ଜଳୁଛି ବୁଦ୍ଧଖୋଲ ପାହାଡ଼, ସିଦ୍ଧ ଗୁମ୍ଫାରେ ଲାଗିଲା ନିଆଁ

ବୁଗୁଡ଼ା: ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବନାଞ୍ଚଳର ବିଭିନ୍ନ ଜଙ୍ଗଲରେ ଲାଗିଛି ନିଆଁ। ସନ୍ଧ୍ୟା ହେଲେ ପାହାଡ଼ ଉପରେ କିଲୋମିଟର କିଲୋମିଟର ବ୍ୟାପୀ ଜଙ୍ଗଲ ଜଳୁଛି। ଏହି ବନାଞ୍ଚଳର କିରିଆମ୍ବା, ନାଡ଼ିଅମ୍ବା, ତାଳସର, ମାଣିତରା, ନଗୁଡ଼ୁ ବଡ଼ପଥର ଆଦି ଜଙ୍ଗଲ ସମେତ ପ୍ରସିଦ୍ଧ ଶୈବପୀଠ ବୁଦ୍ଧଖୋଲ ପାହାଡ଼ ପ୍ରାୟ ୫ ଦିନ ହେଲା ଜଳୁଛି। ଉଦ୍‌ବେଗର ଘଟଣା ହେଲା, ଆଜି ବୁଦ୍ଧଖୋଲ ପାହାଡ଼ ଶିଖରରେ ବିରାଜିତ ପ୍ରସିଦ୍ଧ ଶୈବପୀଠ ଉପରିସ୍ଥ ସିଦ୍ଧ ଗୁମ୍ଫାରେ ନିଆଁ ଲାଗି ଯାଇଛି। ଅଗ୍ନିକାଣ୍ଡ ଯୋଗୁଁ ପାହାଡ଼ ଉପରେ ଶହ ଶହ ଏକର ଜଙ୍ଗଲ ପୋଡ଼ି ପାଉଁଶ ହୋଇ ଯାଇଥିବା ବେଳେ ବହୁ ମୂଲ୍ୟବାନ ଗଛ ମଧ୍ୟ ପୋଡ଼ିଯାଇଛି।

ନିଆଁ ଲାଗିବା ଫଳରେ ବନ୍ୟଜନ୍ତୁ ଓ ପକ୍ଷୀ ଗାଁ ମୁହାଁ ହେଉଥିବା ବେଳେ ପରିବେଶ ଧୂଆଁମୟ ହୋଇ ନିଃଶ୍ବାସପ୍ରଶ୍ବାସ ନେବାରେ କଷ୍ଟ ହେଉଛି। ଆଖି ପୋଡ଼ିବା, ଶ୍ବାସ ରୋଗୀ ଓ ଟିବି ରୋଗୀ ଅଧିକ ସଂକ୍ରମିତ ହେବାର ଆଶଙ୍କା ଦେଖା ଦେଇଛି। ଜଙ୍ଗଲରେ ଗତ କିଛି ଦିନ ଧରି ନିଆଁ ଜଳୁଥିବା ଦେଖିବାକୁ ମିଳିଛି। ଯାହା ଫଳରେ ଗ୍ରୀଷ୍ମପ୍ରବାହ ଓ ତାପମାତ୍ରା ବୃଦ୍ଧି ଯୋଗୁଁ ଜଙ୍ଗଲ ଆଖପାଖ ଅଂଚଳର ଲୋକମାନେ ଅସ୍ତବ୍ୟସ୍ତ ହୋଇ ପଡ଼ିଲେଣି।

ଏହି ନିଆଁ ମନୁଷ୍ୟକୃତ ହୋଇଥିବା ଅଭିଯୋଗ ହେଉଥିବା ବେଳେ ବନ ବିଭାଗର ପ୍ରାୟ ଦୁଇ ଶହ କର୍ମଚାରୀ ବିଭିନ୍ନ ସ୍ଥାନରେ ଜଙ୍ଗଲରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ନିୟୋଜିତ ହୋଇଛନ୍ତି ବୋଲି ବୁଗୁଡ଼ା ରେଞ୍ଜର୍ ଫକୀର ଚରଣ ବେହେରା ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର