କୁହୁଡି ଆସ୍ତରଣରେ କନ୍ଧମାଳ: ଫୁଲବାଣୀରେ ତାପମାତ୍ରା ୮.୮

ଫୁଲବାଣୀ ତଳକୁ ଦାରିଙ୍ଗବାଡି

ଫୁଲବାଣୀ:ପାରଦ ଖସୁଛି। ଆଉ ଶୀତ ବଢୁଛି। ଏଥି ସହ କୁହୁଡି ଆସ୍ତରଣରେ ସମଗ୍ର କନ୍ଧମାଳ ରହୁଛି। ଗତକାଲିଠାରୁ ଶୀତ ବଢିଛି। ଏଥି ସହ କୁହୁଡି ଲାଗି ରହୁଛି। ସଂଧ୍ୟାରୁ ଶୀତ ସାଙ୍ଗକୁ କୁହୁଡି ପଡୁଛି। ସକାଳ ୯ଟା ପର୍ଯ୍ୟନ୍ତ ଲାଗି ରହୁଛି ଶୀତ ଓ କୁହୁଡି। ଆଜି ସକାଳୁ ୭ଟା ପର୍ଯ୍ୟନ୍ତ ଏଭଳି କୁହୁଡି ଆସ୍ତରଣ ରହିଥଲା। ରାସ୍ତାରେ ବାଟ ଦିଶୁ ନଥିଲା। ସକାଳ ୮ଟାରେ କୁହୁଡି ଟିକେ କମ ରହିଥିଲା। ୯ଟା ପର୍ଯ୍ୟନ୍ତ କୁହୁଡି ଲାଗି ରହିଥିଲା। ଯାହା ଫଳରେ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଥିଲା।

ସବୁଠାରୁ ବଡ କଥା ହେଲା ଆଜି ଦାରିଙ୍ଗବାଡିଠାରୁ ଫୁଲବାଣୀରେ ତାପମାତ୍ରା କମ୍ ରହିଛି। ଦାରିଙ୍ଗବାଡିର ତାପମାତ୍ରା ୧୦ ଡିଗ୍ରୀ। ଆଉ ଫୁଲବାଣୀର ତାପମାତ୍ରା ୮.୮କୁ ଖସିଛି। ବିଗତ ବର୍ଷ ମାନଙ୍କରେ ଦାରିଙ୍ଗବାଡିଠୁ ଫୁଲବାଣୀ ଥଣ୍ଡା ଅଧିକ ହୋଇଛି। ଚଳିତ ବର୍ଷ ପ୍ରଥମ ଥର ପାଇଁ ଦାରିଙ୍ଗବାଡିଠୁ ଫୁଲବାଣୀର ତାପମାତ୍ରା କମ୍ ହୋଇଛି। ଫୁଲବାଣୀ ସବୁଠୁ ଥଣ୍ଡା ସହର । ଆଗକୁ ଶୀତର ପ୍ରକୋପ ବଢିବାର ଥିବାରୁ ଫୁଲବାଣୀ ସହରରେ ଅଧିକ କୁହୁଡି ଓ କାକର ପଡିବାର ସମ୍ଭାବନା ରହିଛି।

ସମଗ୍ର କନ୍ଧମାଳ ଶୀତ ଓ କୁହୁଡି ଆସ୍ତରଣରେ ରହୁଥିବା ବେଳେ ଆଗକୁ କରୋନା ଭୟ ଆଶଙ୍କା ସୃଷ୍ଟି କରିଛି। କରୋନା ଭୟ ଥିଲେ ବି ଶୀତରୁ ମଜା ଉଠାଇବା ନିମନ୍ତେ ବହୁ ଲୋକ ଘରୁ ପଦାକୁ ବାହାରୁଛନ୍ତି। କିଏ ପ୍ରାତଃ ଭ୍ରମଣ କରୁଛନ୍ତି ତ ଆଉ କିଏ ବ୍ୟାୟାମ କରୁଛନ୍ତି। ଆଗକୁ ଶୀତ ଆହୁରି ବଢିବାର ଥିବାରୁ କନ୍ଧମାଳର ଗରିବ,ନିଃସହାୟ ଓ ଦିନ ମଜୁରି ଶ୍ରେଣୀୟ ଲୋକଙ୍କ ମଧ୍ୟରେ ଚିନ୍ତା ବଢି ଯାଇଛି। ଏପଟେ କରୋନାକୁ ଭୟ। ସେପଟେ ଶୀତକୁ ଭୟ। ତେଣୁ ଅଧିକ ଶୀତ ଆସିବା ପୂର୍ବରୁ ଏମାନଙ୍କ ପାଇଁ ପ୍ରଶାସନ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରିବା ଜରୁରୀ ହୋଇ ପଡିଛି।

ସମ୍ବନ୍ଧିତ ଖବର