ଫୁଲବାଣୀ: ପ୍ରକୃତିର ସବୁଜ ବଳୟ ଭରା କନ୍ଧମାଳ। ହେଲେ ଶାଳ ଜଙ୍ଗଲ ପାଇଁ କନ୍ଧମାଳ ବେଶ ପ୍ରସିଦ୍ଧ ଲାଭ କରିଛି। ଜିଲ୍ଲାବାସୀଙ୍କ ସହ ପର୍ୟ୍ୟଟନ ଋତୁରୁ ଦେଶ ବିଦେଶରୁ ଆସୁଥିବା ପର୍ୟ୍ୟଟକଙ୍କ ପାଇଁ ମୁଖ୍ୟ ଆକର୍ଷଣ ରହି ଥାଏ ଶାଳ ଜଙ୍ଗଲ। ହେଲେ କାଠ ମାଫିଆଙ୍କ ପାଇଁ ଶାଳ ଜଙ୍ଗଲ କ୍ରମଶଃ ହ୍ରାସ ପାଇବାରେ ଲାଗିଛି। ଜିଲ୍ଲା ସଦର ମହକୁମା ଫୁଲବାଣୀଠାରୁ ମାତ୍ର ୫ କିଲୋମିଟର ଦୁର ରାଶିଖଣ୍ଡି ସଂରକ୍ଷିତ ଜଙ୍ଗଲରୁ ଶାଳ ଗଛ ସଫା ହେବାକୁ ବସିଲାଣି। ହେଲେ ବନ ବିଭାଗ ପାଖରେ ଏ ନେଇ କୌଣସି ଖବର ନ ରହିବା ସମସ୍ତଙ୍କୁ ଆଶ୍ଚର୍ୟ୍ୟ କରିଛି। ଜାଗା ଅକ୍ତିଆର କରିବା ପାଇଁ ଲୋକମାନେ ପ୍ରତିଯୋଗିତା ମୂଳକ ଭାବେ ମନଇଛା ଗଛ କାଟି ଚାଲିଛନ୍ତି। କାଠ ଘରକୁ ନେଉଛନ୍ତି। ତାପରେ ନିଆଁ ଲଗାଇ ଡାଳ ଓ ପତ୍ରକୁ ପୋଡୁଛନ୍ତି। ଏମିତି ୨୦ ଏକର ଜାଗାରୁ ଶାଳ ଗଛ ସଫା ହୋଇ ସାରିଲାଣି। ଆହୁରି ବି ଶାଳ ଗଛ କଟା ପାଇଁ ଉଦ୍ୟମ ଚାଲିଛି। ନୁଆରିପଦର ସାଲୁଙ୍କି ନଦୀରେ ‌ପୋଲ ନଥିବାରୁ ଆଖାପଖ ୧୦ରୁ ୧୫ ଗ୍ରାମବାସୀ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ।

Advertisment

କାଠ ପୋଲରେ ବିପଦଜନକ ଭାବେ ‌ଅଞ୍ଚଳବାସୀ ଯାତାୟତ କରୁଥିଲେ। ଏହାକୁ ନେଇ ଜନପ୍ରତନିଧି ଓ ପ୍ରଶାସନକୁ ବହୁବାର ଅବଗତ କରାଯାଇଛି। ଗତ ସାଧାରଣ ନିର୍ବାଚନ ପୂର୍ବରୁ କନ୍ଧମାଳ ଗସ୍ତରେ ଆସିଥିବା ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୁଆରିପଦର ସାଲୁଙ୍କି ନଦୀରେ ପୋଲ ନିର୍ମାଣ ହେବ ବୋଲି ଘୋଷଣା କରିଥିଲେ। ନିର୍ବାଚନ ପରେ ପୋଲ ନିର୍ମାଣ ପାଇଁ ଗତବର୍ଷ ଶୁଭ ଦିଆଯାଇଛି। ବହୁ ବିଳମ୍ବ ହେଉ ପଉେ। ଏବେ ପୋଲ କାମ ଏବେ ଆରମ୍ଭ ହେବାକୁ ଯାଉଛି। ପୋଲ ନିର୍ମାଣ ହେଲେ ଗମନାଗମନ ସୁବିଧା ହେବ। ଆଉ ରାସ୍ତା ଦୁଇ ପାର୍ଶ୍ବରେ ଘର ନିର୍ମାଣ କରିବା ନିମନ୍ତେ ଫୁଲବାଣୀରୁ ନୁଆରିପଦରକୁ ଯିବା ରାସ୍ତା ପାଖରେ ଥିବା ରାଶିଖଣ୍ଡି ଜଙ୍ଗଲକୁ ଲୋକମାନେ ସଫା କରି ଚାଲିଛନ୍ତି। ମୂଲ୍ୟବାନ ଶାଳ ଗଛକୁ କାଟୁଛନ୍ତି। ବଡ ଗଛଗଣ୍ଡିକୁ ବିକ୍ରି କରି ଦେଉଛନ୍ତି। ଆଉ ସାନ ଗଣ୍ଡିକୁ ଘରକୁ ନେଇ ଯାଉଛନ୍ତି। ଗଛର ଡାଳ ଓ ପତରକୁ ନିଆଁ ଲଗାଇ ପୋଡି ଦେଉଛନ୍ତି। ଜାଗା ସଫା ହେଲେ ତାକୁ ଅକ୍ତିଆର କରି ସେଠାରେ ଘର କରିବା ଯୋଜନା ରହିଥିବା କୁହାଯାଉଛି।

publive-image Sambad

ପ୍ରାୟତଃ ୨୦ ଏକର ଜଙ୍ଗଲ ସଫା ହେଲାଣି। ବିଭାଗୀୟ କାର୍ୟ୍ୟାନୁଷ୍ଠାନ ନ ହେଲେ ଆହୁରି ବି ଅଧିକ ଜଙ୍ଗଲ ସଫା ହେବା ନିଶ୍ଚିତ ହୋଇ ପଡିଛି। ଗମନାଗମନା ସୁବିଧା ପାଇଁ ପୋଲ ନିର୍ମାଣ ହେଉଛି। ହେଲେ ବ୍ୟକ୍ତିଗତ ସ୍ବାର୍ଥ ନିମନ୍ତେ ପରିବେଶ ନଷ୍ଟ କରିବାକୁ ଯାଇ ମୂଲ୍ୟବାନ ଶାଳ ଜଙ୍ଗଲକୁ ସଫା ଚାଲିଛି। ଏହାକୁ ‌ନେଇ ପରିବେଶବିତ ଓ ପ୍ରକୃତିପ୍ରେମୀଙ୍କ ମଧ୍ୟରେ ଉଦବେଗ ପ୍ରକାଶ ପାଇଛି। କାଠ ମାଫିଆ ଉପରେ କଡା ନଜର ରଖାଯାଇଛି। ଆଉ ଜଙ୍ଗଲରେ ନିଆଁ ଲଗାଉଥିବା ଲୋକଙ୍କ ଉପରେ ବି ନଜର ରହୁଛି। ଏ ନେଇ ନିୟମିତ ଜଙ୍ଗଲରେ ପାଟ୍ରୋଲିଂ ଚାଲିଛି ବୋଲି ବନ ବିଭାଗ କହୁଛି। ଜିଲ୍ଲା ସଦର ମହକୁମାଠାରୁ ବେଶି ଦୁର ନୁହେଁ।

ମାତ୍ର ୫ କିଲୋମିଟର ଦୁ‌ର ରାଣିଖଣ୍ଡି ସଂରକ୍ଷିତରୁ ଶାଳ ଜଙ୍ଗଲ ସଫା ହେବାକୁ ବସିବାକୁ ଯାଉଛି। ଏନେଇ ବିଭାଗ ପାଖରେ ଖବର ନଥିବା ‌ବେଳେ ଜଙ୍ଗଲରେ ପାଟ୍ରୋଲିଂ କିଭଳି ଚାଲିଛି ତାହା ସହଜେ ଅନୁମେୟ। ରାଣିଖଣ୍ଡି ଶାଳ ଜଙ୍ଗଲର ସୁରକ୍ଷା ପାଇଁ ବନ ବିଭାଗ କେତେ ତତ୍ପରତା ଦେଖାଉଛି ତାହା ଦେଖିବାର କଥା। କେବଳ ରାଣିଖଣ୍ଡି ନୁହେଁ। ଏମିତି ଶତାଧିକ ସଂରକ୍ଷିତ ଜଙ୍ଗଲ ରହିଛି। ‌ଯେଉଁଠି ଛୋଟରୁ ବଡ ଶାଳ ଗଛ ଶୋଭା ପାଉଛି। ମୂଲ୍ୟବାନ କାଠ ଚୋରି କରିବା ହେଉ କି ଘର ନିର୍ମାଣ ପାଇଁ ଜାଗା ଅକ୍ତିଆର ହେଉ। ଏଥି ନିମନ୍ତେ ଶାଳ ଜଙ୍ଗଲ ଉପରେ ଆଖି ପକା ଯାଉଛି। ତେଣୁ ବନ ବିଭାଗ ଏ ଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ ନ କଲେ ସମୟ ଆସିବ କନ୍ଧମାଳରୁ ଶାଳ ଜଙ୍ଗଲ ଲୋପ ପାଇଯିବ।