ନିଆରା ଢଙ୍ଗରେ ଵନପାଳଙ୍କ ଜଙ୍ଗଲ ସୁରକ୍ଷା ସଚେତନତା ଅଭିଯାନ

ନିଜ ପାରିଶ୍ରମିକରେ ଗାଁ ନାଏକେ ବାବାଙ୍କୁ ବଢ଼ାଉଛନ୍ତି ସହଯୋଗର ହାତ

ବିଶୋଇ: “ଜଙ୍ଗଲ ଆମର ଜୀବନ, ତେଣୁ ଜଙ୍ଗଲ ଓ ଜଙ୍ଗଲ ଜୀବଜନ୍ତୁଙ୍କୁ ସୁରକ୍ଷା ପ୍ରଦାନ କରିବା ମଣିଷର ପ୍ରଥମ କର୍ତ୍ତବ୍ୟ”। ଏହି ସଚେତନତା ବାର୍ତା ନେଇ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବନଖଣ୍ଡ ଅଧିନ ସରଗଡା ବନ୍ୟପ୍ରାଣୀ ବନାଞ୍ଚଳ ବନପାଳ ଜୀବନବଲ୍ଲଭ ପାତ୍ର ନିଆରା ଢଙ୍ଗରେ ଲୋକଙ୍କୁ ସଚେତନତା କରୁଛନ୍ତି। ବନ୍ୟଜନ୍ତୁଙ୍କୁ ସୁରକ୍ଷା ପ୍ରଦାନ ସହିତ ବନବିଭାଗ ସହିତ ଜଙ୍ଗଲ ନିକଟବର୍ତ୍ତୀ ଗ୍ରାମବାସୀ ମଧ୍ୟରେ ଉତ୍ତମ ସମ୍ପର୍କ ସ୍ଥାପନ କରି ଜଙ୍ଗଲକୁ କିପରି ନିଆଁ ଦାଉରୁ ରକ୍ଷା କରାଯାଇ ପାରିବ ସେନେଇ ଏକ ନୂଆ ଅଭିଯାନ ଆରମ୍ଭ କରିଛନ୍ତି ବନପାଳ ଶ୍ରୀ ପାତ୍ର।

ବର୍ତ୍ତମାନ ଜଙ୍ଗଲ ମାନଙ୍କରେ ବାହାବଙ୍ଗା ପର୍ବ (ଫୁଲ ପୂଜା) ଚାଲିଥିବା ବେଳେ ଏହି ପୂଜାକୁ ପରିଚାଳନା କରୁଥିବା ଗ୍ରାମର ମାଝୀ ଓ ମୁଣ୍ଡା ନାଏକେ ବାବାଙ୍କୁ ବନପାଳ ଶ୍ରୀ ପାତ୍ର ନିଜସ୍ଵ ପ୍ରୟାସରେ ସମ୍ମାନିତ କରି ଜଙ୍ଗଲ ସୁରକ୍ଷା କରିବା ଦିଗରେ ସ୍ୱତନ୍ତ୍ରତା ସୃଷ୍ଟି କରିଛନ୍ତି। ବନପାଳ ଶ୍ରୀ ପାତ୍ର ପ୍ରତ୍ୟେକ ବର୍ଷ ଧରି ନିଜ ପାରିଶ୍ରମିକରୁ ସରଗଡା ବନ୍ୟପ୍ରାଣୀ ବନାଞ୍ଚଳ ଅନ୍ତର୍ଗତ ୧୬ ଗୋଟି ଗ୍ରାମର ୩୦ରୁ ଊର୍ଦ୍ଧ୍ବ ନାଏକେ ବାବାଙ୍କୁ ପାରମ୍ପାରିକ ପୂଜା ବସ୍ତ୍ର ପ୍ରଦାନ ସହିତ ଆର୍ଥିକ ସହାୟତା ପ୍ରଦାନ କରି ଏହି ସଚେତନତା ଆରମ୍ଭ କରିଛନ୍ତି। ଜଙ୍ଗଲ ସୁରକ୍ଷା ଓ ରକ୍ଷଣାବେକ୍ଷଣ ନିମନ୍ତେ ନାଏକେ ବାବା ମାନଙ୍କ ପ୍ରମୁଖ ଅବଦାନ ରହିଥିବାବେଳେ ନାଏକେ ବାବା ମାନଙ୍କୁ  ସରକାରଙ୍କ ପକ୍ଷରୁ ବର୍ତ୍ତମାନ ସୁଦ୍ଧା କୌଣସି ସ୍ୱତନ୍ତ୍ର ସୁବିଧା ସୁଯୋଗ ଯୋଜନା ଯୋଗାଇଦିଆଯାଇନାହିଁ ।

ତେବେ,ଏହିପରି ଭାବରେ ବନପାଳଙ୍କ ନାଏକେ ବାବା ପ୍ରତି ଉଦାସୀନତା ଓ ଭଲପାଇବା ଯୋଗୁ ଜଙ୍ଗଲ ଓ ଗ୍ରାମବାସୀ ମଧ୍ୟରେ ଉତ୍ତମ ସମ୍ପର୍କ ସ୍ଥାପନ ହୋଇ ଆଗାମୀ ଦିନରେ ଜଙ୍ଗଲ ସୁରକ୍ଷା କରିବା ଦିଗରେ ଗ୍ରାମବାସୀ ବିଶେଷ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବେ ବୋଲି ବନପାଳ ଶ୍ରୀ ପାତ୍ର କହିଛନ୍ତି। କେବେଳ ସେତିକି ନୁହଁ ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବା ସହିତ ଜଙ୍ଗଲକୁ ନିଜ ପରିବାର ସଦସ୍ୟ ଭାବି ଜଙ୍ଗଲ ପରିବେଶକୁ ସୁରକ୍ଷା ଦେବା ସେ ବିଷୟରେ ବନପାଳ ଶ୍ରୀ ପାତ୍ର ଗ୍ରାମ ସନ୍ନିକଟ ଜନସାଧାରଣଙ୍କ ନିକଟରେ ପହଁଞ୍ଚି ସଚେତନତା ଅଭିଯାନ ଆରମ୍ଭ କରିଛନ୍ତି।ତତସହିତ ବନପାଳ ଗ୍ରାମ ସନ୍ନିକଟ ଜଙ୍ଗଲକୁ ଯାଇ ଲୋକଙ୍କ ସୁଖ ଦୁଃଖର ସାଥି ହୋଇ ଜଙ୍ଗଲକୁ ସୁରକ୍ଷା ପ୍ରଦାନ ପାଇଁ ବିନତି କରୁଛନ୍ତି। ବନପାଳଙ୍କ ଏହି ଅଭିନବ ପ୍ରୟାସ ଯୋଗୁ ବନବିଭାଗର ଉଚ୍ଚ କର୍ତ୍ତୃପକ୍ଷ ଶ୍ରୀ ପାତ୍ରଙ୍କୁ ଭୁରି ପ୍ରଶଂସା କରୁଥିବା ବେଳେ ସାରା ରାଜ୍ୟରେ ଏକମାତ୍ର ଵନପାଳ ଭାବରେ ଶ୍ରୀ ପାତ୍ରଙ୍କ ଏହିଭଳି  ସ୍ଵତନ୍ତ୍ରତା କାର୍ଯ୍ୟଶୈଳୀ ରାଜ୍ୟରେ ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି।

ସମ୍ବନ୍ଧିତ ଖବର