ବୈପାରିଗୁଡା: ବୈପାରିଗୁଡା ବ୍ଲକର କେନ୍ଦୁଗୁଡା ପଞ୍ଚାୟତର ବଡ଼ନାୟକଗୁଡା ପ୍ରାଥମିକ ବିଦ୍ୟାଳୟର ପରିସର ଭିତରକୁ ଗତ ୨୪ ତାରିଖ ଗୁରୁବାର ଦିନ ଏକ ଅସୁସ୍ଥ ଭାଲୁ ଛୁଆଟି ପଶି ଆସିଥିଲା। ଛାତ୍ରଛାତ୍ରୀ ମାନେ ଭୟଭୀତ ହେବା ସହ ଶିକ୍ଷକ ମାନଙ୍କୁ ଭାଲୁ ଛୁଆ ପଶି ଆସିଥିବା ନେଇ ଜଣେଇ ଥିଲେ। ଶିକ୍ଷକ ମାନେ ଗ୍ରାମବାସୀଙ୍କୁ ଖବର ଦେବା ପରେ ଲୋକଙ୍କ ଭିଡ଼ ଜମିବାରେ ଲାଗିଥିଲା। ତେବେ ଭାଲୁ ହଲଚଲ ନ ହେଇ ଗୋଟିଏ ଜାଗାରେ ଠିଆ ହେବା ଦେଖି ସେ ଅସୁସ୍ଥ ତଥା ଭୋକିଲା ଥିବା ଅନୁମାନ କରି କିଛି ଖାଇବାକୁ ଦେଇଥିଲେ। ଖାଇବା ପରେ ଲୋକଙ୍କ ଭିଡ଼ ଦେଖି ଧୀରେଧୀରେ ବିଦ୍ୟାଳୟ ପରିସର ମଧ୍ୟରୁ ବାହାରକୁ ଆସି କିଛି ସମୟ ବୁଲାବୁଲି କରିବା ପରେ ଗଛ ମୂଳରେ ବସି ରହିଥିଲା।
Advertisment
ଭାଲୁଟି ସମ୍ପୂର୍ଣ୍ଣ ଅସୁସ୍ଥ ଏବଂ ଭୋକିଲା ଜଣାପଡିବା ପରେ ବନବିଭାଗକୁ ଗ୍ରାମବାସୀ ଖବର ଦେଇଥିଲେ। ବନବିଭାଗ ଘଟଣାସ୍ଥଳରେ ପହଂଚି ଗ୍ରାମବାସୀ ଏବଂ ଶିକ୍ଷକଙ୍କ ସହାୟତାରେ ଉଦ୍ଧାର କରିଥିଲେ ଏବଂ ପ୍ରାଣୀ ଚିକିତ୍ସା କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ଭାଲୁ ଛୁଆ ସୁସ୍ଥ ହେବା ପର୍ଯ୍ୟନ୍ତ ୫ ଦିନ ଧରି ବନବିଭାଗ ନିଜ ପାଖରେ ରଖିଥିଲେ। ଛୁଆ ଭାଲୁଟି ସୁସ୍ଥ ହେବା ପରେ ସୋମବାର ରାତିରେ ବନବିଭାଗ ତରଫରୁ ମନ୍ତ୍ରୀଆମ୍ବ ଜଙ୍ଗଲ ଭିତରେ ଛାଡି ଦେଇଥିଲେ।