କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା ଦିବସ, ଛାତ୍ରମାନେ ଭବିଷ୍ୟତ ସମୂହର ବାର୍ତ୍ତାବହ: ରାଜ୍ୟପାଳ

କୋରାପୁଟ: ‘ବିଶ୍ୱବିଦ୍ୟାଳୟର ଅର୍ଥ ହେଉଛି ସର୍ବବ୍ୟାପୀ। ଛାତ୍ରମାନେ ସମାଜ ପାଇଁ ବ୍ୟାପକ। ଯଦି କେହି ଇଶ୍ୱରଙ୍କ ନିକଟରେ ପହଞ୍ଚନ୍ତି ତେବେ ଶିକ୍ଷା ହାସଲ ହୋଇପାରିବ।’ କୋରାପୁଟ ସ୍ଥିତ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର ୧୩ତମ ପ୍ରତିଷ୍ଠା ଦିବସ ଅବସରରେ ଯୋଗ ଦେଇ ଏହା କହିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ। ସେ କହିଛନ୍ତି ଯେ, ଛାତ୍ରମାନେ ଭବିଷ୍ୟତ ସମୂହର ବାର୍ତ୍ତାବହ ଅଟନ୍ତି। ସେମାନେ ଇଶ୍ୱରଙ୍କ ପଥକୁ ଆଗେଇ ନେବା ଉଚିତ୍। ବୈଷୟିକ ଜ୍ଞାନ ସମାଜ ପାଇଁ ଜରୁରୀ ଅଟେ କିନ୍ତୁ ଏହି ଜ୍ଞାନ ସବୁକିଛି ନୁହେଁ ବୋଲି ସେ କହିଛନ୍ତି। ଟେକ୍ନୋଲୋଜି ପାଇଁ ଅଧିକ ଗୁରୁତ୍ୱପୂର୍ଣ୍ଣ ହେଉଛି ଯୁବ ମନ ମଧ୍ୟରେ ସମାଲୋଚନାକାରୀ ଚିନ୍ତାଧାରା। ଟେକ୍ନୋଲୋଜି ଅପେକ୍ଷା ଧର୍ମଶାସ୍ତ୍ର ଅଧିକ ଗୁରୁତ୍ୱପୂର୍ଣ୍ଣ। ସମାଜ ପାଇଁ ସଫଳତା ହାସଲ କରିବା ପାଇଁ ପ୍ରତ୍ୟେକ ଛାତ୍ର ସ୍ୱାମୀ ବିବେକାନନ୍ଦଙ୍କ ପଥ ଅନୁସରଣ କରିବା ଉଚିତ ବୋଲି ସେ ଦର୍ଶାଇଛନ୍ତି।

ଏହି ଅବସରରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇ କହିଛନ୍ତି ଯେ କୋରାପୁଟ ସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ସମଗ୍ର ରାଜ୍ୟ କାହିଁକି ଦେଶ ପାଇଁ ଗବେଷଣାର ଏକ ପ୍ରୟୋଗଶାଳା। ଏହି ପ୍ରୟୋଗଶାଳାର ନୀତି ଆଦର୍ଶରେ କିପରି ଚାଲିବ ସେନେଇ କେନ୍ଦ୍ର ସରକାର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି। ଓଡ଼ିଶାରେ ରହିଥିବା ଏହି ବିଶ୍ବବିଦ୍ୟାଳୟ କିପରି ଦେଶରେ ଏକ ନମ୍ବର ହେବ ନେଇ ଯୋଜନା ଚାଲିଛି ବୋଲି କହିଛନ୍ତି । ଆଜି ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ତାହାର ତ୍ରୟୋଦଶତମ ପ୍ରତିଷ୍ଠା ଦିବସ ଅନ୍-ଲାଇନ୍ ମାଧ୍ୟମରେ ପାଳନ କରାଯାଇଛି।

ବର୍ଷ ପରେ ବର୍ଷ ସମସ୍ତେ ଏହି ବିଶ୍ବବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି ପାଇଁ ଆଶାପୋଷଣ କରୁଥିବା ବେଳେ ଦୀର୍ଘ ୧୩ ବର୍ଷ ପୂର୍ବେ ପ୍ରତିଷ୍ଠା ହୋଇଥିବା ଏହି ବିଶ୍ୱବିଦ୍ୟାଳୟରେ ବହୁ ଶୈକ୍ଷିକ ତଥା ଅଣ ଶୈକ୍ଷିକ ପଦବୀ ଖାଲି ପଡିଥିବା ଓ ଛାତ୍ରଛାତ୍ରୀଙ୍କ ପାଇଁ ଖେଳପଡ଼ିଆ ଭଳି ନ୍ୟୁନତମ ଆବଶ୍ୟକତା ପୂରଣ ହୋଇପାରିନଥିବା ବୁଦ୍ଧିଜୀବୀ ମହଲରେ ଚିନ୍ତାର ବିଷୟ ପାଲଟିଛି। ତେବେ ଏ ସମ୍ପର୍କରେ ମଧ୍ୟ ଶ୍ରୀ ପ୍ରଧାନଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିବା ପ୍ରଫେସର ଶରତ କୁମାର ପାଲିତ ଜଣାଇଛନ୍ତି। କେନ୍ଦ୍ରୀୟ ଶିକ୍ଷା ମନ୍ତ୍ରାଳୟ ପାଖରେ ଏହି ବିଶ୍ବବିଦ୍ୟାଳୟର ଛଅଟି ପ୍ରକଳ୍ପ ନିମନ୍ତେ ୧୨୯ କୋଟି ଟଙ୍କାର ଅନୁଦାନ ପଡିରହିଥିବା ବେଳେ ଖେଳପଡ଼ିଆ, ଅଡିଟୋରିଅମ, ସାଇନ୍ସ ଲେକ୍ଚର ହଲ ଭଳି ଗୁରୁତ୍ୱପୂର୍ଣ୍ଣ ସୁବିଧା ସୃଷ୍ଟି କରିବା ନିମନ୍ତେ ୨୪୪ କୋଟି ଟଙ୍କାର ପ୍ରକଳ୍ପ ମଞ୍ଜୁର କରିବା ପାଇଁ ପ୍ରସ୍ତାବ ଦିଆଯାଇଥିବା ସେ ଜଣାଇଛନ୍ତି ।

ସମ୍ବନ୍ଧିତ ଖବର