ସମ୍ବଲପୁର : ଚଳିତ ବର୍ଷ ହୀରାକୁଦ ଜଳଭଣ୍ଡାରକୁ ପରିବ୍ରାଜକ ପକ୍ଷୀଙ୍କ ଆଗମନ ଆରମ୍ଭ ହୋଇଛି। ଶନିବାର ସୁଦ୍ଧା ଜଳଭଣ୍ଡାରକୁ ୧୦ ପ୍ରକାର ବିଦେଶୀ ପକ୍ଷୀ ଆସିଥିବା ସମୟରେ ଅନ୍ୟ କିଛି ପ୍ରଜାତିର ପକ୍ଷୀଙ୍କ ଉପରେ ନଜର ରହିଥିବା ହୀରାକୁଦ ବନ୍ୟପ୍ରାଣୀ ବନଖଣ୍ଡ ପକ୍ଷରୁ କୁହାଯାଇଛି। ଏବର୍ଷ ବରଗଡ଼ କେନାଲର ପୁନରୁଦ୍ଧାର କାମ ଜାରି ରହିଥିବାରୁ ଜଳଭଣ୍ଡାରର ଜଳପତ୍ତନ ବିଶେଷ ହ୍ରାସ ପାଇନି। ତେଣୁ ପକ୍ଷୀଙ୍କ ଆଗମନ ସଂଖ୍ୟା କମ୍‌ ରହିଛି। ସେପଟେ, ବିଦେଶୀ ପକ୍ଷୀ ଆସିବା ଆରମ୍ଭ ହୋଇଯାଇଥିବାରୁ ସେମାନଙ୍କ ସୁରକ୍ଷାକୁ ଆଖି ଆଗରେ ରଖି ଜିରୋ ପଏଣ୍ଟ, ବାରଖଣ୍ଡିଆ, ପାର୍ବତୀଟଙ୍ଗ, ଚୌରାଶୀମାଲ, ବଡ଼ଡୁମା, ଗୋବିନ୍ଦପୁର ଆଦି ୬ଟି ସ୍ଥାନରେ ପକ୍ଷୀ ସୁରକ୍ଷା ଟିମ୍‌ଙ୍କୁ ନିୟୋଜିତ କରାଯାଇଥିବା ଜଣାପଡ଼ିଛି। ଗତବର୍ଷ ଜଳଭଣ୍ଡାରକୁ ଶହେରୁ ଅଧିକ ପ୍ରଜାତିର ୧ ଲକ୍ଷ ୬୦ ହଜାର ବିଦେଶୀ ପକ୍ଷୀ ଆସିଥିବା ସମୟରେ ଚଳିତ ବର୍ଷ ଏହି ସଂଖ୍ୟା ବୃଦ୍ଧି ହେବା ନେଇ ବନ୍ୟପ୍ରାଣୀ ବନଖଣ୍ଡ ପକ୍ଷରୁ ଆଶାବ୍ୟକ୍ତ କରାଯାଇଛି ।

Advertisment

ବର୍ତ୍ତମାନ ସୁଦ୍ଧା ଜଳଭଣ୍ଡାରରେ ସ୍ପଟ୍‌ବିଲ୍‌ ଡକ୍‌, ହ୍ବିସଲିଂ ଡକ୍‌, ବାର୍ଡେଡ୍‌ ବଲ୍‌କ, କମନ୍‌ ବଲ୍‌କ, ସ୍ପପଟେଡ୍‌ ଡକ୍‌, ଗଲଫ୍‌, ରଡିସେଲ୍‌ ଡକ୍‌, କମନ୍‌ ପୋଚାର୍ଡ ଆଦି ପକ୍ଷୀଙ୍କୁ ଚିହ୍ନଟ କରାଗଲାଣି। ପକ୍ଷୀସଂଖ୍ୟା ବୃଦ୍ଧି ପାଇଲେ ସେମାନଙ୍କ ଗଣନା ମଧ୍ୟ ଆରମ୍ଭ କରାଯିବ। ନଭେମ୍ବରରୁ ଜଳଭଣ୍ଡାରକୁ ପକ୍ଷୀ ଆସିବା ଆରମ୍ଭ ହୋଇଥିବା ସମୟରେ ଏମାନେ ୪ ମାସ ଏଠାରେ ରହି ମାର୍ଚ୍ଚ ବେଳକୁ ପୁଣିଥରେ ଫେରି ଯାଇଥାନ୍ତି।