ଭଞ୍ଜନଗର: ସହରର ବିଭିନ୍ନ ଗଳିକନ୍ଦିରେ ଦୋକାନ, ଠେଲା ଆଦିରେ ମନଇଛା ଜଳଖିଆଠାରୁ ଆରମ୍ଭ କରି ଫାଷ୍ଟଫୁଡ ବିକ୍ରି ହେଉଛି। ଅସ୍ୱାସ୍ଥ୍ୟକର ପରିବେଶ ସହିତ ନିମ୍ନମାନର ଖାଦ୍ୟ ସାମଗ୍ରୀ ଖୁଲମଖୁଲା ବିକ୍ରି ହେଉଥିବାବେଳେ ଏହାର ମାନ ଯାଞ୍ଚ କରିବା ପାଇଁ କେହି ନାହାଁନ୍ତି । ଛତୁ ଫୁଟିଲା ପରି ସାହି ବଜାରଠାରୁ ଆରମ୍ଭ କରି ବିଭିନ୍ନ ଜନଗହଳି ସ୍ଥାନରେ ଜଳଖିଆ ଦୋକାନ ଦେଖିବାକୁ ମିଳୁଛି। ସାଧାରଣ ଲୋକଙ୍କ ଜୀବନ ସହିତ ସାଂଘାତିକ ଖେଳ ଖେଳାଯାଉଥିବାବେଳେ ଏଥିପ୍ରତି ଏନଏସିରେ ଥିବା ସମ୍ପୃକ୍ତ ବିଭାଗର ଦୃଷ୍ଟି ନଥିବା ଜାଣିବା ଶୁଣିବା ମହଲରୁ ମତ ମିଳୁଛି।

Advertisment

ଚାଉମିନ,ଚାଟ,ନନଭେଜ ଫାଷ୍ଟଫୁଡକୁ ସ୍ବାଦିଷ୍ଟ ଓ ଆର୍କଷଣୀୟ କରିବା ପାଇଁ ରଙ୍ଗ ଆଉ ନିମ୍ନ ମାନର ସସର ଭାଗ ମାପ ରହୁନି। ସରକାର ସ୍ବଚ୍ଛ ପରିବେଶ ସାଙ୍ଗକୁ ସ୍ୱାସ୍ଥ୍ୟକର ଖାଦ୍ୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ବିକ୍ରି କରିବା ନିମନ୍ତେ ବିଭିନ୍ନ ନିୟମ ପ୍ରଣୟନ କରିଛନ୍ତି। ପ୍ରତ୍ୟେକ ବ୍ୟବସାୟୀ ଫାଷ୍ଟଫୁଡ କେନ୍ଦ୍ର ଖୋଲିବା ପାଇଁ ବିଜ୍ଞାପିତ ଅଞ୍ଚଳ ପରିଷଦରୁ ଟ୍ରେଡ୍ ଲାଇସେନ୍ସ ଆଣିବା ବାଧ୍ୟତାମୂଳକ କରାଯାଇଛି। ଜଳଖିଆ,ହୋଟେଲ୍ ରେଷ୍ଟୁରାଣ୍ଟ ଆଦି ଖୋଲିବା ନିମନ୍ତେ ଟ୍ରେଡ୍ ଲାଇସେନ୍ସ ସାଙ୍ଗକୁ ଖାଦ୍ୟ ନୀରିକ୍ଷକଙ୍କଠାରୁ ପ୍ରମାଣପତ୍ର ଆଣିବା ବି ଜରୁରୀ। କିନ୍ତୁ ଭଞ୍ଜନଗର ସହରରେ ଶତାଧିକ ଦୋକାନ ଖୋଲାଯାଇଥିବା ବେଳେ ଅନେକ ବ୍ୟବସାୟୀଙ୍କ ନିକଟରେ ନା ଅଛି ଫୁଡ ଲାଇସେନ୍ସ୍ ନା ଅଛି ଟ୍ରେଡ୍ ଲାଇସେନ୍ସ୍ |

ଏହି ଦୋକାନ ଗୁଡିକରେ ବିକ୍ରି କରାଯାଉଥିବା ଖାଦ୍ୟର ମାନ ଯାଞ୍ଚ କରିବା ନିମନ୍ତେ ମଧ୍ୟ କେହି ଅଧିକାରୀ ନଥିବା ଦୁର୍ଭାଗ୍ୟର ବିଷୟ। ଭଞ୍ଜନଗର ସହରରେ ୧୫ ୱାର୍ଡ ରହିଛି। ଏଥିସହ ମୁଖ୍ୟ ସଡ଼କଠାରୁ ଆରମ୍ଭ କରି ପୁରୁଣା ବଜାର ସାହି,ଖାଲାସି ସାହି, ବସଷ୍ଟାଣ୍ଡ୍, ଭେଜିପୁଟ, ଏଲ୍ଆଇସି କଲୋନୀ ଛକ, ବାଇପାସ୍ ଛକ ଏବଂ ବାଉଁଶଲୁଣ୍ଡି ଭଳି ଗୁରୁତ୍ବପୁର୍ଣ୍ଣ ରାସ୍ତାରେ ଖୋଲାଯାଇଛି ଜଳଖିଆ ଦୋକାନ ଓ ଫାଷ୍ଟ୍ଫୁଡ ସେଣ୍ଟର। ଭଞ୍ଜନଗର ଏନ୍‌ଏସି ପକ୍ଷରୁ ଚଳିତ ବର୍ଷ ୯୧ ବ୍ୟବସାୟୀଙ୍କୁ ହୋଟେଲ୍ ଏବଂ ଫାଷ୍ଟଫୁଡ ସେଣ୍ଟର କରିବା ପାଇଁ ଟ୍ରେଡ ଲାଇସେନ୍ସ୍ ଦିଆଯାଇଥିବାବେଳେ ସେଥିମଧ୍ୟରୁ କିଛି ବ୍ୟବସାୟୀ ପୁନଃ ପଞ୍ଜିକରଣ କରିଛନ୍ତି। ବିନା ଟ୍ରେଡ୍ ଲାଇସେନ୍ସରେ କୋଭିଡ ସହାୟତା ମିଳିବନି ବୋଲି ସରକାର ଘୋଷଣା କରିବା ପରେ ୨୦୨୦ରେ ସର୍ବାଧିକ ୪୯୧ ଜଣ ଟ୍ରେଡ୍ ଲାଇସେନ୍ସ୍ ନେଇଥିବାବେଳେ ୨୦୨୧ରେ ଏହି ସଂଖ୍ୟା ୧୮୭କୁ ଖସି ଆସିଥିଲା | ଆଉ ଚଳିତ ବର୍ଷ ମାତ୍ର ୯୧ରେ ଏହି ସଂଖ୍ୟ ସୀମିତ ରହିଛି।

ଏହା ଦ୍ବାରା ଏନ୍ଏସି ବହୁ ରାଜସ୍ବ ହରାଉଥିବା ନିଶ୍ଚିତ। ଅନେକ ଜାଗାରେ ଅସ୍ୱାସ୍ଥ୍ୟକର ପରିବେଶରେ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ କରାଯାଉଛି। ଭଲ ପାଣିର ମଧ୍ୟ ବ୍ୟବହାର କରାଯାଉନାହିଁ। ଏଭଳି ସ୍ଥିତିରେ ଖାଦ୍ୟର ମାନ ଯାଞ୍ଚ କରିବା ପାଇଁ କେହି ନାହାନ୍ତି। ପୂର୍ବରୁ ଜଣେ ଖାଦ୍ୟ ନିରୀକ୍ଷକ ବ୍ରହ୍ମପୁରରେ ରହିଥିବା ବେଳେ ଗତ ଦୁଇ ମାସ ତଳେ ଭଞ୍ଜନଗର ଡାକ୍ତରଖାନାରେ ଜଣେ ଖାଦ୍ୟ ନିରୀକ୍ଷକ ଯୋଗ ଦେଇଛନ୍ତି। କିନ୍ତୁ କିଛି ହୋଟେଲ ବୁଲି ପରିବେଶ ଦେଖିଥିବାବେଳେ ସେଭଳି କୌଣସି ଆଖିଦୃଶିଆ ଚଢ଼ାଉ ହୋଇନାହିଁ। ସହରର ୮ଟି ହୋଟେଲକୁ ସେ ନୋଟିସ ଜାରି କରିଥିବାବେଳେ ଆଗାମୀ ଦିନରେ ବ୍ୟାପକ ଚଢ଼ାଉ କରାଯିବ ବୋଲି ଡାକ୍ତରଖାନା ସୁ୍ତ୍ରରୁ ଜଣାପଡିଛି।