ଭଞ୍ଜନଗର : ଗଞ୍ଜାମ ଜିଲ୍ଲା ଭଞ୍ଜନଗର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ତଥା ସିନେ ଜଗତର ବିଶିଷ୍ଟ ଅଭିନେତା ଉମାକାନ୍ତ ମିଶ୍ରଙ୍କ ଦେହାନ୍ତ ଘଟିଛି। ଆଜି ଭୋର୍ ୪ ଟା ସମୟରେ ଭୂବନେଶ୍ବର ସ୍ଥିତ ଏକ ଘରୋଇ ହସ୍ପିଟାଲ୍ରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ସ୍ବର୍ଗତ ମିଶ୍ରଙ୍କୁ ୮୨ ବର୍ଷ ବୟସ ହୋଇଥିଲା। ଭଞ୍ଜନଗର ଅଞ୍ଚଳର ଜଣେ ବିଶିଷ୍ଟ ଆଇନଜୀବୀ ଭାବେ ବେଶ ସୁନାମ ଅର୍ଜନ କରିଥିଲେ। ସ୍ବର୍ଗତ ମିଶ୍ର ଏକାଧାରରେ ସାହିତ୍ୟିକ,ଶିକ୍ଷାପ୍ରେମୀ,ନାଟ୍ୟକାର,ନିର୍ଦ୍ଦେଶକ ସହିତ ନାଟକ ତଥା ଚଳଚ୍ଚିତ୍ର ଅଭିନେତା ଭାବେ ନିଜକୁ ପ୍ରତିଷ୍ଠିତ କରିପାରିଥିଲେ। ସେ ଭଞ୍ଜନଗର ନିକଟସ୍ଥ ସାନକୋଦଣ୍ଡା ଗ୍ରାମର ବିଶିଷ୍ଟ ସମାଜସେବୀ ଜଗନ୍ନାଥ ମିଶ୍ରଙ୍କ ପୁତ୍ର ଭାବେ ୧୯୩୯ ମସିହା ଜୁଲାଇ ମାସ ୧୪ ତାରିଖରେ ଜନ୍ମଗ୍ରହଣ କରିଥିଲେ। ପ୍ରଥମିକ ଶିକ୍ଷା ଗ୍ରହଣ ପରେ ସେ ବିଏଏଲଏଲବି ପାସ କରି ଭଂଜନଗର କୋର୍ଟରେ ଓକିଲାତି ଜୀବନ ଆରମ୍ଭ କରିଥିଲେ। ନିଜର ବିଚକ୍ଷଣ ବୁଦ୍ଧି ସାଙ୍ଗକୁ ସ୍ଵତନ୍ତ୍ର ଭାବେ ଓକିଲାତି କରି ଘୁମୁସରର ଜଣେ ଖ୍ୟାତନାମା ଓକିଲ ଭାବେ ନିଜକୁ ପ୍ରତିଷ୍ଠିତ କରିପାରିଥିଲେ । ସେ ଓଡ଼ିଶାର ବିଶିଷ୍ଟ ରାଜନୀତିଜ୍ଞ, ମନ୍ତ୍ରୀ, ବାଚସ୍ପତି ତଥା ସାଂସଦ ସ୍ବର୍ଗତ ସୋମନାଥ ରଥଙ୍କ କନ୍ୟା ବିଜୟଲକ୍ଷ୍ମୀ ଦେବୀଙ୍କୁ ବିବାହ କରିଥିଲେ । ଗତ ଦୀର୍ଘଦିନ ଧରି ବାର୍ଦ୍ଧକ୍ୟ ଜନିତ ରୋଗରେ ପଡିଥିବା ବେଳେ ଗତ ଦୁଇ ସପ୍ତାହ ହେଲା ତାଙ୍କ ଅବସ୍ଥା ଗୁରୁତର ଥିବାରୁ ଭୂବନେଶ୍ବର ଏକ ଘରୋଇ ହସପିଟାଲ୍ରେ ଚିକିତ୍ସିତ ହେଉଥିଲେ।
ପିଲାଟି ଦିନରୁ ତାଙ୍କର ଅଭିନୟ ତଥା ନାଟ୍ୟକଳା ପ୍ରତି ଯଥେଷ୍ଟ ଆଗ୍ରହ ରଖି ଶ୍ରୀ ମିଶ୍ରଙ୍କ ଦ୍ବାରା ଅନେକ ନାଟକ ମଞ୍ଚସ୍ଥ ହୋଇପାରିଛି। ସେ ୫ରୁ ଉର୍ଦ୍ଧ ନାଟକ ମଧ୍ୟ ନିଜେ ଲେଖିଛନ୍ତି। ସେ ଭଂଜନଗର ଠାରେ ବହୁ ନାଟକରେ ଉଚ୍ଚ କୋଟୀର ଅଭିନୟ କଲାପରେ ଶେଷରେ ୧୯୬୪ ମସିହାରେ ଚଳଚିତ୍ର ଜଗତରେ ପାଦ ଦେଇଥିଲେ। ତତ୍କାଳୀନ ଓଡ଼ିଆ ସିନେମା ଜଗତର ସୁପରହିଟ୍ ସିିନେମା ‘ଅମଡାବାଟ’ ଚଳଚ୍ଚିତ୍ରରେ ନିଜର ନିଖୁଣ କଳା ପ୍ରଦର୍ଶନ କରିଥିଲେ। ଏହାପରେ ସେ ‘ଅଭିନେତ୍ରୀ’ ଚଳଚ୍ଚିତ୍ର ସହ ଅନେକ ଚଳଚିତ୍ରରେ ଅଭିନୟ କରିଥିଲେ। ଏଥିସହ ସେ ୧୯୮୨ ମସିହାଭରେ ଶିଶିର ମିଶ୍ରଙ୍କ ଦ୍ବାରା ନିର୍ଦ୍ଦେଶିତ ହିନ୍ଦୀ ଚଳଚିତ୍ର ‘ଭିଗି ପଲ୍ଙ୍କୋ’ରେ ବର୍ଷିୟାନ ଅଭିନେତା ରାଜ ବବ୍ର ଏବଂ ସ୍ମିତା ପାଟିଲଙ୍କ ସହ ଅଭିନୟ କରିବାର ସୁଯୋଗ ମଧ୍ୟ ପାଇଥିଲେ।
ଏଥିସହ ରାଜନୀତିରେ ମଧ୍ୟ ସେ ବେଶ ସକ୍ରୀୟ ଭାବେ ନିଜକୁ ପ୍ରତିଷ୍ଠିତ କରିପାରିଥିଲେ। ସେ କଂଗ୍ରେସ ଦଳରେ ଯୋଗଦାନ କରି ବହୁ ପଦ ପଦବୀରେ ଅବସ୍ଥାପିତ ହୋଇଥିଲେ । ୧୯୬୯ ରୁ ୧୯୭୨ ମସିହା ପର୍ଯ୍ୟନ୍ତ ଭଂଜନଗର ବିଜ୍ଞାପିତ ଅଂଚଳ ପରିଷଦର ଅଧ୍ୟକ୍ଷ ଦାୟିତ୍ବ ସମ୍ପାଦନା କରିଥିଲେ। ସେ ୧୯୭୪ ରୁ ୧୯୮୦ ମସିହା ପର୍ଯ୍ୟନ୍ତ ଗଂଜାମ ଜିଲ୍ଲା କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ଏବଂ ଜିଲ୍ଲା ଶାନ୍ତି କମିଟିର ସଭାପତି ରହିଥିଲେ। ସେ ନବମ ବିଧାନସଭା ନିର୍ବାଚନରେ କଂଗ୍ରେସ ଦଳର ବିଧାୟକ ପ୍ରାର୍ଥୀ ଭାବେ ଭଂଜନଗର ନିର୍ବାଚନ ମଣ୍ଡଳୀରୁ ଲଢି ବିଜୟୀ ହୋଇଥିଲେ। ୧୯୮୫ ମାର୍ଚ୍ଚ ୯ ତାରିଖ ଠାରୁ ୧୯୯୦ ମସିହା ପର୍ଯ୍ୟନ୍ତ ବିଧାୟକ ଦାୟିତ୍ଵ ତୁଲାଇଥିଲେ।ଏହାପରେ ସେ ଓରେଡ଼ା ନିଗର ଅଧ୍ୟକ୍ଷ ଦାୟିତ୍ବରେ ମଧ୍ୟ ରହିଥିଲେ। ଏହାସହ ସେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଏବଂ ସାବିତ୍ରୀ ମହିଳା ମହାବିଦ୍ୟାଳୟର ପରିଚାଳନା କମିଟି ଦାୟିତ୍ବରେ ରହିଥିଲେ। ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ସିନେଟ୍ ସଭ୍ୟ ଥିଲେ। ଘୁମୁସର ଆଥଲେଟିକ ଏସୋସିଏସନର କାର୍ଯ୍ୟକାରୀ ସଭାପତି ଏବଂ ଆର୍ସିଏମ୍ସିରେ ମଧ୍ୟ ସଭାପତି ଦାୟିତ୍ୱ ସମ୍ପାଦନା କରିଥିଲେ। ଭଞ୍ଜ ସାହିତ୍ୟ ପରିଷଦର ସମ୍ପାଦକ ପଦବୀ ସହ ସେ ଐତିହାସିକ ଠାକୁରାଣୀ ଯାତ୍ରା କମିଟିର ମଧ୍ୟ ସଭାପତି ଦାୟିତ୍ବରେ ରହିଥିଲେ। ତାଙ୍କର ବିୟୋଗରରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ତାଙ୍କର ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବଟି କରି ଦୁଃଖ ପ୍ରକାଶ କରିଛନ୍ତି।ରାଜ୍ୟ ଜଙ୍ଗଲ ପରିବେଶ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଓକିଲ ସଂଘ ସଭାପତି ସନ୍ତୋଷ ନାୟକ,ବିନୟ ରଥ ସହ ବହୁ ବିଶିଷ୍ଟ ବ୍ୟକ୍ତ ଶୋକ ପ୍ରକାଶ କରିଛନ୍ତି।
ବିଶିଷ୍ଟ ଅଭିନେତା ତଥା ଭଞ୍ଜନଗରର ପୂର୍ବତନ ବିଧାୟକ ଉମାକାନ୍ତ ମିଶ୍ରଙ୍କ ପରଲୋକ, ଟ୍ବିଟ୍ କରି ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ
/sambad/media/post_attachments/wp-content/uploads/2021/05/WhatsApp-Image-2021-05-25-at-17.56.27.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)