କେନ୍ଦୁଝର: ପ୍ରଶାସନିକ ଉଦାସୀନତା ଯୋଗୁଁ କେନ୍ଦୁଝର ସହରରେ ଦିନକୁ ଦିନ ଜବରଦଖଲ ବଢିବାରେ ଲାଗିଛି । ସରକାରୀ ଜମିଠାରୁ ଆରମ୍ଭ କରି ଦେବୋତ୍ତର ଜମିକୁ ଲୋକମାନେ ଜବରଦଖଲ କରି ଘରଦ୍ବାର କରୁଛନ୍ତି। ସେହିପରି ରାସ୍ତାକଡ଼ରେ କ୍ୟାବିନ କିମ୍ବା ତମ୍ବୁ ଲଗାଇ ଦୋକାନ ଖୋଲିଦେଉଛନ୍ତି । ଫଳରେ ଟ୍ରାପିକ ସମସ୍ୟା ଉପୁଜୁଛି । ଆଜି କେନ୍ଦୁଝର ସହରର କୃଷି ବିଭାଗ ପୋଖରୀ ନିକଟ ମାଧପୁରଠାରେ କେନ୍ଦୁଝରଗଡ଼ ପୌରପାଳିକା ପକ୍ଷରୁ ଅପରାହ୍ଣରେ ଜବରଦଖଲ ଉଚ୍ଛେଦ କରାଯାଇଛି । ଉଦ୍ୟାନ ଉପନିର୍ଦ୍ଦେଶକ କାର୍ଯ୍ୟାଳୟ ନାମରେ ଖାତା ନଂ-୧, ପ୍ଲଟ ନଂ ୧୨୬ ର ହାତିଆଟାଙ୍ଗର ମୌଜାରେ ୭୨ ଡିସିମିଲ ଜମି ରହିଛି । ରାଜସ୍ୱ ବିଭାଗ ପକ୍ଷରୁ ୧୯୯୮ ମସିହା ଜୁନ ୩୦ ତାରିଖରେ ଏହି ଜମିକୁ ଉଦ୍ୟାନ ବିଭାଗ ନାମରେ ପଟ୍ଟା କରାଯାଇଛି ।
ବହୁ ବର୍ଷ ଧରି ଉକ୍ତ ଜାଗାଟି ଖାଲି ପଡ଼ିଥିବାବେଳେ ଉକ୍ତ ଜମିର ସମ୍ମୁଖ ଭାଗରେ ରାସ୍ତା ପାର୍ଶ୍ବରେ ବହୁ ହୋଟେଲ, ଜଳଖିଆ ଦୋକାନ, ପାନଦୋକାନ ଏବଂ ଅନ୍ୟାନ୍ୟ ଦୋକାନ ଲୋକମାନେ କରିଥିଲେ। ଆଜି ପୁଲିସ ଉପସ୍ଥିତିରେ କେନ୍ଦୁଝରଗଡ ପୌରପାଳିକା ପକ୍ଷରୁ ଜବରଦଖଲ ଉଚ୍ଛେଦ କରାଯାଇ ଉକ୍ତ ସ୍ଥାନଟି ଖାଲି କରାଯାଇଛି । ଉଦ୍ୟାନ ବିଭାଗ ଉପ ନିର୍ଦ୍ଦେଶକ କାର୍ଯ୍ୟାଳୟ ପାଇଁ ୮୦ ଲକ୍ଷ ଟଙ୍କା ଅନୁଦାନ ମିଳିଛି । ଆସନ୍ତା ମେ ମାସ ମଧ୍ୟରେ ନୂତନ ଗୃହରେ ଉଦ୍ୟାନ ବିଭାଗ ଉପନିର୍ଦ୍ଦେଶକ କାର୍ଯ୍ୟାଳୟ ଆରମ୍ଭ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ଏହି ନୂତନ କାର୍ଯ୍ୟାଳୟ ଆରମ୍ଭ ହେବା ପରେ ବର୍ତ୍ତମାନ ମଣ୍ଡୁଆଠାରେ ଥିବା ଉଦ୍ୟାନ ବିଭାଗ ଉପନିର୍ଦ୍ଦେଶକ କାର୍ଯ୍ୟାଳୟରେ କେନ୍ଦୁଝର ସହକାରୀ ଉଦ୍ୟାନ ନିର୍ଦ୍ଦେଶକ କାର୍ଯ୍ୟାଳୟ ହେବ ବୋଲି ଜଣାପଡିଛି । ବହୁ ବର୍ଷ ଧରି ହୋଟେଲ, ପାନଦୋକାନ ଏବଂ ଟାୟାର ମରାମତି ଦୋକାନ କରି ପରିବାର ପ୍ରତିପୋଷଣ କରି ଆସୁଥିବାବେଳେ ପୌରପାଳିକା ପକ୍ଷରୁ ଜବରଦଖଲ ଉଚ୍ଛେଦ ପରେ ତାଙ୍କୁ ଥଇଥାନ କରିବାକୁ ସେମାନେ ଦାବି କରିଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/29-12.jpg)