ବନ ବିଭାଗ ଚଢ଼ଉ; ବିପୁଳ ପରିମାଣର କାଠ, ଜୀବନ୍ତ କୁଟୁରା ସହ ବଣବିଲେଇ ମାଂସ ଜବତ

ଘଣ୍ଟାପଡ଼ା: ବୈାଦ୍ଧ ଜିଲ୍ଲା କଣ୍ଟାମାଳ ରେଞ୍ଜ ପକ୍ଷରୁ ମଙ୍ଗଳବାର ଚଢ଼ଉ କରାଯାଇ ଗୋଟିଏ ଗ୍ରାମର ୨ଟି ଭିନ୍ନ ସ୍ଥାନରୁ ଗୋଟିଏ ଜୀବନ୍ତ କୁଟୁରା, ବଣବିଲେଇ ମାଂସ ଜବତ କରାଯାଇଛି। ଅନ୍ୟ ଏକ ସ୍ଥାନରୁ ବିପୁଳ ପରିମାଣର କାଠ ଜବତ କରାଯାଇଥିବା ବିଭାଗ ସୂତ୍ରରୁ ଜଣାପଡ଼ିଛି। କୌଣସି ସୂତ୍ରରୁ ଖବର ପାଇ କଣ୍ଟାମାଳ ବନ ବିଭାଗର ଏକ ଟିମ୍‌ ବରଗାଁ ପଞ୍ଚାୟତ ଖଲିଆପାଲି ନିକଟ ନୂଆଁମୁଣ୍ଡା ଗ୍ରାମରେ ଚଢ଼ଉ କରିଥିଲା।

ଗ୍ରାମର ନୀଳାଞ୍ଚଳ ନାଏକ (୪୧)ଙ୍କ ଘରୁ ଏକ ଜୀବନ୍ତ କୁଟୁରାକୁ ଉଦ୍ଧାର କରିବା ସହ ପାଞ୍ଚ ମାସର ବଣବିଲେଇ ମାଂସ ଜବତ କରାଯାଇଥିଲା। ପରେ ଉକ୍ତ ଗ୍ରାମର ଡିଙ୍ଗର ନାଏକଙ୍କ ଘରେ ଚଢ଼ଉ କରି ପିଆଶାଳ, ଗାଡ଼ଖଇର ୧୭ ଖଣ୍ଡ ସହିତ ଏକ ପଲଙ୍କର ମୁଣ୍ଡି ଜବତ କରିଥିବା ଜଣାପଡ଼ିଛି। ଏ ନେଇ ଭିନ୍ନ ଭିନ୍ନ ପ୍ରକାରେ ୫୧୧ ଏବଂ ୫୧୨ ରେ ଦୁଇଟି ମାମଲା ରୁଜୁ କରି ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବନବିଭାଗ କହିଛି।

ଅପରପକ୍ଷରେ ଉଦ୍ଧାର କୁଟୁରାକୁ ଉପଯୁକ୍ତ ଚିକିତ୍ସା କରି ଉଚ୍ଚପଦାଧିକାରୀଙ୍କ ନିର୍ଦ୍ଦେଶକ୍ରମେ ଜଙ୍ଗଲରେ ଛାଡ଼ିବାକୁ ଫରେଷ୍ଟର ପ୍ରକାଶ ଚନ୍ଦ୍ର ସେଠୀ କହିଛନ୍ତି। ଚଢ଼ଉରେ ଏସିଏଫ୍‌ ରାଜେନ୍ଦ୍ର ଗୋଛାୟତ, ଜିତେନ୍ଦ୍ର ବେହେରା, ରେଞ୍ଜ ଅଧିକାରୀ କ୍ଷୀରାବ୍‌ଧି ପ୍ରଧାନ, ଫରେଷ୍ଟର୍‌ ରମାକାନ୍ତ କଅଁର, ପ୍ରକାଶ ଚନ୍ଦ୍ର ସେଠୀ, ଗାର୍ଡ ରୀନା ନାଏକ, ପ୍ରଦୀପ ସାହୁ ଓ ସୁବ୍ରତ ପ୍ରଧାନ ପ୍ରମୁଖ ସାମିଲ ଥିଲେ।

ସମ୍ବନ୍ଧିତ ଖବର