ରାୟଗଡ଼ା: ଅଞ୍ଚଳର ବିକାଶ ପାଇଁ ଚାକିରି ଛାଡ଼ିଥିଲେ। ରାଜନୀତିରେ ଯୋଗଦେବା ପରେ ବିଜେପି ଟିକେଟରେ ୨୦୧୯ ସାଧାରଣ ନିର୍ବାଚନରେ ଗୁଣପୁର ବିଧାନସଭା ଆସନରୁ ନିର୍ବାଚନ ଲଢ଼ିବାକୁ ଆଶା ରଖିଥିଲେ। କିନ୍ତୁ ଦଳ ଗୁରୁତ୍ବ ଦେଲାନି, ଅଣଦେଖା କଲା। ତଥାପି ନିରାଶ ନ ହୋଇ ସଂଗଠନ ସୁଦୃଢ଼ କ୍ଷେତ୍ରରେ କାମ କରି ଚାଲିଥିବା ଯୁବ ନେତା ରବି ଗମାଙ୍ଗ ଚଳିତ ପଞ୍ଚାୟତ ନିର୍ବାଚନରେ ରାମନାଗୁଡ଼ା ବ୍ଲକର ଉକମ୍ବା ପଞ୍ଚାୟତରୁ ସମିତି ସଭ୍ୟ ଭାବେ ନିର୍ବାଚିତ ହୋଇଛନ୍ତି, ଯାହା ରବିଙ୍କ ଭାଗ୍ୟ ବଦଳାଇବାରେ ସହାୟକ ହୋଇଛି। ବିଜେପିର ତୁଙ୍ଗ ନେତାଙ୍କ ଅଣଦେଖାକୁ ନେଇ କିଛି ମାସ ହେଲା ଖପ୍ପା ଥିଲେ ରବି, ଯାହାର ଫାଇଦା ଉଠାଇଛି କଂଗ୍ରେସ।
ଲୋକସଭା ସାଂସଦ ସପ୍ତଗିରି ଉଲାକା, ଜିଲ୍ଲା କଂଗ୍ରେସ ସଭାପତି ଦୁର୍ଗା ପ୍ରସାଦ ପଣ୍ଡାଙ୍କ ଗୋଟି ଚାଳନାରେ ମଙ୍ଗଳବାର ନିଜ ସମର୍ଥକଙ୍କ ସହ କଂଗ୍ରେସରେ ଯୋଗ ଦେଇଛନ୍ତି ରବି। ପଞ୍ଚାୟତ ନିର୍ବାଚନରେ ରାମନାଗୁଡା ବ୍ଲକର ୧୨ଟି ପଞ୍ଚାୟତରୁ ୪ଟିରେ ବିଜେଡ଼ି, ୪ଟିରେ କଂଗ୍ରେସ ଏବଂ ୪ଟିରେ ବିଜେପି ସମର୍ଥିତ ସମିତିସଭ୍ୟ ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ବିଜେପିରୁ ଜିତିଥିବା ୪ ପ୍ରାର୍ଥୀ ରବିଙ୍କୁ ସମର୍ଥନ କରିବାକୁ ସବୁଜ ସଙ୍କେତ ଦେଇଛନ୍ତି। ଯାହା ଶାସକ ବିଜେଡ଼ି ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛି। ଏଥି ସହିତ କଂଗ୍ରେସ ରାମନାଗୁଡା ବ୍ଲକ୍ ଦଖଲ କରିବା ନେଇ ରାସ୍ତା ପରିସ୍କାର କରି ଦେଇଛି। ରବିଙ୍କୁ ରାମନାଗୁଡା ବ୍ଲକ୍ ଅଧ୍ୟକ୍ଷ କରିବାକୁ କଂଗ୍ରେସ ପ୍ରୟାସ ଜାରି ରଖିଥିବାରୁ ବିଜେଡ଼ି ଚିନ୍ତାରେ ପଡିବା ସହ ବିରୋଧୀଙ୍କ ଯୋଜନା ବିଗାଡିବାକୁ ଉଦ୍ୟମ ଜାରି ରଖିଛି। ରାମନାଗୁଡା ପଞ୍ଚାୟତରୁ ସମିତିସଭ୍ୟା ଭାବେ ଜିତିଥିବା ଲକ୍ଷ୍ମୀ କାଡ୍ରକାକୁ ଆୟୁଧ କରି ବିଜେଡ଼ି ଗୋଟି ଚାଳନା ଜାରି ରଖିଛି। ସେପଟେ ରବି କଂଗ୍ରେସରେ ଯୋଗଦେବା ପରେ ଗୁଣପୁର କଂଗ୍ରେସର ମଙ୍ଗ ସମ୍ଭାଳିବା ନେଇ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଛି।
କଂଗ୍ରେସର ବରିଷ୍ଠ ନେତା, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁରୁଷୋତ୍ତମ ଗମାଙ୍ଗଙ୍କ ସଡ଼କ ଦୁର୍ଘଟଣାରେ ଅକାଳ ବିୟୋଗ ପରେ ଗୁଣପୁର କଂଗ୍ରେସ ନେତୃତ୍ବ ବିହୀନ ହୋଇ ପଡିଛି। ରବିଙ୍କ ନେତୃତ୍ବରେ ଗୁଣପୁର କଂଗ୍ରେସ ପୁଣି ଥରେ ପୂର୍ବ ସ୍ଥିତିକୁ ଫେରିବ ବୋଲି ବରିଷ୍ଠ କଂଗ୍ରେସ ନେତା ଆଶାବାଦୀ ଅଛନ୍ତି। ଚଳିତ ପଞ୍ଚାୟତ ନିର୍ବାଚନରେ ଗୁଣପୁର ନିର୍ବାଚନ ମଣ୍ଡଳୀ ଅଧୀନରେ ଥିବା ୮ ଜିଲ୍ଲା ପରିଷଦ ଜୋନରୁ ୩ଟିରେ କଂଗ୍ରେସ ବିଜୟ ହୋଇଛି। ଗୁଣପୁର ବ୍ଲକର ୨ ଜୋନକୁ କଂଗ୍ରେସ ପୋଛି ନେଇଥିବା ବେଳେ ରାମନାଗୁଡା ‘କ’ ଜୋନରେ ମଧ୍ୟ ବିଜୟୀ ହୋଇଛି।
ଅନ୍ୟପକ୍ଷରେ ଅସନ୍ତୁଷ୍ଟ ବିଜେଡ଼ି ଗୋଷ୍ଠୀଙ୍କ ଗୋଟି ଚାଳନା ଯୋଗୁ ଗୁଣପୁର, ରାମନାଗୁଡା, ପଦ୍ମପୁର ବ୍ଲକରେ ବିଜେଡ଼ି ବ୍ଲକ୍ ଗଠନ କରିବା ନେଇ ସନ୍ଦେହ ଉପୁଜିଛି। ରାମନାଗୁଡା ବ୍ଲକ୍ କୁଜେନ୍ଦ୍ରି ପଞ୍ଚାୟତ ନାରାୟଣଗୁଡା ବାସିନ୍ଦା ରବିନାରାୟଣ ଗମାଙ୍ଗ ୨୦୦୬ ମସିହାରେ ଉତ୍କଳ ବିଶ୍ବବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ପାସ୍ କରିଥିଲେ। ୨୦୧୦ ମସିହାରେ ପୁଲିସ ବିଭାଗରେ ଯୋଗଦେଇ ୭ ବର୍ଷ ଏସଆଇ ଭାବେ କାମ କରିବା ପରେ ୨୦୧୭ରେ ରାଉରକେଲା ଓଏସଏପି ବାଟାଲିୟନ୍ ଇନସପେକ୍ଟର ଭାବେ ପଦୋନ୍ନତି ପାଇଥିଲେ ୨୦୧୮ରେ ରବି ଚାକିରି ଛାଡ଼ି ବିଜେପିରେ ଯୋଗ ଦେଇଥିଲେ। ୨୦୧୯ରେ ଗୁଣପୁର ବିଧାନସଭା ଆସନରୁ ଦଳୀୟ ଟିକେଟ୍ ପାଇଁ ଆଶାୟୀ ଥିଲେ। ୨୦୨୨ ପଞ୍ଚାୟତ ନିର୍ବାଚନରେ ଉକମ୍ବାରୁ ସମିତିସଭ୍ୟ ଭାବେ ଲଢ଼ି ବିଜୟୀ ହୋଇଛନ୍ତି। ଚଳିତ ଥର ରାମନାଗୁଡ଼ା ବ୍ଲକ୍ ଅଧ୍ୟକ୍ଷ ପଦବି ଅଣସଂରକ୍ଷିତ ଥିବାରୁ କଂଗ୍ରେସ ସମର୍ଥନରେ ବ୍ଲକ୍ ଅଧ୍ୟକ୍ଷ ପଦ ହାତେଇବାକୁ ପ୍ରୟାସ ଚଳାଇଛନ୍ତି ରବି।