ରାଉରକେଲା: ଜବରଦଖଲ ସମସ୍ୟାରୁ ଆଗେଇ ପାରୁନି ମାଳ ମାଳ ପ୍ରକଳ୍ପ। ମାସେ କି ଦୁଇ ମାସ ନୁହେଁ ବର୍ଷ ବର୍ଷ ଧରି ଏସବୁ ପ୍ରକଳ୍ପ ସେମିତି ପ୍ରସ୍ତାବରେ ଅଟକିଛି। ପ୍ରମୁଖ କାରଣ ହେଉଛି ବିଭାଗ ବିଭାଗ ମଧ୍ୟରେ ଉପଯୁକ୍ତ ସମନ୍ବୟର ଅଭାବ। ରାଜନୈତିକ ଚାପରେ ଜିଲ୍ଲା ପ୍ରଶାସନ ବି ସାହସ ଜୁଟାଇପାରୁନଥିବା ଆଉ ଏକ ପ୍ରମୁଖ କାରଣ। ଏଥିପାଇଁ ଅନେକ ପ୍ରକଳ୍ପ ଫାଇଲ ତଳେ ରହି ଯାଇଛି। ଆଉ କିଛି ଅଧପନ୍ତରିଆ ହୋଇ ପଡ଼ିଛି। ସବୁଠୁ ଆଶ୍ଚର୍ଯ୍ୟ କଥା, ପ୍ରକଳ୍ପ ପାଇଁ ସରକାର ଚିହ୍ନଟ କରିଥିବା ଜାଗାକୁ ନିଜ ଅକ୍ତିଆରରେ ରଖିପାରୁନି। ନିୟମିତ ବ୍ୟବଧାନରେ ତଦାରଖ କରାଯାଉ ନଥିବାରୁ ସରକାରଙ୍କ ମୂଲ୍ୟବାନ ଜମିଗୁଡ଼ିକୁ ଜବରଦଖଲକାରୀଙ୍କ କବ୍‌ଜାକୁ ଚାଲିଯାଇଛି। ପ୍ରଶାସନ ଏସବୁ ଦେଖିଶୁଣି ଚୁପ୍‌ ରହୁଥିବାରୁ, ଭରଫୁର ଫାଇଦା ଉଠାଉଛନ୍ତି ଜବଦରଖଲକାରୀ।

Advertisment

ରାତାରାତି ଛିଡା ହୋଯାଇଛି ଘର। ପଶ୍ଚିମ ଓଡ଼ିଶାର ସର୍ବବୃହତ କଲୋନି ଛେଣ୍ଡକୁ ଉଦାହରଣ ଭାବେ ନିଆଯାଇପାରେ। ଗତ ୨୦୦୮ରେ ହାରପାୱାର କମିଟି ହାଉସିଂ ପ୍ରୋଜେକ୍ଟ ପାଇଁ ଆର୍‌ଡିଏକୁ ଛେଣ୍ଡ ପଛପାର୍ଶ୍ବରେ ପ୍ରାୟ ୧୦୮ ଏକର ଜମି ଆବଣ୍ଟନ କରିଥିଲେ। ଆଜି ପର୍ଯ୍ୟନ୍ତ ଏଠି ଘର ଖଣ୍ଡିଏ ହୋଇପାରିନି। ଆର୍‌ଡ଼ିଏ ପକ୍ଷରୁ ୨୦ ହଜାର ଘର ନିର୍ମାଣ କରିବାକୁ ଘୋଷଣା କରାଯାଇଥିଲା। ଆଜି ପର୍ଯ୍ୟନ୍ତ ଖଣ୍ଡିଏ ଇଟା ମଧ୍ୟ ପଡ଼ିପାରିଲା ନାହିଁ। ଫଳରେ ସାଧାରଣ ଲୋକଙ୍କୁ ରାଉରକେଲା ସହରରେ ଏବେ ଘର ଖଣ୍ଡିଏ ମିଳିବା ଏକ ପ୍ରକାର ଦିବା ସ୍ବପ୍ନ ହୋଇଯାଇଛି। ଆଞ୍ଚଳିକ ବାଣିଜ୍ୟ ସମବାୟ ସମିତି (ଆର୍‌ସିଏମ୍‌ଏସ୍‌)ରେ ଥିବା ମୂଲ୍ୟବାନ ଜମି ମଧ୍ୟ ବଡବଡିଆଙ୍କ କବ୍‌ଜାରେ। ଉଦିତନଗର କଚେରୀ ରୋଡ ନିକଟ ମଙ୍ଗଳ ଭବନରେ। ୧୦ କି ୨୦ ବର୍ଷ ନୁହେଁ ପ୍ରାୟ ୪୦ ବର୍ଷ ଧରି ଏହି ମୂଲ୍ୟବାନ ଜମିକୁ ଖାଲି କରିବାକୁ ଆଜି ଯାଏ କୌଣସି ପଦକ୍ଷେପ ନିଆ ଯାଉ ନାହିଁ। ଫଳରେ ଏଠାରେ ଆର୍‌ସିଏମ୍‌ଏସ୍‌ ପକ୍ଷରୁ ହେବାକୁ ଥିବା ପ୍ରକଳ୍ପଗୁଡ଼ିକ ସେମିତି ଫାଇଳ ତଳେ ଚାପି ହୋଇ ରହିଯାଇଛି।

ଜଟିଳ ସମସ୍ୟା ଏଡାଇବାକୁ ମାଲଗୋଦାମ ନିକଟରେ ହେବାକୁ ଥିବା ରେଳବାଇ ଓଭରବ୍ରିଜ ବର୍ଷ ବର୍ଷ ଧରି ହୋଇପାରୁନି। ରେଳଲାଇନ ପାର୍ଶ୍ବରେ ବର୍ଷ ବର୍ଷ ଧରି ବସବାସ କରୁଥିବା ଶତାଧିକ ପରିବାରଙ୍କୁ ଖାଲି କରିବାକୁ ବାରମ୍ବାର ନୋଟିସ୍‌ ଜାରି କରାଯାଉଛି। କିନ୍ତୁ ଆଜିଯାଏଁ ସେମିତି ଉଚ୍ଛେ୍‌ଦ ସେମିତି ନୋଟିସ୍‌ରେ ସୀମିତ ରହିଯାଇଛି। ସବୁଠୁ ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପ ହେଉଛି ରେଳବାଇ ତୃତୀୟ ଲାଇନ୍‌। ନିର୍ମାଣ ହୋଇ ଆସୁଥିବା ତୃତୀୟ ଲାଇନ୍‌ ବନ୍ଧମୁଣ୍ଡା ନିକଟରେ ଅଟକିଛି। ତୃତୀୟ ରେଳଲାଇନ ପାଇଁ ରାଉରକେଲା ଷ୍ଟେସନରୁ ପାନପୋଷ ପର୍ଯ୍ୟନ୍ତ ୯ରୁ ଅଧିକ ବସ୍ତି ଉଚ୍ଛେଦ କରିବାକୁ ଅନେକଥର ପଦକ୍ଷେପ ନିଆଯାଇଛି। ବସ୍ତିବାସିନ୍ଦା କୋର୍ଟରେ ଆଶ୍ରୟ ‌ନେଇଥିଲେ। ‌କୋର୍ଟ ରେଳବାଇ ସପକ୍ଷରେ ରାୟ ପ୍ରକାଶ କଲେ। ଉଚ୍ଛେଦ ପାଇଁ ଗ୍ରୀନ୍‌ ସିଗ୍‌ନାଲ ମିଳିଲା। ଉଭୟ ରେଳବାଇ, ଜିଲ୍ଲା ପ୍ରଶାସନର ମଧ୍ୟରେ ଘନ ଘନ ବୈଠକ ବସିଲା। ହେଲେ ଆଜି ପର୍ଯ୍ୟନ୍ତ ଗୋଟିଏ ‌ହେଲେ ବସ୍ତିକୁ ଉଚ୍ଛେଦ ହୋଇପାରିଲା ନାହିଁ। ଏଠି ମଧ୍ୟ ପୂର୍ବ ପରି ବହୁ ପ୍ରତୀକ୍ଷିତ ତୃତୀୟ ରେଳଲାଇନ ରାଉରକେଲା ଷ୍ଟେସନ ଠାରୁ ଅନତି ଦୂରରେ ଆଣ୍ଢେଇଛି। ସେମିତି ଓଡ଼ିଶା ହାଉସିଂ ବୋର୍ଡର ମୂଲ୍ୟବାନ ଜମି ଜବରଦଖଲକାରୀଙ୍କ କବ୍‌ଜାରେ ରହୁଥିବାରୁ ହାଉସିଂ ପ୍ରକଳ୍ପ ଆଗେଇ ପାରୁନି। ରାଉରକେଲା ସରକାରୀ ହସ୍ପିଟାଲ (ଆର୍‌ଜିଏଚ୍‌)ରେ ମଧ୍ୟ କିଛି ସରକାରୀ ଜମିକୁ ଜବରଦଖଲକାରୀ ମାଡ଼ି ବସିଛନ୍ତି। ଯେ ପର୍ଯ୍ୟନ୍ତ ଜବଦରଖଲକାରୀଙ୍କୁ ଖାଲି କରାଯିବାକୁ ପ୍ରକ୍ରିୟା ଆରମ୍ଭ ନ ହୋଇଛି।