ୍ତା ଖୋଳାଯାଇଥିବାରୁ ରାସ୍ତାର ପ୍ରସ୍ତ ୨୦-୨୫ ଫୁଟ ମଧ୍ୟରେ ସୀମିତ ହୋଇଯାଇଛି ।

ଏହା ସହ ସେଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମେତ ଜାନକୀ ବଲ୍ଲଭ ପଟ୍ଟନାୟକ ସ୍ମୃତି ଉଦ୍ୟାନ ରହିଥିବାରୁ ନିୟମିତ ଭାବେ ପାଦଚଲା ଲୋକଙ୍କ ଭିଡ଼ ମଧ୍ୟ ରହୁଛି । କାର୍ଯ୍ୟାଳୟ ନିକଟରେ ବିଭିନ୍ନ ସମୟରେ ବିଭିନ୍ନ ସଂଗଠନ ପକ୍ଷରୁ ଧାରଣା, ପ୍ରତିବାଦ ଆଦି କାର୍ଯ୍ୟକ୍ରମ କରାଯାଉଛି । ଏହି ସମୟରେ ସେଠାରେ ଟ୍ରାଫିକ୍ ଜାମ ହେବା ସହ ଲୋକ ଗହଳି ଯୋଗୁଁ ଦୁର୍ଘଟଣା ଘଟିବା ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟ ଅଂଚଳରେ ସାଧାରଣ ପ୍ରତିବାଦ, ଧାରଣା ଆଦି ସାମୟିକ ସମୟ ପାଇଁ ନିଷିଦ୍ଧ କରିବା ସହ ସହରରୁ ଆସୁଥିବା ବସ୍ ଚଣ୍ଡୀ ମନ୍ଦିର ରାସ୍ତା ଦେଇ ଚଳପ୍ରଚଳ ନିଶ୍ଚିତ କରିବାକୁ ସାଧାରଣରେ ମତ ପ୍ରକାଶ ପାଇଛି । ଯଦି ଫ୍ଲାଏଓଭର ନିର୍ମାଣରେ ବିଳମ୍ବ ଘଟେ ତେବେ ଏବେଠାରୁ ଏଭଳି ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ ନକଲେ ଆଗାମୀ ଦିନରେ ଅନେକ ଧନଜୀବନ ହାନୀ ହେବା ସମ୍ଭାବନା ରହିଥିବା ଆଶଙ୍କା ରହିଛି ।