ଏନ୍‌ଏଡିରେ ଏଫ୍‌ଏମ୍‌ ବିଶ୍ବବିଦ୍ୟାଳୟ ଆଗୁଆ, ଅନ୍‌ଲାଇନ୍‌ରେ ଛାତ୍ରଛାତ୍ରୀ ପାଇବେ ଶିକ୍ଷା ପ୍ରମାଣପତ୍ର

‘ଡିଜି ଲକର୍‌’ରେ ୧ ଲକ୍ଷ ୨୫ ହଜାର ଶିକ୍ଷା ପ୍ରମାଣପତ୍ର

ବାଲେଶ୍ବର : ଶିକ୍ଷା ପ୍ରମାଣପତ୍ର ନେବାକୁ ଛାତ୍ରଛାତ୍ରୀଙ୍କୁ ଆଉ ବିଶ୍ବବିଦ୍ୟାଳୟ ଦୌଡ଼ିବାକୁ ପଡ଼ିବ ନାହିଁ। ଆଧାର ନମ୍ବର ମାଧ୍ୟମରେ ଛାତ୍ରଛାତ୍ରୀ ଶିକ୍ଷା ପ୍ରମାଣପତ୍ର ସବୁ ଅନଲାଇନ୍‌ରୁ ଡାଉନ୍‌ଲୋଡ୍‌ କରିପାରିବେ। ବିଶ୍ବବିଦ୍ୟାଳୟ ପକ୍ଷରୁ ଏହି ଶିକ୍ଷା ପ୍ରମାଣପତ୍ର ସବୁ ଅପଲୋଡ୍‌ କରାଯିବ। କେନ୍ଦ୍ର ସରକାର ଡିଜିଟାଲ ଯୋଜନାକୁ ଗୁରୁତ୍ବ ଦେଇ ଏଭଳି ନିଷ୍ପତ୍ତି ନେଇଥିବା ବେଳେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ବିଶ୍ବବିଦ୍ୟାଳୟକୁ ସ୍ନାତକ ଓ ସ୍ନାତକୋତ୍ତର ଛାତ୍ରଛାତ୍ରୀଙ୍କ ଶିକ୍ଷା ପ୍ରମାଣପତ୍ର ଅନ୍‌ଲାଇନ୍‌ରେ ଅପଲୋଡ୍‌ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ନ୍ୟାସନାଲ୍ ଏକାଡେମିକ୍ ଡିପୋଜିଟାରି(ଏନ୍‌ଏଡି)ର ‘ଡିଜି ଲକର’ ଦ୍ବାରା ଏହି ପ୍ରମାଣପତ୍ର ସବୁ ଅପଲୋଡ୍‌ କରାଯାଉଛି। ଏହି ଡିଜି ଲକର ହେଉଛି ଏକ ଅନଲାଇନ୍ ଡାଟାବେସ୍‌। ଯେଉଁଥିରେ ସ୍ନାତକ ଓ ସ୍ନାତକୋତ୍ତର ଛାତ୍ରଛାତ୍ରୀଙ୍କ ଶିକ୍ଷା ପ୍ରମାଣପତ୍ର ଅପଲୋଡ୍‌ କରାଯାଉଛି। ଏହି କ୍ରମରେ ବାଲେଶ୍ବର ଫକୀରମୋହନ ବିଶ୍ବବିଦ୍ୟାଳୟ ସଫଳତା ପାଇଁ ବେଶ୍‌ ତତ୍ପରତା ଦେଖାଇଛି ।

୨୦୧୫ ମସିହାରୁ ଏଫ୍‌ଏମ୍‌ ବିଶ୍ବଦ୍ୟାଳୟ ଅଧୀନରେ ପଢ଼ିଥିବା ସ୍ନାତକ ଓ ସ୍ନାତକୋତ୍ତର ଛାତ୍ରଛାତ୍ରୀଙ୍କ ଶିକ୍ଷା ପ୍ରମାଣପତ୍ର ସବୁ ଅପଲୋଡ୍‌ କରାଯାଉଛି। ୨୦୧୮, ୨୦୧୯ ଓ ୨୦୨୦ ବର୍ଷର ଉର୍ତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କ ଶିକ୍ଷା ପ୍ରମାଣପତ୍ର ଡିଜି ଲକର ଦ୍ବାରା ଅପଲୋଡ୍‌ ସରିଛି। ଏଫ୍‌ଏମ୍‌ ବିଶ୍ବବିଦ୍ୟାଳୟ ଅଧୀନରେ ଆସୁଥିବା କଲେଜର ୧ ଲକ୍ଷ ୨୫ ହଜାର ଛାତ୍ରଛାତ୍ରୀଙ୍କର ଶିକ୍ଷା ପ୍ରମାଣପତ୍ର ଅପଲୋଡ୍‌ ସରିଛି। ଯାହା ରାଜ୍ୟରେ ଏନ୍‌ଏଡିରେ ଏଫ୍‌ଏମ୍‌ ବିଶ୍ବବିଦ୍ୟାଳୟ ଆଗରେ ରହିଛି। ବହୁ ବିଶ୍ବବିଦ୍ୟାଳୟ ଏହି କାର୍ଯ୍ୟ ଆରମ୍ଭ କରିନଥିବା ବେଳେ ଆସନ୍ତା ମାର୍ଚ୍ଚ ସୁଦ୍ଧା ଆଉ ୪ ବର୍ଷର ଛାତ୍ରଛାତ୍ରୀଙ୍କ ପ୍ରମାଣପତ୍ର ଅପଲୋଡ୍‌ କରାଯିବାର ଲକ୍ଷ୍ୟ ରହିଥିବା ଏଫ୍‌ଏମ୍‌ୟୁ ଏନ୍‌ଏଡିର ସଂଯୋଜକ ଅଶାନ୍ତ ରଂଜନ ରାଉତରାୟ କହିଛନ୍ତି। ଏହା ଦ୍ବାରା ଛାତ୍ରଛାତ୍ରୀଙ୍କୁ ଶିକ୍ଷା ପ୍ରମାଣପତ୍ର ସାଙ୍ଗରେ ନେବାକୁ ପଡ଼ିବନାହିଁ। ‌ଯେକୌଣସି ଅନୁଷ୍ଠାନରେ ଚାକିରି କଲେ ସେଠାରେ ଏହି ଡିଜି ଲକର ଜରିଆରେ ସମସ୍ତ ପ୍ରମାଣପତ୍ର ଦେଖାଇପାରିବେ। ଏବେ ଦୁଇଟି ଉପାୟ(ଅଫଲାଇନ୍‌ ଓ ଅନ୍‌ଲାଇନ୍‌)ରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ପ୍ରମାଣପତ୍ର ଦିଆଯାଉଛି। ଆଉ କିଛି ବର୍ଷ ପରେ ଏହା ସଂପୂର୍ଣ୍ଣ ଅନ୍‌ଲାଇନ୍‌ ହୋଇଯିବ। ଡିଜି ଲକର ଦ୍ବାରା ଯେଉଁ ଶିକ୍ଷା ପ୍ରମାଣପତ୍ର ଅପଲୋଡ୍‌ କରାଯାଉଛି ଏହାକୁ ସବୁ କ୍ଷେତ୍ରରେ ବ୍ୟବହାର ହୋଇପାରିବ ବୋଲି ୟୁଜିସି ସବୁ ବିଶ୍ବବିଦ୍ୟାଳୟକୁ ନିର୍ଦ୍ଦେଶ ଦେଇଛି। ଆସନ୍ତା ଦିନରେ ଛାତ୍ରଛାତ୍ରୀ ଏହାଦ୍ବାରା ବେଶ୍‌ ଉପକୃତ ହେବେ ବୋଲି ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ କହିଛନ୍ତି।

ସମ୍ବନ୍ଧିତ ଖବର