ବନୀକରଣ ନାମରେ ଚାରା ଖାଇଗଲା ବନବିଭାଗ !

ଖୋର୍ଦ୍ଧା: ମନରେଗା ଯୋଜନାରୁ ଅନୁଦାନ ପାଇ ବନ ବିଭାଗ ଗୋଟିଏ ବ୍ଲକର ୩ଟି ପଞ୍ଚାୟତରେ ଗୋଟିଏ ମାସ ମଧ୍ୟରେ ୨୯ କିଲୋମିଟର ରାସ୍ତାକଡ଼ ବୃକ୍ଷ ରୋପଣ, ଏକ ଲଣ୍ଡା ପାହାଡ଼ର ୧୦ହେକ୍ଟର ଅଞ୍ଚଳରେ ୧୬ହଜାର ବୃକ୍ଷ ରୋପଣ ପାଇଁ ୪୧ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି । କିନ୍ତୁ ବାସ୍ତବରେ ଲଣ୍ଡାପାହାଡ଼ରେ ଏବେ ୪୦-୫୦ଟି ପୋତାଯାଇଥିବା ଗଛ ଓ କିଛି ଶତ ମିଟର ରାସ୍ତାକଡ଼ରେ ବାଉଁଶପଟି ଘେରା ଚାରା ବ୍ୟତୀତ ଆଉ କିଛି ଦେଖିବାକୁ ମିଳୁନାହିଁ ।

ସୂଚନାନୁସାରେ, ୨୦୨୦ ଡିସେମ୍ବର ମାସରେ ବୋଲଗଡ଼ ବ୍ଲକ ବୋଲଗଡ଼ ପଞ୍ଚାୟତ ଅନ୍ତର୍ଗତ ଲଣ୍ଡା ପାହାଡ଼ ବନୀକରଣ ଯୋଜନାରେ ବୃକ୍ଷରୋପଣ ପାଇଁ ଡିଆର୍ଡିଏ ୩୧ଲକ୍ଷ ୪୫ହଜାର ଟଙ୍କା ଅନୁଦାନ ଦେଇଥିଲା । ଏହି ଅନୁଦାନରେ ଶ୍ୟାମସୁନ୍ଦରପୁର ନିକଟସ୍ଥ ଡୁବୁରି ବନଖଣ୍ଡ ଅନ୍ତର୍ଗତ ୧୦ ହେକ୍ଟର ବ୍ୟାପ୍ତ ଏକ ଲଣ୍ଡାପାହାଡ଼ରେ କରଂଜ, ନିମ୍ବ, ଅଁଳା, ସିଶାଳ, ଗମ୍ଭାରି, ବକୁଳ, ଶାଳ, ଅର୍ଜୁନ୍ ଆଦି ପ୍ରତ୍ୟେକ ୨୦୦୦ ଚାରା ରୋପଣ କରାଗଲା । ରିପୋର୍ଟରେ ଦର୍ଶାଗଲା ଯେ ଏଥିପାଇଁ ୧୬ହଜାର ଗାତ ଖୋଳାଯିବା ପରେ ୧୬ହଜାର ଚାରା ରୋପଣ କରାଯାଇଛି । ଏଥିପାଇଁ ମୋଟ ୧୨ଲକ୍ଷ ୪୪ହଜାର ୪୮୪ଟଙ୍କା ଖର୍ଚ୍ଚ ହୋଇଛି ।

ଆକଳନ ଅନୁସାରେ, ଯଦି ୧୦ ହେକ୍ଟର (୧ଲକ୍ଷ ବର୍ଗ ମିଟର) ଅଂଚଳରେ ୧୬ହଜାର ଚାରା ରୋପଣ କରାଯାଇଛି ତେବେ ପ୍ରତି ବର୍ଗ ମିଟରରେ ୬ଟି ଚାରା ରୋପଣ କରାଯିବା କଥା, ଯାହା ପ୍ରାୟତଃ ଅସମ୍ଭବ । କେବଳ ଏହାନୁହେଁ, ବର୍ତମାନ ପାହାଡ଼ ଉପରେ ୪୦-୫୦ଟି ଗଛ ହିଁ ଦେଖିବାକୁ ମିଳୁଛି । ଖୋର୍ଦ୍ଧା ବନଖଣ୍ଡରେ, ମନରେଗା ଯୋଜନାରେ ଚାଲିଥିବା ବୃକ୍ଷରୋପଣ, ବନୀକରଣ ଯୋଜନାର ବ୍ୟାପକ ଦୁର୍ନୀତିର ଏହା ଗୋଟିଏ ଉଦାହରଣ ମାତ୍ର ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ, ଗତ ୨ ମାସ ମଧ୍ୟରେ ବୋଲଗଡ଼ ବ୍ଲକର କଳାଙ୍ଗ, ଆରିକମା, ବୋଲଗଡ଼ ପଂଚାୟତରେ ହୋଇଥିବା ୧୫ଟି ବୃକ୍ଷରୋପଣ ଯୋଜନାରେ ମୋଟ ୧କୋଟି ୭୫ଲକ୍ଷ ୫୨ହଜାର ଟଙ୍କା ଅନୁଦାନ ମିଳିଥିଲା । ମାଳିସାହି ଠାରୁ ଗୋବର୍ଦ୍ଧନପୁର ୭ କିମି ଦୀର୍ଘ ରାସ୍ତାର ୩.୫ କମି ରାସ୍ତାରେ ୩ଳକ୍ଷ ୧୭ହଜାର ୯୫୨ଟଙ୍କା ବ୍ୟୟରେ ୧୭୫୦ଟି କୃଷ୍ଣଚୂଡ଼ା, ରାଧାଚୂଡ଼ା, ଅର୍ଜୁନ, ଜାମୁକୋଳି ଆଦି ଚାରା ରୋପଣ କରାଯାଇଥିବା ରିପୋର୍ଟରେ ଦର୍ଶା ଯାଇଥିବା ବେଳେ ମାତ୍ର ୮୦୦-୯୦୦ ମିଟର ରାସ୍ତାରେ ବୃକ୍ଷରୋପଣ କରାଯାଇଛି ।

ସେହିଭଳି ପନ୍ଦରଦୋଳପଡ଼ିଆ ସହ ମାଳିସାହି ୮ କିମି ରାସ୍ତାରେ ବୃକ୍ଷରୋପଣ, ଆରିକମା ଶନିମନ୍ଦିର ଠାରୁ ବାରବାଟି ୩କିମି ରାସ୍ତା, ରଙ୍ଗିଣିସାହି ଠାରୁ ହଳଦିପଦା ନଦୀ ୫କିମି, କୋଟାସିଂ ଠାରୁ ସାମନ୍ତରାପୁର ୨କିମି, ଆରିକମା ହାଇସ୍କୁଲ ଠାରୁ କାଦୁଆପଡ଼ା ଛକ ୬ କିମି, ଆରିକମା ପଂଚାୟତ କାର୍ଯ୍ୟାଳୟ ଠାରୁ ବେଣାଗାଡ଼ିଆ ରାସ୍ତା ୬ କିମି, ଜରିପଡ଼ା ଠାରୁ କୃଷ୍ଣପୁର ଆଦିବାସୀ ସାହି ୪ କିମି, ଗବଡିହି ଠାରୁ ଖଙ୍ଗୁରିଆ ୨ କିମି, ହରିପୁର ଠାରୁ ଖଙ୍ଗୁରିଆ ୪ କିମି, ଶଙ୍କର ପୁର ମଧ୍ୟ ଇଂରାଜି ବିଦ୍ୟାଳୟ ଠାରୁ ବେଗୁନିଆମୂଳ ୫ କିମି, ସାମପୁର ଠାରୁ ଖଙ୍ଗୁରିଆ ୩ କିମି, ସାମପୁର ଠାରୁ କଳାଙ୍ଗ ୪ କିମି ରାସ୍ତା ମଧ୍ୟରୁ ମୋଟ ୨୯ କିମି ରାସ୍ତାରେ ୧୫୫୦୦ ଚାରା ରୋପଣ କରାଯାଇଛି ।

ମୋଟାମୋଟି ଭାବେ ଡବୁରି ଲଣ୍ଡାପାହାଡ଼ ବନୀକରଣ ଓ ୨୯ କିମି ରାସ୍ତାରେ ବର୍ତମାନ ସୁଦ୍ଧା ୩୧ହଜାର ୫୦୦ ଚାରା ରୋପଣ କରାଯାଇ ମୋଟ ଅନୁଦାନରୁ ୪୦ଲକ୍ଷ ୩୬ହଜାର ୯୫୫ଟଙ୍କା ଖର୍ଚ୍ଚ କରାଯାଇଥିବା ଦର୍ଶାଯାଇଛି । ତେବେ ଏହି ସମସ୍ତ ବନୀକରଣ ଓ ବୃକ୍ଷରୋପଣ ଯୋଜନାରେ ଯେତିକି ଅଂଚଳରେ ବୃକ୍ଷ ରୋପଣ କରାଯାଇଥିବା ଦର୍ଶାଯାଇ ବିଲ୍ କରାଯାଇଛି । ପ୍ରକଳ୍ପ ସୂଚନାରେ କେତେ ଅଂଚଳରେ କେତେ ସଂଖ୍ୟାରେ ଗଛ ଲାଗିଲା ଓ ମୋଟ କେତେଟଙ୍କା ଖର୍ଚ୍ଚ ହୋଇଛି ସେନେଇ ସୂଚିତ କରିବା ବାଧ୍ୟତା ମୂଳକ ଥିବା ବେଳେ କୌଣସି ଫଳରେ ଏନେଇ ସୂଚନା ନାହିଁ ।

ଏନେଇ ଜିଲ୍ଳା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦେଶକ ଦିଗନ୍ତ ରାଉତରାୟଙ୍କ ସହ ଯୋଗାଯୋଗ କରିବାରେ ସେ କହିଛନ୍ତି ଯେ ବନ ବିଭାଗକୁ ମନରେଗା ପାଣ୍ଠୀର ବିନିଯୋଗ ପାଇଁ ଅନୁମତି ଦିଆଯାଇଛି । ବନ ବିଭାଗ ଦେଉଥିବା ପ୍ରକଳ୍ପକୁ ଡିଆର୍ଡିଏ କେବଳ ମଂଜୁର କରେ । ଏହାର କାର୍ଯ୍ୟାନ୍ୱୟନ ଦାୟିତ୍ୱ ବନ ବିଭାଗର ତେବେ ଯଦି ଦୁର୍ନୀତି ହୋଇଛି ତେବେ ଏହାର ତଦନ୍ତ କରାଯିବ ।

ସମ୍ବନ୍ଧିତ ଖବର