କୋରାପୁଟ ଜିଲ୍ଲାରେ ଆଣ୍ଠେଇଛି ଖାଦ୍ୟ ଯାଞ୍ଚ, ବିନା ପଞ୍ଜିକରଣରେ ଚାଲିଛି ରାସ୍ତା ପାର୍ଶ୍ବ ଖାଦ୍ୟ ବ୍ୟବସାୟ

କୋରାପୁଟ: କୋରାପୁଟ ସହରରେ କାହିଁକି ଜିଲ୍ଲା ସାରା ପ୍ରତି ଗଳିକନ୍ଦି‌ରେ ଛତୁ ଫୁଟିଲା ପରି ଖୋଲିଛି ଜଳଖିଆ ଦୋକାନ ଓ ହୋଟେଲ। ରାଜ୍ୟ ତଥା ରାଜ୍ୟ ବାହାରୁ ଏଠାକୁ ଆସି ଠେଲାଟେ ଭଡା କରି ଭଳିକି ଭଳି ଖାଦ୍ୟ ନାଁ ପରଷୁଛନ୍ତି ବିଷ। ରାସ୍ତାକଡରେ ସବୁଠୁ ସସ୍ତା ସୁନ୍ଦର ମଜବୁତ ହୋଇଥିବାରୁ ବିନା ପଞ୍ଜିକରଣରେ ଚାଲିଛି ବ୍ୟବସାୟ। ହେଲେ ଦେଖି ଅଣଦେଖା କରୁଛି କୋରାପୁଟ ଜିଲ୍ଲା ପ୍ରଶାସନ। ଖାଲି ସେତିକି ନୁହେଁ ଖରାଦିନ ହୋଇଥିବାରୁ ଜିଲ୍ଲାରେ ଭଳିକି ଭଳି ଲସି ମଧ୍ୟ ‌ଦେଖିବାକୁ ମିଳିଛି। ସବୁଠୁ ବଡ଼ କଥା ହେଲା ଏହାକୁ ଯାଞ୍ଚ କରିବାକୁ କୋରାପୁଟ ଜିଲ୍ଲା ପ୍ରଶାସନ ନିକଟରେ ନାହିଁ ଯୋଜନା।

ଜିଲ୍ଲାବ୍ୟାପୀ ଜଣେ ମାତ୍ର ଅଧିକାରୀ ରହିଥିବାବେଳେ ତାଙ୍କ ମୁଣ୍ଡରେ ରହିଛି ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାର ଦାୟିତ୍ବ। ତେବେ ପ୍ରତି ବ୍ଲକକୁ ଜଣେ ଖାଦ୍ୟ ସୁରକ୍ଷା ତଥା ଯାଞ୍ଚ ଅଧିକାରୀ ରହିବାକୁ ନିୟମ ରହିଥିବାବେଳେ କୋରାପୁଟ ଓ ଜୟପୁର ଉପଖଣ୍ଡ ପାଇଁ ଦୁଇଜଣ ଓ ଜିଲ୍ଲା ପାଇଁ ଜଣେ କର୍ମଚାରୀ ରହିବା କଥା। ମୋଟ ଭାବେ ୧୭ଜଣ କର୍ମଚାରୀ ରହିବାକୁ ଥିବାବେଳେ ଏବେ ମାତ୍ର ଜଣେ କର୍ମଚାରୀ ରହିଛନ୍ତି। ଅନ୍ୟ ଜଣେ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯିବାକୁ ବ୍ୟବସ୍ଥା ପାଇପ ଲାଇନ ମଧ୍ୟରେ ରହିଥିବାବେଳେ କେବେ ଏହା ଦିଆଯିବ ତାହା ଅସ୍ପଷ୍ଟ ରହିଛି।

ଜିଲ୍ଲାରେ ଖାଦ୍ୟର ମାନ କିପରି ରହିଛି ତାହା ନା ଜନସାଧାରଣ ଜାଣିଛନ୍ତି ନା ପ୍ରଶାସନକୁ ଜଣା ଅଛି। ପ୍ରଶାସନ ପୁରୁଣା ମାମଲା ପରିଚାଳନା କରିବାକୁ ନାକେ ଦମ୍ ହେଉଥିବାବେଳେ ନୂଆ ମାମଲା ସେପରି ଦେଖିବାକୁ ମିଳୁନାହିଁ।  ଜିଲ୍ଲାର ବିଭିନ୍ନ ବଜାରରେ ହଜାର ଜହାର ଜଳିଖିଆ ଦୋକାନ, ଲସି ଦୋକାନ, ହୋଟେଲ ଓ ଠେଲା ଦୋକାନ ଦେଖିବାକୁ ମିଳିଛି। କେତୋଟି ନିର୍ଦ୍ଧିଷ୍ଟ ଦୋକାନକୁ ଛାଡିଦେଲେ ପ୍ରାୟ ସବୁ ଦୋକାନୀଙ୍କର ଫୁଡ ଲାଇସେନ୍ସ ନାହିଁ। ବିନା ଲାଇସେନ୍ସରେ ଛତୁ ଫୁଟିଲା ପରି ଦେଖିବାକୁ ମିଳିଛି ଦୋକାନ। ଯେଉଁଭଳି ଭାବେ ଖାଦ୍ୟ ପଦାର୍ଥର ଯତ୍ନ ନିଆଯିବା କଥା ନିଆଯାଉନାହିଁ। ଖାଦ୍ୟ ପ୍ରସ୍ତୁତ ବେଳେ ଯେତିକି ସତର୍କତା ଅବଲମ୍ବନ କରାଯିବା କଥା କରାଯାଉନାହିଁ। ସବୁଠୁ ବଡ କଥା ହେଲା ପ୍ରାଶାସନ ପକ୍ଷରୁ ଯୋଗାଇ ଦିଆଯାଉଥିବା ପାନୀୟ ଜଳକୁ ସ୍ଥାନୀୟ ଦୋକାନୀ ବିନା ଅନୁମତି ନେଇ ବ୍ୟବହାର କରୁଛନ୍ତି। ସଂଯୋଗ ନ ନେଇ ପାଇପକୁ ଫୁଟାଇ ଜଳ ସଂଗ୍ରହ କରାଯାଉଥିବାବେଳେ ଏହିଠାରୁ ପାଣି ଦୂଷିତ ହେଉଥିବା ଦେଖିବାକୁ ମିଳିଛି।

ଅନ୍ୟପକ୍ଷରେ ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ (ଏଫଏସଏସଏଆଇ) ନିୟମ ଅନୁସାରେ ପ୍ରତି ବ୍ଲକକୁ ଜଣେ ଲେଖାଏଁ ଅଧିକାରୀ ରହିବା କଥା। ଏହାସହ ଉପଖଣ୍ଡ ଓ ଜିଲ୍ଲା ସ୍ତରରେ ଜଣେ ରହିବା କଥା। କିନ୍ତୁ ଏଠାରେ ଜଣେ କର୍ମଚାରୀଙ୍କ ହାତରେ କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲାର ଦାୟିତ୍ବ ତିନିବର୍ଷ ହେଲା ରହିଛି। ନା ରାଜ୍ୟ ସରକାର କର୍ମଚାରୀଙ୍କୁ ନିଯୁକ୍ତି ଦେଉଛନ୍ତି ନା ଖାଦ୍ୟର ମାନ ଓ ସୁରକ୍ଷା ପାଇଁ କୌଣସି ବ୍ୟବସ୍ଥା କରୁଛନ୍ତି। ଫଳରେ ଜିଲ୍ଲାରେ ନାହିଁ ନଥିବା ସମସ୍ୟା ଦେଖିବାକୁ ମିଳିଛି। ୨୦୦୬ରେ ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ଯାଞ୍ଚ କରିବାକୁ ଆଇନ ଆସିଥିଲା। ୨୦୧୧ରେ ଏହା ଆଇନରେ ପରିଣତ ହୋଇଥିବାବେଳେ ୨୦୧୩ରେ ରାଜ୍ୟରେ ଏହାକୁ ଲାଗୁ କରାଯାଇଥିଲା। ସେଠାରୁ ରାଜ୍ୟର ଅନ୍ୟ ଜିଲ୍ଲାରେ ଲ୍ୟାବ୍‌ ପ୍ରତିଷ୍ଠା ହୋଇଥିବାବେଳେ କୋରାପୁଟ ଜିଲ୍ଲା‌ରେ ଏହାକୁ ପ୍ରତିଷ୍ଠା କରାଯାଇପାରିନାହିଁ। କେବେ ପ୍ରତିଷ୍ଠା ହେବ ତାହା ମଧ୍ୟ ଜଣାନାହିଁ।

ଏନେଇ ଖାଦ୍ୟର ମାନ ଓ ସୁରକ୍ଷା ଅଧିକାରୀ ଦିନେଶ କୁମାର ମହାନ୍ତି କହିଛନ୍ତି ଯେ, ଏବେ ଯାଏ ଜିଲ୍ଲାରେ ୩୪ଜଣଙ୍କୁ ଆର୍ଥିକ ଜରିମାନା କରାଯାଇଥିବା ବେଳେ ତିନି ଜଣଙ୍କ ନାମରେ ମାମଲା ରୁଜୁ ହୋଇଛି। ଏହାସହ ଜିଲ୍ଲାରେ ୫୦ ଜଣଙ୍କୁ ମାଗଣାରେ ଟ୍ରେନିଂ ଦିଆଯାଇଥିବା ବେଳେ ୩୦ରୁ ଅଧିକ ଲୋକଙ୍କୁ ଫୁଡ ଲାଇସେନ୍ସ ଦିଆଯାଇଛି। ନିୟମିତ ଭାବେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଯାଞ୍ଚ କରାଯାଇ ନମୁନା ସଂଗ୍ରହ କରାଯାଉଛି। ଯାହାର ମାନ ଖରାପ ଥିବା ଦେଖିବାକୁ ମିଳୁଛି ସେମାନଙ୍କ ନାମରେ ମାମଲା ରୁଜୁ କରାଯାଉଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର