ପ୍ରହସନ ପାଲଟିଛି ଖାଦ୍ୟ ନିରାପତ୍ତା ଚଢ଼ଉ, ୧୦୦ଟଙ୍କା ଜୋରିମାନା ଆଦାୟ କରି ଦାୟିତ୍ୱ ସାରୁଛନ୍ତି ଅଧିକାରୀ

ଖୋର୍ଦ୍ଧା : ଖୋର୍ଦ୍ଧା ସହରରେ ପଂଜୀକୃତ ନଥାଇ ଅନେକ ହୋଟେଲ୍, ରେସ୍ତୋରାଁ, ଢାବା ଆଦି ଚାଲିଛି । ଅଧିକାଂଶ ରନ୍ଧା ଖାଦ୍ୟ ବିକ୍ରି କରୁଥିବା ସଂସ୍ଥାରେ ନିମ୍ନମାନ, ଅସ୍ୱାସ୍ଥ୍ୟକର, ବାସି ଖାଦ୍ୟ ବିକ୍ରି କରାଯାଉଥିବା ନେଇ ଅନେକ ଥର ଅଭିଯୋଗ ହେଉଛି । ଜାନୁଆରୀ ମାସରେ ଖାଦ୍ୟ ସୁରକ୍ଷା ଅଧିକାରୀ ଓ ପୌର ପ୍ରଶାସନ ମିଳିତ ଚଢ଼ଉରେ ଏହି କଥା ପ୍ରମାଣିତ ହୋଇଥିଲା । ତେବେ ଦୀର୍ଘ ୫ ବର୍ଷ ପରେ ଚଢ଼ଉ ହୋଇଥିବାରୁ ଚେତବାନୀ ଦିଆଯାଇଥିଲା । ଏହା ମଧ୍ୟରେ ତିନି ତିନି ଥର ଚଢ଼ଉ ହୋଇଥିଲେ ମଧ୍ୟ ନିମ୍ନମାନର ଓ ଅସ୍ୱାସ୍ଥ୍ୟକର ଖାଦ୍ୟ ବିକ୍ରି କରୁଥିବା ହୋଟେଲ୍, ରେସ୍ତୋରାଁ ବିରୋଧରେ ଦୃଷ୍ଟାନ୍ତମୂଳକ ପଦକ୍ଷେପ ଗ୍ରହଣ କରାଯାଉନାହିଁ । କେବଳ ୧୦୦ଟଙ୍କା ଜୋରିମାନା ଆଦାୟ କରି ନିଜର ପୌର ପ୍ରଶାସନ ଓ ଖାଦ୍ୟ ସୁରକ୍ଷା ବିଭାଗ ନିଜର ଦାୟିତ୍ୱ ସାରି ଦେଉଛନ୍ତି ।

ଆଜି ଖୋର୍ଦ୍ଧା ସହରରେ ତୃତୀୟ ଥର ପାଇଁ ଭୁବନେଶ୍ୱର ଖାଦ୍ୟ ସୁରକ୍ଷା ଅଧିକାରୀ ସତ୍ୟଜିତ ପଟେଲ୍ ଓ ପୌର ପ୍ରଶାସନର କର୍ମଚାରୀଙ୍କ ଏକ ଯୁଗ୍ମ ଟିମ୍ ବିଭିନ୍ନ ହୋଟେଲ୍, ରେସ୍ତୋରାଁ, ଢାବା ଆଦିରେ ଚଢ଼ଉ କରିଥିଲେ । ଘଂଟାଏ, ଦେଢ଼ ଘଂଟାର ଚଢ଼ଉରେ ଟ୍ରାଫିକ ଛକ, ପୁରୁଣା ବସଷ୍ଟାଣ୍ଡ, ନୟାଗଡ଼-ଖୋର୍ଦ୍ଧା ସଡ଼କର ଛକ, ପଲଟଣ ପଡ଼ିଆ ଆଦି ଅଂଚଳରେ ଥିବା ଜଳଖିଆ ଦୋକାନ, ହୋଟେଲ୍ ଆଦି ବୁଲି ଖାଦ୍ୟ ଯାଂଚ କରିଥିଲେ । ପ୍ରାୟ ଦେଢ଼ ଘଂଟା ଚାଲିଥିବା ଏହି ଚଢ଼ଉରେ ୭ଟି ହୋଟେଲ୍ ଓ ଜଳଖିଆ ଦୋକାନକୁ ଯାଂଚ କରାଯାଇ ୧୯୦୦ଟଙ୍କା ଜୋରିମାନା ଆଦାୟ କରାଯାଇଥିଲା ।

ତେବେ ଗତ ୪୦ ଦିନ ମଧ୍ୟରେ ଖୋର୍ଦ୍ଧା ସହରରେ ଏଭଳି ୩ ଥର ଚଢ଼ଉ ହେଲାଣି । ତିନି ଥର ଚଢ଼ଉରେ ୨୦ରୁ ଉଦ୍ଧ୍ୱର୍ ଢାବା, ହୋଟେଲ୍, ରେସ୍ତୋରାଁ, ଫାଷ୍ଟଫୁଡ କେନ୍ଦ୍ର ଆଦିରୁ ଜୋରିମାନା ଆଦାୟ କରାଗଲାଣି । କିନ୍ତୁ ଯେଉଁଭଳି ଭାବେ ଚଢ଼ଉ କରାଯାଉଛି ତାହା କେବଳ ଧର୍ମକୁ ଆଖି ଠାର ଭଳି ହୋଇଛି । ଚଢ଼ଉ ସକାଳେ କରାଯାଉଥିବା ବେଳେ ସହରର ଅଧିକାରୀ ରେସ୍ତୋରାଁ, ଫାଷ୍ଟଫୁଡ କେନ୍ଦ୍ର ପୂର୍ବରୁ ସୂଚନା ପାଇ ନିଜ ଦୋକାନ ବନ୍ଦ ରଖୁଛନ୍ତି । ଅପରାହ୍ଣରେ ସମସ୍ତ ଦୋକାନରେ ଅନୁରୂପ ଭାବେ ନିମ୍ନମାନ ଓ ଅସ୍ୱାସ୍ଥ୍ୟକର ଖାଦ୍ୟ ବିକ୍ରି ହେଉଛି ।

ପ୍ରାୟ ୪୦ ହଜାର ଜନସଂଖ୍ୟା ବିଶିଷ୍ଟ ଖୋର୍ଦ୍ଧା ସହରରେ ବର୍ତମାନ ୧୦୦ରୁ ଅଧିକ ହୋଟେଲ୍, ଜଳଖିଆ ଦୋକାନ, ରେସ୍ତୋରାଁ ଓ ଫାଷ୍ଟଫୁଡ କେନ୍ଦ୍ର ଅଛନ୍ତି । ଆଗକୁ ଆହୁରି ନୂଆ ନୂଆ ରେସ୍ତୋରାଁ, ଫାଷ୍ଟଫୁଡ କେନ୍ଦ୍ର ଖୋଲିବାର ଯୋଜନା ରହିଛି । ଯଦି ସହରର ଜନ ସଂଖ୍ୟାକୁ ତୁଳନା କରାଯାଏ ତେବେ ପ୍ରତି ହଜାର ଜନସଂଖ୍ୟାରେ ଗୋଟିଏ ହୋଟେଲ୍ ରହିଛି । ଏପରିସ୍ଥଳେ ଆଖିଦୃଷିଆ ଭାବେ ଚଢ଼ଉ କରାନଯାଇ ଅପମିଶ୍ରିତ ଖାଦ୍ୟ ସାମଗ୍ରୀ ବିକ୍ରି କରୁଥିବା ଦୋକାନୀଙ୍କ ବିରୋଧରେ ଆଇନାନୁସାରେ ଦୃଢ଼ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି ।

ସମ୍ବନ୍ଧିତ ଖବର