ଦନ୍ତାକୁ ଠାବ କରିବାକୁ ଯାଇ ହାତୀପଲ ହାବୁଡରେ ପଡ଼ିଲେ ବନ କର୍ମଚାରୀ

ଭଞ୍ଜନଗର: ହାତୀପଲ ଆକ୍ରମଣରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ବନ କର୍ମଚାରୀ। ଜଙ୍ଗଲ ଭିତରକୁ ଏକ ଦନ୍ତାହାତୀ ଅସୁସ୍ଥ ଥିବା ଖବର ପାଇଁ ତାକୁ ଠାବ କରିବାକୁ ଯାଇଥିବା ସମୟରେ ହାତୀପଲ ହାବୁଡରେ ପଡିଥିଲେ। ଉତ୍ତର ଘୁମୁସର ବନଖଣ୍ଡରେ ଗତମାସରେ ଦୁଇ ଦୁଇଟି ଦନ୍ତାହାତୀର ମୃତ୍ୟୁ ଘଟିବା ପରେ ହାତୀ ସୁରକ୍ଷା ନେଇ ବିଭାଗ ତତ୍ପର ହୋଇ ଉଠିଥିବା ବ‌େଳେ ସେମାନଙ୍କ ଗତିବିଧି ଲକ୍ଷ୍ୟ କରିବାକୁ ପ୍ରତିଦିନ ଜଙ୍ଗଲରେ ପଇନ୍ତରା ମାରୁଛନ୍ତି। ତାରସିଂହ ବନାଞ୍ଚଳର ଘୋଗଡ ସଂରକ୍ଷିତ ଜଙ୍ଗଲ ଭିତରେ ଏକ ଅସୁସ୍ଥ ଦନ୍ତାହାତୀ ଏକାକୀ ବୁଲୁଥିବା ନେଇ ବନ ବିଭାଗ ନିକଟକୁ ଖବର ପହଞ୍ଚିଥିଲା। ଏହାପରେ ତାରସିଂହ ବନାଞ୍ଚଳ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମ‌େ ବନପାଳ ମାନସ ରଞ୍ଜନ ପ୍ରଧାନ ବନରକ୍ଷୀ ଏବଂ କିଛି ବନ କର୍ମଚାରୀଙ୍କ ସହ ଜଙ୍ଗଲ ଭିତରକୁ ଯାଇଥିବା ବ‌େଳେ ହାତୀପଲଙ୍କ ହାବୁଡରେ ପଡି ଯାଇଥିଲେ। ହାତୀପଲକୁ ‌ସାମ୍ନାରେ ଦେଖି ସମସ୍ତେ ଦୌଡିବା ଆରମ୍ଭ କରିଥିଲେ। ସେହି ପଲରୁ ଗୋଡିଏ ଦନ୍ତାହାତୀ ସେମାନଙ୍କ ଆଡକୁ ଦୌଡିବାକୁ ଲାଗିଥିଲା। ଏହି ସମୟରେ ବନପାଳ ମାନସ ଦୌଡିବା ସମୟରେ ତଳେ ପଡି ଯାଇଥିଲେ।

ସେହି ସମୟରେ ସେ ତାଙ୍କର ଉପସ୍ଥିତ ବୁଦ୍ଧି ପ୍ରୟୋଗ କରି ନିଜ‌େ ପିନ୍ଧିଥିବା ଜୋତାକୁ ବାହାର କରି ଦନ୍ତା ଆଡକୁ ଫୋପାଡି ଦେଇଥିଲେ। ଦନ୍ତାଟି ଜୋତାକୁ ଦଳି ଚକଟି ଦେଇଥିଲା। ଏହି ସମୟରେ ଅନ୍ୟ କର୍ମଚାରୀ ମାନେ ମାନସକୁ ସେଠାରୁ ଉଠାଇ ପୁଣି ପ୍ରାଣ ବିକଳରେ ଦୌଡିବା ଆରମ୍ଭ କରିଥିଲେ। ସେଠାରୁ କିଛି ଦୂର ଆସିବା ପରେ ସମସ୍ତେ ଟିକେ ଆଶ୍ବସ୍ତ ହୋଇଥିଲେ। ବନ କର୍ମଚାରୀ ଉପସ୍ଥିତ ବୁଦ୍ଧି ଯୋଗୁ ସେ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଥିବା ଜଣାପଡିଛି। ବର୍ତ୍ତମାନ ତାରସିଂହ ବନାଞ୍ଚଳରେ ୩୧ ଟି ହାତୀ ଘୂରୀ ବୁଲୁଥିବା ଡିଭିଜନର ସବୁ ସ୍ଥାନରେ ହାତୀଙ୍କ ସୁରକ୍ଷା ପାଇଁ ବନ ବିଭାଗ କର୍ମଚାରୀ ମାନେ ଦିନରାତି ପରିଶ୍ରମ କରୁଥିବା ବିଭାଗୀୟ ଅଧିକାରୀ ମାନେ ସୂଚନା ଦେଇଛନ୍ତି। ଉକ୍ତ ଘଟଣା ଘଟିଥିବା ତାରସିଂହ ବନାଞ୍ଚଳର ଗାୟଗଣ୍ଡା ଇଲାକାରେ ୧୩ ଟି ହାତୀ ରହିଥିବା ବେଳେ ବଡ଼ ଗୁଣ୍ଡୁରିବାଡି ଓ ତାରସିଂହ ଇଲାକାରେ ରହିଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି। ସେମାନଙ୍କ ସୁରକ୍ଷା ପାଇଁ ବ୍ୟପକ ପଦକ୍ଷେପ ଗ୍ରହଣ କରାଯାଇଥିବା ବେଳେ ସେମାନଙ୍କ ଠାରୁ ଜନସାଧାରଣଙ୍କ ଧନ ଜୀବନ ସୁରକ୍ଷା କରିବା ମଧ୍ୟ ବର୍ତ୍ତମାନ ଚାଲେଞ୍ଜ ପାଲଟିଛି।

ସମ୍ବନ୍ଧିତ ଖବର