ଗୋଳନ୍ଥରା: ବନ୍ୟଜନ୍ତୁ ଶିଙ୍ଗ ଓ ଚମଡ଼ା ଚାଲାଣ ମାମଲାର ତଦନ୍ତ କରିବା ବେଳେ ବ୍ରହ୍ମପୁର ପୁଲିସକୁ ଏକ ବଡ଼ ଧରଣର ସଫଳତା ମିଳିଛି। ଗୋଳନ୍ଥରା ଥାନା ପୁଲିସ ଟାମଣା ଜଙ୍ଗଲରେ ଚଢ଼ଉ କରି ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ୨ଟି ଶିକାରୀ ବନ୍ଧୁକ, ଦୁଇଟି ହରିଣ ଶିଙ୍ଗ ଜବତ ହୋଇଛି। ସେହିପରି ୧୨୫ଟି ଗୁଳି, ୨ଶହ ଖୋକା, ୧୦କେଜି ସ୍ପ୍ରିଣ୍ଟର୍, ୨୫୦ ଗ୍ରାମ ଛୋଟ ସ୍ପ୍ରିଣ୍ଟର୍ ଓ ଏହା ତିଆରି ସାମଗ୍ରୀ, ୨ଶହ ଗ୍ରାମ ଗନ୍ ପାଉଡ଼ର୍ ଜବତ ହୋଇଛି। ଗିରଫ ଅଭିଯୁକ୍ତମାନେ ହେଲେ ଗୋଳନ୍ଥରା ଥାନା ସିଙ୍ଗାବାଡ଼ିର ଚିଆଁ ଓରଫ୍ ପୂର୍ଣ୍ଣ ଗୌଡ଼(୩୫), ମେଦିନିପୁରର ଶଙ୍କର ପ୍ରଧାନ(୫୫), ଦିଗପହଣ୍ଡି ଥାନା ବେତଝରିର ଅଭି ଓରଫ୍ ଭାଲିଆ ମଲ୍ଲିକ(୪୦) ଓ କହ୍ନେଇପୁଟର ବୃନ୍ଦାବବନ ମଲ୍ଲିକ(୪୫) ବୋଲି ବ୍ରହ୍ମପୁର ଏସ୍.ପି. ଡା. ଶରବଣା ବିବେକ ଏମ୍ ସୂଚନା ଦେଇଛନ୍ତି। ଗୋଳନ୍ଥରା ଥାନା କେସ୍ ନମ୍ବର ୩/୨୪ରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।
ପୁଲିସର ସୂଚନା ଅନୁସାରେ ପୂର୍ଣ୍ଣ ହେଉଛି ଟାମଣା ଡନ୍ କୁନା ବେହେରାଙ୍କ ସହଯୋଗୀ। ସେ କୁନା ସହିତ ଟାମଣା ଜଙ୍ଗଲରେ ବନ୍ୟଜନ୍ତୁ ଶିକାର କରି ଶିଙ୍ଗ ଓ ଚମଡ଼ା କାରବାର କରୁଥିଲା। ଗତକାଲି ପୂର୍ଣ୍ଣ ତା’ର କିଛି ସହଯୋଗୀଙ୍କ ସହିତ ଟାମଣା ଜଙ୍ଗଲରେ ଛପି ରହିଥିବା ପୁଲିସ ସୂଚନା ପାଇଥିଲା। ସେ ନେଇ ବ୍ରହ୍ମପୁର ଏସ୍.ପି. ଡା. ଶରବଣାଙ୍କ ନିର୍ଦ୍ଦେଶ କ୍ରମେ ସଦର ଏସ୍ଡିପିଓ ଶିବ ଶଙ୍କର ମହାପାତ୍ରଙ୍କ ନେତୃତ୍ବରେ ଏକ ଟିମ୍ ସେଠାରେ ଚଢ଼ଉ କରିଥିଲା। ପୁଲିସ ପୂର୍ଣ୍ଣର ଆଡ଼ାକୁ ଚାରିପଟୁ ଘେରି ଯାଇଥିଲା। ପୁଲିସକୁ ଦେଖି ପୂର୍ଣ୍ଣ ଓ ସହଯୋଗୀ ଫେରାର୍ ମାରିବାକୁ ଉଦ୍ୟମ କରୁଥିବା ବେଳେ ପୁଲିସ ସେମାନଙ୍କୁ ମାଡ଼ି ବସିଥିଲା। ଯାଞ୍ଚ ପରେ ସେମାନଙ୍କ ନିକଟରୁ ହରିଣ ଖପୁରୀ ରହିଥିବା ଶିଙ୍ଗ, ବନ୍ଧୁକ, ଗୁଳି ପ୍ରଭୃତି ଜବତ ହୋଇଥିଲା। ଅଭିଯୁକ୍ତ ପୂର୍ଣ୍ଣ ଓ ଶଙ୍କର ନାମରେ ପୂର୍ବରୁ ମାମଲା ରହିଛି। ସେମାନେ ଦିଗପହଣ୍ଡି ଓ ଗୋଳନ୍ଥରା ଥାନା ପୁଲିସ ଦ୍ବାରା ପୂର୍ବରୁ ଗିରଫ ହୋଇଥିଲେ। ୨୦୨୧ରେ ପୂର୍ଣ୍ଣ ପୁଲିସକୁ ଆକ୍ରମଣ ମାମଲାରେ ସାମିଲ ଥିଲା।
/sambad/media/post_attachments/wp-content/uploads/2024/01/1e49b1cd-e0bd-4351-be20-069a30a96a20.jpeg)
ଏବେ କୁନା ଜେଲ୍ରେ ଥିବା ବେଳେ ପୂର୍ଣ୍ଣ ତା’ର ସହଯୋଗୀଙ୍କୁ ନେଇ ଟାମଣା ଜଙ୍ଗଲରେ ବନ୍ୟଜନ୍ତୁ ଶିକାର କରି ଶିଙ୍ଗ ଓ ଚମଡ଼ା ଚାଲାଣ କାରବାରରେ ଲିପ୍ତ ଥିଲା। ତେବେ ସେମାନେ କାହାକୁ ଏହି ଶିଙ୍ଗ ବିକ୍ରି କରିଥାନ୍ତେ ସେ ନେଇ ପୁଲିସ ତଦନ୍ତ ଜାରି ରଖିଛି। ସେହିପରି ଏତେ ପରିମାଣ ଗୁଳି କେଉଁଠି ଆଣିଥିଲେ ସେ ନେଇ ମଧ୍ୟ ତଦନ୍ତ ଜାରି ରହିଥିବା ସଦର ଏସ୍ଡିପିଓ ମହାପାତ୍ର କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/01/28e73725-cab1-42c4-90cf-7fdfea460dc6.jpeg)