ଦତ୍ତପୁତ୍ର ଦେଉଛି ନିର୍ଯାତନା, ଉପଜିଲ୍ଲାପାଳଙ୍କୁ ଫେରାଦ୍‌ ହେଲେ ନିଃସନ୍ତାନ ବୃଦ୍ଧ ଦମ୍ପତି 

ଭଞ୍ଜନଗର : ନିଃସନ୍ତାନ ଥିବାରୁ ଶାଳକର ପୁଅକୁ ଦତ୍ତପୁତ୍ର ଭାବେ ଗ୍ରହଣ କରିଥିଲେ ଅଭିମନ୍ୟୁ। ‌ହେଲେ ବୟସର ସାୟାହ୍ନରେ ଦତ୍ତପୁତ୍ର ବୃଦ୍ଧ ଦମ୍ପତିଙ୍କୁ ସାହାରା ଦେବା ବଦଳରେ ସମ୍ପତ୍ତି ଲୋଭରେ ଅକଥନୀୟ ଶାରୀରିକ ଓ ମାନସିକ ନିର୍ୟାତନା ଦେଉଛି। କିନ୍ତୁ ଦତ୍ତପୁତ୍ରର ଅତ୍ୟାଚାର ଅସହ୍ୟ ହେବାରୁ ଶେଷରେ ବୃଦ୍ଧ ଦମ୍ପତି ସୁରକ୍ଷା ପାଇଁ ପ୍ରଶାସନର ଦ୍ବାରସ୍ଥ ହୋଇଛନ୍ତି। ଗାଙ୍ଗପୁର ଥାନା ପାଟପୁର ଗ୍ରାମର ବାସିନ୍ଦା ଅଭିମନ୍ୟୁ ଗୌଡ଼ ଓ ପ୍ରମିଳା। ଉଭୟଙ୍କ ସନ୍ତାନସନ୍ତତି ନାହାନ୍ତି। ଫଳରେ ଅଭିମନ୍ୟୁ ଗ୍ରାମ ନିକଟରେ ରହୁଥିବା ତାଙ୍କ ଶାଳକଙ୍କ ମଝିଆ ପୁଅକୁ ଦତ୍ତପୁତ୍ର ଭାବେ ଗ୍ରହଣ କରିଥିଲେ। ଗତ ୨ ବର୍ଷ ତଳେ ତା’ର ବାହାଘର କରାଇଥିବା ବେଳେ ସୁଖଦୁଃଖରେ ତେଲଲୁଣର ସଂସାର ଚାଲିଥିଲା।

କିନ୍ତୁ ବର୍ତ୍ତମାନ ସେହି ଦତ୍ତପୁତ୍ର ଅଭିମନ୍ୟୁଙ୍କ ସମସ୍ତ ସ୍ଥାବରଅସ୍ଥାବର ସମ୍ପତ୍ତିକୁ ତା’ର ନାମରେ କରିବାକୁ ବାଧ୍ୟ କରିବା ସହ ଅଭିମନ୍ୟୁ ଓ ପ୍ରମିଳାଙ୍କୁ ଘରୁ ବାହାର କରିଦେଇଛି। ବର୍ତ୍ତମାନ ବୃଦ୍ଧ ଦମ୍ପତି ମାଗିଯାଚି ଚଳୁଛନ୍ତି। ସମ୍ପତ୍ତି ଓ ଘରଦ୍ବାର ଥିଲେ ବି ନିରାଶ୍ରୟ ଜୀବନ କାଟୁଛନ୍ତି। ସେମାନଙ୍କୁ ସୁରକ୍ଷା ଦେବା ଲାଗି ଦାବି କରି ଅଭିମନ୍ୟୁ ଆଜି ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜଙ୍କ ଦ୍ବାରସ୍ଥ ହୋଇଛନ୍ତି। ଉପଜିଲ୍ଲାପାଳ କହିଛନ୍ତି, ଏସଂର୍ପକରେ ଏକ ମାମଲା ରୁଜୁ କରାଯିବ। ବରିଷ୍ଠ ନାଗରିକ ମାନଙ୍କ ପାଇଁ ଥିବା ଆଇନ ଅନୁଯାୟୀ ସେମାନଙ୍କୁ ସୁରକ୍ଷା ଦେବା ଦିଗରେ ପଦକ୍ଷେପ ଗ୍ରହଣ କରାଯିବ।

ସମ୍ବନ୍ଧିତ ଖବର