ନବରଙ୍ଗପୁର /ରାଇଘର: ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ କୁରାବେଡା ପଞ୍ଚାୟତ ଅନ୍ତର୍ଗତ ସୋନପୁର ଡିଏନକେ ଗ୍ରାମରେ ବନ ବିଭାଗର ଏକ ବଡଧରଣର ଚଢ଼ଉ ହୋଇଛି। ଏହି ଚଢ଼ାଉରେ ୧୫ ଲକ୍ଷ ଟଙ୍କାର ସାଗୁଆନ ଗଣ୍ଡି ଓ ଘର କରଣା ସାମଗ୍ରୀ ଜବତ ହୋଇଥିବା ବେଳେ ନବରଙ୍ଗପୁର ଓ ଛତିଶଗଡ ବନ ବିଭାଗର ୧୫୦ ଜଣ କର୍ମଚାରୀ ଏଥିରେ ଅଂଶ ଗ୍ରହଣ କରିଥିଲେ।
ମିଳିଥିବା ସୂଚନା ଅନୁଯାୟୀ ବହୁ ବର୍ଷ ହେବ ଏହି ଗ୍ରାମର କିଛି ବ୍ୟକ୍ତି ଛତିଶଗଡରୁ ସାଗୁଆନ କାଠ ଆଣି ବିଭିନ୍ନ ଘର କରଣା ସାମଗ୍ରୀ ପ୍ରସ୍ତୁତ କରି ବ୍ୟବସାୟ କରି ଆସୁଥିଲେ। ଏହି ଖବର ବନ ବିଭାଗ ପାଖରେ ରହିଥିଲା।
ନବରଙ୍ଗପୁର ବନ ବିଭାଗ ପକ୍ଷରୁ ପୂର୍ବ ପ୍ରସ୍ତୁତି ଅନୁଯାୟୀ ଗତ କାଲି ରାତିରେ ବନ ବିଭାଗର କିଛି କର୍ମଚାରୀ ଗାଁ ମୁଣ୍ଡର ଚାରିପଟେ ଛକି ରହିଥିଲେ। ରାତି ପ୍ରାୟ ୨.୪୫ ମିନଟରେ ଏକ ପିକ୍ଅପ୍ ଗାଡି ନମ୍ବର ଓଆର ୨୪ -ଏ ୦୪୦୭ ଗାଡିରେ କାଠଗଣ୍ଡି ଆସୁଥିବା ବେଳେ ବନବିଭାଗ ଜବତ କରିଥିଲା।
ସେହି ଗାଡିକୁ ରାଇଘର ବନ ବିଭାଗ କାର୍ଯ୍ୟାଳୟକୁ ନେଇଥିବା ବେଳେ କେହି ସୁରାକ ପାଇନଥିଲେ। ସକାଳ ପ୍ରାୟ ୬ ଘଣ୍ଟିକା ସମୟରେ ନବରଙ୍ଗପୁର ଜିଲ୍ଲା ଓ ଛତିଶଗଡ ବନ ବିଭାଗର ପ୍ରାୟ ୧୫୦ ଜଣ କର୍ମଚାରୀ ହଠାତ୍ ଆତର୍କିତ ଭାବେ ଗ୍ରାମରେ ଚଢ଼ଉ କରିଥିଲେ। ଗ୍ରାମର ୧୮ ଗୋଟି ଘରରେ ଚଢ଼ଉ କରାଯାଇଥିଲା ବେଳେ ଘର ମଧ୍ୟରୁ ସାଗୁଆନ ଗଣ୍ଡି ଓ ସାଗୁଆନ କାଠରେ ତିଆରୀ ବିଭିନ୍ନ ଘର କରଣା ସାମଗ୍ରୀକୁ ଜବତ କରିଥିଲେ। ଜବତ କାଠ ଗଣ୍ଡି ଓ ଘର କରଣା ସାମଗ୍ରୀର ମୁଲ୍ୟ ପ୍ରାୟ ୧୫ ଲକ୍ଷରୁ ଉର୍ଦ୍ଧ ହେବ ବୋଲି କହିଛି ବନ ବିଭାଗ।
କାଠଗଣ୍ଡି ନେଇ ଆସୁଥିବା ଏକ ପିକ୍ଅପ୍ ଭ୍ୟାନ ସହ ଜଣଙ୍କୁ ଗିରଫ କରାଯାଇଛି। ଗାଡି ଜବତ ଖଟଣାରେ ରାଇଘର ବନ ବିଭାଗ ପକ୍ଷରୁ କେସ ନଂ ୫୮/୨୪-୨୫ ରେ ମାମଲା ରୁଜୁ କରାଯାଇଛି। ତେବେ ଘର ଗୁଡିକରେ ଯେଉଁ ଜିନିଷ ଜବତ ହୋଇଛି ସେ ସଂକ୍ରାନ୍ତରେ ଏବେ ତଦନ୍ତ ଚାଲୁ ରହିଥିବାରୁ ଆସନ୍ତା କାଲି ମାମଲା ରୁଜୁ ହେବ ବୋଲି ଜଣାପଡିଛି।
ଅଧିକ ପଢ଼ନ୍ତୁ: ସିମେଣ୍ଟ ପ୍ଲାଣ୍ଟରେ ଅଘଟଣ: କୋଲ୍ହପର୍ ଭୁଶୁଡ଼ି ଏକାଧିକ ଶ୍ରମିକଙ୍କ ମୃତ୍ୟୁ ଆଶଙ୍କା
ଏହି ଚଢ଼ଉରେ ନବରଙ୍ଗପୁର ଡିଏଫଓ ଶୁଭେନ୍ଦୁ ପ୍ରସାଦ ବେହେରାଙ୍କ ନେତୃତ୍ୱରେ ନବରଙ୍ଗପୁର ଏସିଏଫଓ ସୁବାସ ଖୁଣ୍ଟିଆଙ୍କ ସମେତ ଜିଲ୍ଲାର ନବରଙ୍ଗପୁର, କୋଡିଙ୍ଗା, ଉମରକୋଟ , ଡାବୁଗାଁ, ଝରୀଗାଁ ଏବଂ ରାଇଘରର ୬ ଜଣ ରେଞ୍ଜର, ଫରେଷ୍ଟର, ଫରେଷ୍ଟ ଗାର୍ଡ, ପାରା ଗାର୍ଡ ଆଦି ୧୨୫ ଜଣ ଥିବା ବେଳେ ଛତ୍ତିଶଗଡ଼ ବନ ବିଭାଗର ଏସିଏଫଓ ଗୋପାଳ କଶ୍ୟପ ଙ୍କ ସମେତ ୪ ରେଞ୍ଜେର ଓ ବନବିଭାଗର ମୋଟ ୨୫ ଜଣ କର୍ମଚାରୀ ଅଂଶ ଗ୍ରହଣ କରିଥିଲେ।
ଏହି ପରି ଭାବେ ଏହି ଚଢ଼ଉରେ ୧୫୦ ଜଣ ଗ୍ରାମରେ ଚଢ଼ଉ କରି ୧୮ଗୋଟି ଘରରୁ କାଠ ଗଣ୍ଡି, ପଟା ସହ ତିଆରି ହୋଇଥିବା ପଲଙ୍କ,ସଫା, ଡ଼ାଇନିଙ୍ଗ ଟେବୁଲ ଇତ୍ୟାଦି ଅନେକ ସାମଗ୍ରୀ ଜବତ କରି ରାଇଘର ରେଞ୍ଜ୍ କାର୍ଯ୍ୟାଳୟକୁ ଅଣାଯାଇଥିଲା ।
ଅଧିକ ପଢ଼ନ୍ତୁ: ମହିଳା ପ୍ରିମିୟର ଲିଗ୍ ଖେଳସୂଚୀ ଘୋଷିତ