ଅଜଗର ସାପ ଅଣ୍ଡାର ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କଲା ବନବିଭାଗ 

ଖୋର୍ଦ୍ଧା : ଖୋର୍ଦ୍ଧା ଉପକଣ୍ଠ ଚନ୍ଦକା ଅଭୟାରଣ୍ୟ ଅଧୀନ ହଳଦିଆ ବନାଂଚଳ ଠାରେ ଏକ ବିରଳ ଅଜଗର ସାପ ଅଣ୍ଡା ଦେଇଛି । ତେବେ ଅଂଚଳରେ ବେଆଇନ ବନ୍ୟଜନ୍ତୁ ଶିକାରୀଙ୍କ ପ୍ରାଦୁର୍ଭାବକୁ ଦୃଷ୍ଟିରେ ରଖି ବନ ବିଭାଗ ପକ୍ଷରୁ ସମଗ୍ର ଅଂଚଳକୁ ଜାଲ ଦ୍ୱାରା ଆବଦ୍ଧ କରାଯିବା ସହ ନିୟମିତ ପହରା ଦିଆଯାଇଛି ।
ଆଜକୁ ୭ ଦିନ ପୂର୍ବେ ହଳଦିଆ ବନଖଣ୍ଡର ମଲ୍ଲୀପୁର ଗଡ଼ ନିଆଳ ଠାରେ ଏକ ଅଜଗର ସାପ ଅଣ୍ଡା ଦେଇଥିଲା । ଏହା ଦେଖି ସ୍ଥାନୀୟ ଗାଁର କେତେକ ଯୁବକ ଅଜଗର ସାପକୁ କୁକୁର, ଗୋଧି ଆଦିଙ୍କ ଠାରୁ ସୁରକ୍ଷା ଦେବା ସହ ବନ ବିଭାଗକୁ ସୂଚନା ଦେଇଥିଲେ । ବନ ବିଭାଗର କର୍ମଚାରୀ ସେଠାରେ ପହଂଚିଥିଲେ । ପରେ ସ୍ନେକ୍ ହେଲ୍ପଲାଇନ୍ ଶୁଭେନ୍ଦୁ ମଲ୍ଲିକ ଓ ଗ୍ରାମବାସୀଙ୍କ ସହାୟତାରେ ଅଜଗରର ଅଣ୍ଡାଗୁଡ଼ିକୁ ଯେପରି କ୍ଷତି ନହେବ ସେନେଇ ଅଣ୍ଡା ଦେଇଥିବା ସ୍ଥାନ ଠାରୁ କିଛି ଦୂରରେ ଚାରିପଟେ ବାଉଁଶ ବାଡ଼ ଦେଇଥିଲେ । ତେବେ ଦେଖାଯାଇଥିଲା ଯେ କେତେକ ଗୋଧି ଅଜଗରର ଅଣ୍ଡା ଉପରେ ନଜର ରଖିଛନ୍ତି । ଏଣୁ ଆଜି ଗୋଧି ଠାରୁ ସୁରକ୍ଷା ଦେବା ପାଇଁ ଚାରିପଟେ ଜାଲ ବେଢ଼ାଯିବାକୁ ନିଷ୍ପତ୍ତି ନିଆଯାଇଥିଲା । ଏହା ସହ ଅଣ୍ଡାରୁ ଫୁଟି ବାହାରିବାକୁ ଥିବା ଛୋଟ ଅଜଗର ଛୁଆକୁ ଯେଭଳି କେହି ଚୋରାଇ ନନିଏ ସେଥିପାଇଁ ୨୪ ଘଂଟିଆ ପହରା ବ୍ୟବସ୍ଥା ମଧ୍ୟ କରାଯାଇଛି । ଡ୍ରୋନ୍ କ୍ୟାମରାରେ ଅଜଗର ଓ ତାର ଅଣ୍ଡାଗୁଡ଼ିକ ଉପରେ ନଜର ରଖାଯାଇଛି । ଉଭୟ ସୁସ୍ଥ ଅଛନ୍ତି ଓ ସେମାନଙ୍କ ତାପମାତ୍ର ସଠିକ ରହିଛି । ସାପର ସୁରକ୍ଷା କାର୍ଯ୍ୟରେ ଗ୍ରାମବାସୀ ସହାୟତା କରୁଛନ୍ତି ବୋଲି ହଳଦିଆ ରେଂଜର ହରେକୃଷ୍ଣ ପଣ୍ଡା ସୂଚନା ଦେଇଛନ୍ତି । ମଲ୍ଲୀପୁର ସରପଂଚ ବିଜୟ ଦାସ କହିଛନ୍ତି ଯେ ସାପର ସୁରକ୍ଷା ପାଇଁ ଗାଁର ଯୁବକଙ୍କ ତତ୍ପରତା ଓ ଆଗ୍ରହ ନିଶ୍ଚିତ ଭାବେ ସ୍ୱାଗତ ଯୋଗ୍ୟ । କେବଳ ସାପ କାହିଁକି ନିକଟସ୍ଥ ଜଙ୍ଗଲ ଓ ଜଙ୍ଗଲର ଜୀବଜନ୍ତୁଙ୍କ ସୁରକ୍ଷା ପାଇଁ ମଧ୍ୟ ସେମାନେ ଆଗକୁ ଏଭଳି ପଦକ୍ଷେପ ନେବେ ।

ସମ୍ବନ୍ଧିତ ଖବର