ୟୁଟ୍ୟୁବ ଚାନେଲ କରି ସାପ ଓ ବିରଳ ପ୍ରଜାତିର ସରୀସୄପଙ୍କ ଭିଡିଓ ଅପଲୋଡ କରୁଥିଲେ ଯୁବକ, ଚଢ଼ଉ କଲା ବନ ବିଭାଗ

ଯୁଯୁମୁରା: ଇସାକ ମୁଣ୍ଡାଙ୍କୁ ଆପଣମାନେ ଉଣା ଅଧିକେ ଜାଣିଥିବେ, ଯିଏକି ଓଡ଼ିଶାର ସଫଳ ୟୁଟ୍ୟୁବରମାନଙ୍କ ମଧ୍ୟରୁ ଜଣେ। ନିଜର ଜୀବନଶୈଳୀ ଉପରେ ପର୍ଯ୍ୟବସିତ ୟୁଟ୍ୟୁବ ଭିଡିଓ ପାଇଁ ସମଗ୍ର ଭାରତର ଇସାକ ମୁଣ୍ଡା ପ୍ରସିଦ୍ଧି ଲାଭ କରିଛନ୍ତି, ଯେଉଁଥି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରେଡିଓ ଭିତ୍ତିକ କାର୍ଯ୍ୟକ୍ରମ ‘ମନ୍‌ କି ବାତ୍‌ରେ’ ଇସାକ ମୁଣ୍ଡାଙ୍କ ନାଁ ନେଇଛନ୍ତି। କିନ୍ତୁ ଏହି ଅଞ୍ଚଳର ଆଉ ଜଣେ ଯୁବକ ୟୁଟ୍ୟୁବରେ ସଫଳତା ହାସଲ କରିବା ପାଇଁ ଉଦ୍ୟମ ଚଳାଇଥିବା ବେଳେ ବନ ବିଭାଗ ଅଟକ ରଖିଛି। ଅଭିଯୁକ୍ତ ଜଣକ ହେଲେ ରାମଚନ୍ଦ୍ର ରଣା (୩୨)।

ସୂଚନା ଅନୁସାରେ ସମ୍ବଲପୁର ଡିଭିଜନ ସଦର ରେଞ୍ଜ ପାଞ୍ଚଫୁଟ୍ ସେକ୍ସନ ଅନ୍ତର୍ଗତ କରଞ୍ଜୁଲା ଗ୍ରାମର ରାମଚନ୍ଦ୍ର ରଣା ବେଆଇନ ଭାବେ ବନ୍ୟଜନ୍ତୁମାନଙ୍କୁ ରଖି ଭିଡିଓ ଉତ୍ତୋଳନ କରି ଏହାକୁ ୟୁଟ୍ୟୁ‌ବରେ ଅପଲୋଡ କରିବାକୁ ନେଇ ବନ ବିଭାଗକୁ ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଥିଲା। ବନ ବିଭାଗର ସ୍ବତନ୍ତ୍ର ଟିମ୍‌ ଆଜି ସକାଳ ସାଢ଼େ ୫ଟାରେ ଅତର୍କିତ ଚଢ଼ଉ କରି ରାମଚନ୍ଦ୍ର ରଣାକୁ ଅଟକ ରଖିଛନ୍ତି। ତାଙ୍କ ‌ଘରେ ଥିବା ବନ୍ୟପ୍ରାଣୀକୁ ଜବତ କରାଯାଇଥିବା ନେଇ ସରଦ ରେଞ୍ଜ ଦାୟିତ୍ବରେ ଥିବା ମୁନୁ ଅଶୋକ ଭଟ୍ଟ ସୂଚନା ଦେଇଛନ୍ତି। ଯୁଯୁମୁରା ସଦର ରେଞ୍ଜ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଭଟ୍ଟ କହିଛନ୍ତି ଯେ, ଚଢ଼ଉ ସମୟରେ ବସିଆପଡ଼ା ଫରେଷ୍ଟର ପ୍ରଶାନ୍ତ ଓରାମ ଓ ଯୁଯୁମୁରା ଫରେଷ୍ଟର ସୁନୀଲ ଖିଲାରୀ ସାମିଲ ଥିଲେ।

ଶ୍ରୀ ଭଟ୍ଟ କହିଛନ୍ତି ଯେ, ରାମଚନ୍ଦ୍ର ରଣାଙ୍କ ପାଖରୁ ୬ଟି ବିଷଧର ସାପ ଜବତ ହୋଇଛି। ଏଗୁଡ଼ିକ ମଧ୍ୟରେ ୩ଟି ଇଣ୍ଡିଆନ କୋବ୍ରା, ଯାହାର ଲମ୍ବ ପ୍ରାୟ ୩ ଫୁଟ, ୨ଟି କୋବ୍ରା ଯାହାର ଲମ୍ବ ୨ ଫୁଟ ଓ ଅନ୍ୟ ଏକ ବିଷଧର ସାପ ରହିଛି। ସେହିପରି ୪ଟି ବିରଳ ପ୍ରଜାତିର ବଡ ଆକାରର ବହୁରୂପୀ ଏଣ୍ଡୁଅ ଜବତ ହୋଇଛି । ତେବେ ଚଢ଼ଉ ସମୟରେ ବନବିଭାଗ ଜାଣିବାକୁ ପାଇଥିଲା ଯେ ଅଭିଯୁକ୍ତ ଜଣକ ଏକ  ୟୁଟ୍ୟୁବ ଚ୍ୟାନେଲ ଖୋଲିଛନ୍ତି, ‌ଯେଉଁଥିରେ ୧୦୦୦ରୁ ଊର୍ଦ୍ଧ୍ବ ସବ୍‌ସ୍କ୍ରାଇବର ଅଛନ୍ତି। ଅଭିଯୋଗ ଅନୁସାରେ ରାମଚନ୍ଦ୍ର ଆଖପାଖ ଅଞ୍ଚଳରେ ଲୋକଙ୍କ ଘରେ ବାହାରୁ ଥିବା ସାପକୁ ଧରୁଥିଲେ । ବନବିଭାଗ ଅଭିଯୁକ୍ତଙ୍କ ପାଖରୁ ଏକ ମୋବାଇଲ ସହ ଗୋଟିଏ କ୍ୟାମେରାକୁ ମଧ୍ୟ ଜବତ କରିଛି । ତେଣେ ବନବିଭାଗ ସାପ ବିକ୍ରି ଘଟଣାରେ ଏହାର ଆଉ କାହା ସହ ସଂପର୍କ ଅଛି ନା ନାହିଁ ସେନେଇ ଅଧିକ ତଦନ୍ତ କରାଯିବା ପରେ ଜଣାପଡ଼ିବ ବୋଲି ସଦର ରେଞ୍ଜର ଶ୍ରୀ ଭଟ୍ଟ ସୂଚନା ଦେଇଛନ୍ତି ।

ସମ୍ବନ୍ଧିତ ଖବର