ଶେଷରେ ଚେତିଲା ଖାଦ୍ୟ ନିରାପତ୍ତା ବିଭାଗ: ୩୫ ଫୁଡ୍‌ଷ୍ଟଲରେ ଚଢ଼ଉ, ୩୦ କେଜି ବାସି ଖାଦ୍ୟ ଜବତ

ରାଉରକେଲା: ପାର୍ବଣ ଋତୁ ଆରମ୍ଭ ହୋଇଗଲାଣି। ବିଭିନ୍ନ ସ୍ଥାନରେ ଏବେ ସ୍ଥାୟୀ, ଅସ୍ଥାୟୀ ଫୁଡ୍‌ଷ୍ଟଲ୍‌ ଗଢ଼ିଉଠିଛି। ଏଠାରେ ଖାଦ୍ୟର ମାନ ଅତ୍ୟନ୍ତ ନିମ୍ନମାନର ଥିଲା। ଏନେଇ ବିଗତ ଦିନରେ ଦୋକାନି ଓ ଗ୍ରାହକଙ୍କ ମଧ୍ୟରେ ଯୁକ୍ତିତର୍କ ହେବା ସହ ଗଣ୍ଡଗୋଳ ମଧ୍ୟ ଦେଖିବାକୁ ମିଳିଥିଲା। ବିଡ଼ମ୍ବନା, ରାଉରକେଲା ମହାନଗର ନିଗମ(ଆର୍‌ଏମ୍‌ସି) ସ୍ବାସ୍ଥ୍ୟ ବିଭାଗ, ଖାଦ୍ୟ ନିରାପତ୍ତା ବିଭାଗ ଚୁପ୍‌ ବସିଥିଲା।

ଖାଦ୍ୟର ମାନ ଯାଞ୍ଚ କରାଯାଉନଥିଲା କିମ୍ବା ଅତର୍କିତ ଚଢ଼ଉ ବି ଦେଖିବାକୁ ମିଳୁନଥିଲା। ଭୁବନେଶ୍ବରରେ ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ଗତ ମାସାଧିକକାଳ ଘନଘନ ଚଢ଼ଉ, ଯାଞ୍ଚ କରାଯାଉଥିବାବେଳେ ରାଉରକେଲାରେ ତା’ର କାଣିଚାଏଁ ଦେଖିବାକୁ ନ ମିଳିବାରୁ ଆର୍‌ଏମ୍‌ସି କର୍ତ୍ତୃପକ୍ଷଙ୍କୁ କଡ଼ା ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା। ତେବେ ଶେଷରେ କର୍ତ୍ତୃପକ୍ଷ ‌ଚେତିଛନ୍ତି। ଆଜି ସହରର ବିଭିନ୍ନ ସ୍ଥାନରେ ଥିବା ଫୁଡଷ୍ଟଲ୍‌ରେ ଚଢ଼ଉ କରି ନିୟମ ଉଲ୍ଲଂଘନକାରୀଙ୍କଠାରୁ ଜରିମାନା ଆଦାୟ କରାଯାଇଛି।

ରାଉରକେଲା ମହାନଗର ନିଗମର ଖାଦ୍ୟ ନିରାପତ୍ତା ଅଧିକାରୀ ସ୍ବାଗତିକା ବେହେରାଙ୍କ ନେତୃତ୍ବରେ ଏକ ଦଳ ରାଉରକେଲା ସହର ଓ ଉପକଣ୍ଠ ବନ୍ଧମୁଣ୍ଡା ଅଞ୍ଚଳରେ ଖାଦ୍ୟର ମାନ ପରଖିଥିଲେ। ସ୍ଥାନୀୟ ପାୱାର ହାଉସ ରୋଡ୍‌, ବନ୍ଧମୁଣ୍ଡା, କୋଏଲ ନଗର ଅଞ୍ଚଳରେ ଥିବା ୩୫ ଟି ଫୁଡ୍‌ ଷ୍ଟଲରେ ଚଢ଼ଉ କରାଯାଇଥିଲା। ପ୍ରତିନିଧି ଦଳ ଖାଦ୍ୟର ମାନ ଯାଞ୍ଚ କରିବାସହ ଖାଦ୍ୟ ତିଆରି ପ୍ରକ୍ରିୟା ସମୀକ୍ଷା କରିଥିଲେ। ଯାଞ୍ଚବେଳେ ବିଭିନ୍ନ ଦୋକାନରୁ ପାଖାପାଖି ୩୦ କେଜି ବାସି ଖାଦ୍ୟ ଥିବା ଜଣାପଡ଼ିଥିଲା। ଉକ୍ତ ବାସି ଖାଦ୍ୟକୁ ନଷ୍ଟ କରାଯାଇଛି। ଏହାସହ ନିୟମ ଉଲ୍ଲଂଘନକରି ଖାଦ୍ୟ ବିକୁଥିବା ଦୋକାନିଙ୍କଠାରୁ ୫ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି।

ସମ୍ବନ୍ଧିତ ଖବର