ବାରିପଦା: ବାଘ ଚମଡ଼ା ରାକେଟ୍ରେ ସଂପୃକ୍ତ ବନ ବିଭାଗର ଜନୈକ ବରିଷ୍ଠ ଅଧିକାରୀଙ୍କ ପୁଅ। ଗତକାଲି ବାରିପଦାରେ ଗିରଫ ହୋଇଥିବା ଇଞ୍ଜିନିୟରିଂ ଛାତ୍ର ଜଣ ବିକାଶ ବିନୟ ସିଂ ହେଉଛନ୍ତି ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡାକୁ ବଦଳି ହୋଇ ଆସିଥିବା ଜଣେ ବରିଷ୍ଠ ବନ ଅଧିକାରୀଙ୍କ ପୁଅ। ବିକାଶଙ୍କ ପିତା ପୂର୍ବରୁ ମଧ୍ୟ ମୟୂରଭଞ୍ଜର ବନ ବିଭାଗରେ କାର୍ଯ୍ୟ କରିସାରିଛନ୍ତି।
ତେବେ ଜଣେ ବରିଷ୍ଠ ବନ ଅଧିକାରୀଙ୍କ ପୁଅ ବାଘ ଚମଡ଼ା ରୢାକେଟ୍ରେ ସାମିଲ ହେବା ଘଟଣାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ଜିଲ୍ଲାବାସୀ। ତେବେ ଗତକାଲି ଜବତ ହୋଇଥିବା କଲରାପତରିଆ ବାଘ ଚମଡ଼ା ଘଟଣାରେ ମୁଖ୍ୟ ଅଭିଯୁକ୍ତ ତଥା ଶିକାରୀ ଲକ୍ଷଣ ମୁର୍ମୁକୁ ଗିରଫ କରିଛି ବାରିପଦା ବନ ବିଭାଗ। ଲକ୍ଷ୍ମଣ ନିକଟରୁ ଦୁଇଟି ଦେଶୀ ବନ୍ଧୁକ, ପାଞ୍ଚଟି ଧନୁ ଏବଂ ୧୭ଟି ତୀର ଜବତ କରାଯାଇଛି। ଗିରଫ ଲକ୍ଷ୍ମଣର ଘର ବାରିପଦା ଟାଉନ୍ ଥାନା ଅନ୍ତର୍ଗତ କେନ୍ଦୁଝରୀ ଗାଁରେ ବୋଲି ଜଣାପଡ଼ିଛି। ତେବେ ଲକ୍ଷ୍ମଣ ଏକୁଟିଆ ଶିକାର କରିଛି ନା ଆଉ କେହି ଏହି ଘଟଣାରେ ସଂପୃକ୍ତ ଅଛନ୍ତି ସେନେଇ ତଦନ୍ତ ଜାରି ରହିଥିବା ବନ ବିଭାଗ ପକ୍ଷରୁ ପ୍ରକାଶ।
ଏସ୍ଟିଆର ଅଧିକାରୀ ଦିଲ୍ଲୀପ ବାରିକ, ବାରିପଦା ବନଖଣ୍ଡ ରେଞ୍ଜର ଲକ୍ଷ୍ମୀଧର ବେହେରାଙ୍କ ସମେତ ବନ ବିଭାଗ କର୍ମଚାରୀ ଲକ୍ଷ୍ମଣକୁ ଗିରଫ କରିଥିଲେ। ତେବେ ମୟୂରଭଞ୍ଜରୁ ବାରମ୍ବାର ବାଘ ଚମଡ଼ା ଜବତ ହେବା, ଶିକାରୀଙ୍କ ଗୁଳିରେ ହାତୀ ମୃତ୍ୟୁବରଣ କରିବା ଘଟଣା ପ୍ରାଣୀମାନଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ ଯେ ଜୀବଜନ୍ତୁଙ୍କ ପାଇଁ ଆଉ ନିର୍ଭୟ ବାସ ହୋଇ ରହିନାହିଁ ତାହା ଅଭିଯୋଗ ହୋଇଛି। ଅବାଧ ଦେଶୀ ବନ୍ଧୁକ କାରବାର ଏବଂ ଅନ୍ୟାନ୍ୟ ବିଭିନ୍ନ ଦୁର୍ବଳ ଦିଗ ଶିକାରୀମାନଙ୍କ ବେଆଇନ କାରବାରକୁ ପରୋକ୍ଷରେ ପ୍ରୋତ୍ସାହିତ କରୁଥିବା ଅଭିଯୋଗ ହୋଇଛି। ସେହିପରି ବିଭିନ୍ନ ସମୟରେ ବାଘ ଚମଡ଼ା ଜବତ ଏବଂ ଏହି ପ୍ରକ୍ରିୟାରେ ହେଉଥିବା ତଦନ୍ତର ଫଳାଫଳ କଣ ହେଉଛି ତାହା ଜଣାପଡ଼ୁନାହିଁ। ତେଣୁ ଶିକାରୀମାନଙ୍କର ମୂଳ ପର୍ଯ୍ୟନ୍ତ ଯିବା ସମ୍ଭବ ହେଉନାହିଁ। ବାଘ ଚମଡ଼ା ତସ୍କରିରେ ଯେତେବେଳେ ଇଚ୍ଛା ସେତେବେଳେ ଅବାଧ ଶିକାର କରିବାରେ ସକ୍ଷମ ହେଉଛନ୍ତି। ଯାହା ଫଳରେ ଆଜି ପ୍ରାୟ ବିଲୁପ୍ତ ହେବାକୁ ବସିଲାଣି ବାଘଙ୍କ ବଂଶ। ତେଣୁ ଏହି ପ୍ରକ୍ରିୟାରେ ସଂପୃକ୍ତ ଅଭିଯୁ୍କ୍ତଙ୍କ ବିରୋଧରେ ଉପଯୁକ୍ତ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/shkari-giraf.jpg)