ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା,କଟା ଦାନ୍ତ ଖୋଜୁଛି ବନ ବିଭାଗ

ଭଞ୍ଜନଗର: ଉତ୍ତର ଘୁମୁସର ବନଖଣ୍ଡ ଅଧିନ ମୁଜାଗଡ ବନାଞ୍ଚଳର ଦରପଙ୍ଗିଆ ଜଙ୍ଗଲ ଭିତରେ ଠାବ ହୋଇଥିବା ମୃତ ଦନ୍ତାହାତୀକୁ ମାରି ତାର ଦାନ୍ତ ଲୁଟି ନେବା ଘଟଣାକୁ ୫ ଦିନ ବିତି ଯାଇଥିଲେ ମଧ୍ୟ ବନ ବିଭାଗ ପକ୍ଷରୁ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରାଯାଇ ପାରିନାହିଁ। ଘଟଣାଟି ଅତି ସମ୍ବେଦନଶୀଳ ହୋଇଥିବାରୁ ବିଭାଗ ପକ୍ଷରୁ ଅତି ଗୁରୁତର ସହ ନେଇ ଏହି ଘଟଣାର ତଦନ୍ତ ହେଉଛି। କଟାଦାନ୍ତକୁ ଉଦ୍ଧାର ସହ ହାତୀର ହତ୍ୟାକରୀଙ୍କୁ ଗିରଫ କରି ବା ପାଇଁ ବନ ବିଭାଗ ଓ ପୁଲିସ୍ ମିଳିତ ଭାବେ ବିଭିନ୍ନ ସ୍ଥାନରେ ଚଢଉ କରୁଛି। ତଦନ୍ତରେ ବାଧା ସୃଷ୍ଟି ହେବା ଆଶଙ୍କାରେ ବିଭାଗ ପକ୍ଷରୁ ଘଟଣା ସଂର୍ପକରେ କିଛି ସୂଚନା ଦିଆଯାଉନାହିଁ। ବନଖଣ୍ଡର ବିଭିନ୍ନ ସ୍ଥାନରେ ରହୁଥିବା ପେଶାଦାର ଶିକାରୀମାନଙ୍କ ଉପରେ ତୀକ୍ଷ୍ନ ନଜର ରଖାଯିବା ସହ ଜଙ୍ଗଲ ସହ ଓତଃପ୍ରୋତ ଭାବେ ଜଡିତ ବ୍ୟକ୍ତିଙ୍କ ଗତିବିଧି ଉପରେ ଉଭୟ ବିଭାଗ ନଜର ରଖିଛନ୍ତି।

ସନ୍ଦେହରେ ଦୁଇଜଣ ବ୍ୟକ୍ତିଙ୍କୁ ବିଭାଗ ପକ୍ଷରୁ ଅଟକ ରଖି ପଚରାଉଚୁରା କରାଯାଉଥିବା ଜଣାପଡିଛି। ଉକ୍ତ ଜଙ୍ଗଲରେ ହାତୀଟି ଦୀର୍ଘ ଦିନ ଧରି ବୁଲୁଥିବା ବେଳେ ତାର ଫାଇଦା ନେଇ ଶିକାରୀ ମାନେ ତାକୁ ଟାର୍ଗେଟ୍ କରିଥିବା ଅନୁମାନ କରାଯାଉଛି। ଏଥିରେ ବାହାର ଶିକାରୀ କିମ୍ବା କିଛି ସ୍ଥାନୀୟ ଲୋକ ଏଥିରେ ସଂପୃକ୍ତି ରହିଛି ସମସ୍ତ ଦିଗ ଉପରେ ବିଭାଗ ପକ୍ଷରୁ ଅନୁଧ୍ୟାନ କରାଯାଉଛି। ଉତ୍ତର ଘୁମୁସରରେ ବନଖଣ୍ଡରେ ଗତ ଏକ ସପ୍ତାହ ତଳେ ନୂତନ ଭାବେ ଡିଏଫ୍ଓ ସୁଦର୍ଶନ ବେହେରା ଏବଂ ଏସିଏଫ୍ ଭାବେ ବିକ୍ରମ ଦେବ ପଟ୍ଟନାୟକ ଯୋଗ ଦେଇଥିବାରୁ ଘଟଣାଟି ସେମାନଙ୍କ ପାଇଁ ଚାଲେଞ୍ଜ ସଦୃଶ ପାଲଟିଛି। ଠାବ ହୋଇଥିବା ମୃତହାତୀଟିକୁ ୩ ରୁ ୪ ଦିନ ପୂର୍ବରୁ ହତ୍ୟା କରାଯାଇ ଦାନ୍ତ ଲୁଟି ନିଆଯାଇଥିବା ପାରିପାର୍ଶ୍ବିକ ସ୍ଥିତିରୁ ଜଣାପଡିଛି। ବର୍ତ୍ତମାନ ଶବ ବ୍ୟବଚ୍ଛେଦ ରିପୋର୍ଟକୁ ବିଭାଗ ଅପେକ୍ଷା କରିଛି।

ବିଭାଗରୁ ସୂଚନା ପାଇବା ପରେ ଉପଖଣ୍ଡ ପ୍ରାଣୀ ଅଧିକାରୀ ପ୍ରଦିପ୍ତ କୁମାର ସାହୁ ଏବଂ ବ୍ଳକ୍ ପ୍ରାଣୀଧନ ଅଧିକାରୀ ନିଶିକାନ୍ତ ଭୋଳ ଘଟଣାସ୍ଥଳରେ ପହଞ୍ଚି ଶବ ବ୍ୟବଚ୍ଛେଦ କରିଥିଲେ। ହାତୀଟିର ମୁଣ୍ଡରେ ଏବଂ ଅଣ୍ଟା ତଳ ଭାଗରେ ଦୁଇଟି କଣା ରହିଥିବା ବେଳେ ଗୁଳି କରାଯାଇଥିବା ଅନୁମାନ କରାଯାଇଛି। କିନ୍ତୁ ଉକ୍ତ ସ୍ଥାନକୁ କାଟିବା ପରେ ମଧ୍ୟ ଗୁଳି ମିଳିନଥିଲା। ଦୁଇଟି ଦାନ୍ତ କଟା ଯାଇଥିବା ବେଳେ ବଳକା ଥିବା ଦାନ୍ତର କଟା ଅଂଶ ଡାହାଣ ପାର୍ଶ୍ବ ୨୮ ସେମି ଏବଂ ବାମ ପାର୍ଶ୍ବର ଦାନ୍ତ ୩୩ ସିଏମ୍ ଗୋଲେଇ ହୋଇଥିବା ମାପିବା ପରେ ଜଣାପଡିଥିଲା। ଦୁଇଟି କଣା ଥିବା ସ୍ଥାନର ମାଂସ ସଂଗ୍ରହ କରିବା ସହ ହାତୀଟି ଗୁଳିରେ ମୃତ୍ୟୁ ହୋଇଥିଲା ନା ମୃତ୍ୟୁ ପୂର୍ବରୁ ଅସୁସ୍ଥ ଥିଲା ତାହା ଜାଣିବା ନିମନ୍ତେ କଲିଜା ଓ ଯକୃତର କିଛି ଅଂଶ କଟାଯାଇଛି। ତାହା ମଧ୍ୟ ପଚି ଯାଇଥିବା ଏସ୍ଡିଭିଓ ପ୍ରକାଶ କରିଛନ୍ତି। ବ୍ୟବଚ୍ଛେଦରୁ ସଂଗୃହୀତ ସାମ୍ପୁଲକୁ ଭୂବନେଶ୍ବର ଓୟୁଏଟି ବନ୍ୟପ୍ରାଣୀ ଲାବ୍ରୋଟାରୀକୁ ପଠାଯାଇଥିବା ବେଳେ ରିପୋର୍ଟ ଆସିବା ପରେ ପ୍ରକୃତ କାରଣ ଜଣାପଡିବ ବୋଲି ସେ କହିଥିଲେ।

ସମ୍ବନ୍ଧିତ ଖବର