ଖୋର୍ଦ୍ଧା/ସିକୋ: ଖୋର୍ଦ୍ଧା ଜିଲ୍ଲାରେ ମଣିଷ ସହ ହାତୀ ଓ ଅନ୍ୟ ବନ୍ୟଜନ୍ତୁଙ୍କ ମୁହାଁମୁହିଁ ହେବା କେତେକ ଅଂଚଳ ମଧ୍ୟରୁ ବେଗୁନିଆ ବ୍ଲକର ସିକୋ ଅନ୍ୟତମ। ତେବେ ଏଠାରେ ଥିବା ବନ ବିଭାଗର ବିଟ୍ ହାଉସ୍ରେ ଗତ ୧୦ ମାସ ଧରି ତାଲା ଝୁଲୁଛି। ଖୋର୍ଦ୍ଧା ବନଖଣ୍ଡ ଅଧୀନରେ ନାରଗୋଦା ସଂରକ୍ଷିତ ଜଙ୍ଗଲ। ବେଗୁନିଆ ବ୍ଲକର ସିକୋ ପଂଚାୟତ ଏହି ଜଙ୍ଗଲର ସନ୍ନିକଟ। ଅନେକ ସମୟରେ ସଂରକ୍ଷିତ ଜଙ୍ଗଲରୁ ବନ୍ୟଜନ୍ତୁ ଜନବସତି ଆଡ଼କୁ ଚାଲି ଆସୁଥିବା ଓ ଜଙ୍ଗଲରେ ବେଆଇନ ଶିକାରୀଙ୍କ ପ୍ରାର୍ଦୁଭାବ ବଢ଼ୁଥିବାକୁ ଲକ୍ଷ୍ୟ କରି ଏଠାରେ ବନ ବିଭାଗ ପକ୍ଷରୁ ଏକ ବିଟ ହାଉସ୍ ସ୍ଥାପନ କରାଯାଇଥିଲା। ଲକ୍ଷାଧିକ ଟଙ୍କା ବ୍ୟୟରେ ଏକ ପକ୍କା କାର୍ଯ୍ୟାଳୟ ସାଙ୍ଗକୁ ବନ ବିଭାଗ କର୍ମଚାରୀ ରହିବା ପାଇଁ କ୍ୱାଟର ମଧ୍ୟ ନିର୍ମାଣ କରାଯାଇଥିଲା।
କିନ୍ତୁ ଅନେକ ସମୟରେ ଲୋକଙ୍କ ସୂଚନା ପରେ ମଧ୍ୟ ବନ ବିଭାଗ ଜଙ୍ଗଲରୁ ଜନବସତି ଆଡ଼କୁ ଚାଲି ଆସୁଥିବା ବନ୍ୟଜନ୍ତୁଙ୍କୁ ଘଉଡ଼ାଇବା କିମ୍ବା ସେମାନଙ୍କୁ ସୁରକ୍ଷା ଦେବାରେ ଅବହେଳା କରାଯାଉଥିବା ଅଭିଯୋଗ ହେଉଥିଲା। ଏପରିକି ଏହି ଜଙ୍ଗଲରୁ ଗତ ଦୁଇବର୍ଷ ମଧ୍ୟରେ ଏକାଧୀକ ବାର୍ହା, ମୟୁର ଆଦି ଶିକାରୀଙ୍କୁ ଖୋର୍ଦ୍ଧା ରେଂଜର କର୍ମଚାରୀ ମଧ୍ୟ ଗିରଫ କରିଛନ୍ତି। ଏଭଳି ଏକ ସମ୍ବେଦନଶୀଳ ଅଂଚଳରେ ଥିବା ସିକୋ ଫରେଷ୍ଟ ବିଟ୍ ହାଉସଟିରେ ନିୟୋଜିତ ଥିବା ଜଣେ ମାତ୍ର କର୍ମଚାରୀଙ୍କ ୨୦୨୦ ଡିସେମ୍ବର ମାସରେ ବଦଳି ହୋଇଯିବା ପରେ ଗତ ୧୦ ମାସ ଧରି ବନ୍ଦ ରହିଛି। ବର୍ତ୍ତମାନ ସେହି କାର୍ଯ୍ୟାଳୟ ମଧ୍ୟରେ ଊଇହୁଙ୍କା ସହ ଜଙ୍ଗଲ ସୃଷ୍ଟି ହୋଇଗଲାଣି। କାର୍ଯ୍ୟାଳୟ କାନ୍ଥ ଓ ଫାଟକରେ ସ୍ଥାନୀୟ ଲୋକ ଲୁଗା ଶୁଖାଇବାକୁ ବ୍ୟବହାର କରୁଥିବା ଦେଖିବାକୁ ମିଳିଛି। ଏନେଇ ଖୋର୍ଦ୍ଧା ଡିଏଫ୍ଓ ପୂର୍ଣ୍ଣିମା ପାଣ୍ଡିଆନ୍ଙ୍କ ସହ ଯୋଗାଯୋଗ କରାଯାଇଥିଲା କିନ୍ତୁ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/10/Siko-Frest-Beat-House.jpeg)